ଜାଗୁଆର ଲ୍ୟାଣ୍ଡ ରୋଭର-ଟାଟା ପାୱାର ମଧ୍ୟରେ ଚୁକ୍ତି
ମୁମ୍ବାଇ : ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ଏବଂ ଟାଟା ପାୱାର ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି । ଚୁକ୍ତି ଅନୁସାରେ ଟାଟା ପାୱାର ଜାଗୁଆର ଲ୍ୟାଣ୍ଡ ରୋଭରକୁ ଆବଶ୍ୟକ ଇଲେକ୍ଟ୍ରିକ୍ ଯାନ ଚାର୍ଜିଂ ସମାଧାନ ଯୋଗାଇ ଦେବ । ବିକ୍ରି ପରବର୍ତୀ ଚାର୍ଜିଂ ସମାଧାନ ମଧ୍ୟ ଟାଟା ଜାଗୁଆର ରିଟେଲର ଏବଂ ଗ୍ରାହକଙ୍କୁ ଉପଲବ୍ଧ କରାଇବ । ଏହି ଚୁକ୍ତି ଦ୍ୱାରା ଚଳିତବର୍ଷ ଦ୍ୱିତୀୟାର୍ଦ୍ଧରେ ବଜାରକୁ ଆସିବାକୁ ଥିବା ଜାଗୁଆର ଆଇ-ପେସ୍ ଗ୍ରାହକ ବେଶ୍ ଉପକୃତ ହୋଇପାରିବେ । ଏହା ସହିତ ଭବିଷ୍ୟତରେ ବଜାରକୁ ଆସିଥିବା ଲ୍ୟାଣ୍ଡ ରୋଭର ବ୍ୟାଟେରୀ ଇଲେକ୍ଟ୍ରିକ୍ ଯାନ ଏବଂ ପ୍ଲଗ୍ ଇନ୍ ହାଇବ୍ରିଡ୍ ଇଲେକ୍ଟ୍ରିକ୍ ଯାନ ଗ୍ରାହକ ମଧ୍ୟ ଆବଶ୍ୟକ ସୁବିଧା ସୁଯୋଗ ହାସଲ କରିପାରିବେ । ଏହି ସୁବିଧା ଦେଶର ୨୪ଟି ସହରର ୨୭ଟି ଆଉଟଲେଟ୍ରେ ଉପଲବ୍ଧ ହେବ । ଟାଟା ପାୱାର ଏସି ଏବଂ ଡିସି ଚାର୍ଜର ୭ କିଲୋୱାଟରୁ ୫୦ କିଲୋୱାଟ କ୍ଷମତା ପର୍ଯ୍ୟନ୍ତ ଯୋଗାଇ ଦେବ । ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ଲିଃ.ର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଲେ, “ ଟାଟା ପାୱାର ସହିତ ଚୁକ୍ତି ଦ୍ୱାରା ଜାଗୁଆର ଲ୍ୟାଣ୍ଡ୍ ରୋଭର ଗ୍ରାହକ ୱାନ୍-ଷ୍ଟପ୍ ସମାଧାନ ସେବା ହାସଲ କରିବାକୁ ସକ୍ଷମ ହେବେ । ଭାରତ ବ୍ୟାପି ଟାଟା ପାୱାର ଚୁକ୍ତି ଅନୁସାରେ ଚାର୍ଜିଂ ସମାଧାନ ସେବା ଉପଲବ୍ଧ କରାଇବ । ଏହାଦ୍ୱାରା ଗ୍ରାହକ ଚିନ୍ତାମୁକ୍ତ ଭାବେ ମାଗଣା ଚାର୍ଜିର୍ଂ ଅଭିଜ୍ଞତା ହାସଲ କରିପାରିବେ । ଚଳିତବର୍ଷ ଦ୍ୱିତୀୟାର୍ଦ୍ଧରେ ଭାରତରେ ବଜାର ପ୍ରବେଶ କରିବାକୁ ଥିବା ଆମର ଜାଗୁଆର ଆଇ-ପେସ୍ ଗ୍ରାହକ ବେଶ୍ ଉପକୃତ ହୋଇ ପାରିବେ । ଏହି ଅବସରରେ ଟାଟା ପାୱାର କମ୍ପାନୀ ଲିମିଟେଡ୍ ନ୍ୟୁ ବିଜନେସ୍ ସିଏଫ୍ଓ ଏବଂ ସଭାପତି ରମେଶ ସୁବ୍ରମଣ୍ୟମ୍ କହିଲେ, “ ଜାଗୁଆର ଲ୍ୟାଣ୍ଡ୍ ରୋଭର ସହିତ ମିଳିତ ଭାବେ କାମ କରିବା ପାଇଁ ଚୁକ୍ତି ହୋଇଥିବାରୁ ଟାଟା ପାୱାର ବେଶ୍ ଆନନ୍ଦିତ । ଭାରତ ସମ୍ପ୍ରତି ଇଭି ଚାର୍ଜିଂ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଗ୍ରାହକଙ୍କୁ ଚିନ୍ତାମୁକ୍ତ ଭାବେ ଘରେ, କାର୍ଯ୍ୟାଳୟରେ ଏବଂ ସର୍ବ ସାଧାରଣ ସ୍ଥାନରେ ଚାର୍ଜିଂ ସୁବିଧା ଉପଲବ୍ଧ କରାଇବା ବେଶ୍ ସହଜ ହୋଇ ପାରିବ । ଏହାଦ୍ୱାରା ଜାଗୁଆର ଲ୍ୟାଣ୍ଡ ରୋଭର ଉପରେ ଥିବା ଗ୍ରାହକ ବିଶ୍ୱାସନୀତା ଅତୁଟ ରହିପାରିବ । ସୂଚନାଯୋଗ୍ୟ, ଟାଟା ପାୱାର ଭାରତର ଇଂଟିଗ୍ରେଟେଡ୍ ପାୱାର କମ୍ପାନୀ ଭାବେ ବେଶ୍ ପରିଚିତି ହାସଲ କରିପାରିଛି । ସମ୍ପ୍ରତି ଏହାର ଇନଷ୍ଟଲଡ୍ କ୍ଷମତା ୧୧,୨୬୫ ମେଗାୱାଟ ରହିଛି । କମ୍ପାନୀରେ ନିକଟରେ ୩୦ ପ୍ରତିଶତ ଅକ୍ଷୟ ଶକ୍ତିଉତ୍ସ ଏବଂ ସୌରଶକ୍ତି ଉତ୍ସ ରହିଛି । ଟାଟା ପାୱାରର ଦେଶର ୧୨୦ଟି ଚାର୍ଜିଂ ପଏଂଟ୍ ରହିଛି । ଭାରତରେ ଉପଲବ୍ଧ ହେଉଥିବା ଜାଗୁଆର ରେଞ୍ଜ୍ ମଧ୍ୟରେ ଏକ୍ସଇର ମୂଲ୍ୟ ୪୪.୯୮ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ଏକ୍ସଏଫ୍ର ମୂଲ୍ୟ ୪୯.୭୮ ଲକ୍ଷରୁ ଆରମ୍ଭ ହେଉଛି । ସେହିପରି ଏଫ୍-ପେସ୍ର ମୂଲ୍ୟ ୬୩.୭୮ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଏକ୍ସଜେର ମୂଲ୍ୟ ୧୧୧.୩୦ ଲକ୍ଷ ଟଙ୍କା, ଏଫ୍-ଟାଇପ୍ ମୂଲ୍ୟ ୯୦.୯୩ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍ ରୋଭର ରେଞ୍ଜ୍ ମଧ୍ୟରେ ଡିସକଭର ସ୍ପୋର୍ଟସର ମୂଲ୍ୟ ୫୭.୦୬ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ରେଞ୍ଜ ରୋଭର ଇଭାକ୍ୟୁର ମୂଲ୍ୟ ୫୪.୯୪ ଲକ୍ଷରୁ ଆରମ୍ଭ ହେଉଛି । ନୂଆ ଡିଫେଣ୍ଡର ମୂଲ୍ୟ ୬୯.୯୯ ଲକ୍ଷରୁ ଆରମ୍ଭ ହେଉଛି । ସେହିପରି ରେଞ୍ଜ୍ ରୋଭର ଭେଲାର ମୂଲ୍ୟ ୭୧.୮୭ ଲକ୍ଷ ଟଙ୍କା ଏବଂ ରେଞ୍ଜ୍ ଡିସକଭର ମୂଲ୍ୟ ୭୫.୬୦ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ରେଞ୍ଜ୍ ରୋଭର ସ୍ପୋର୍ଟସ୍ ମୂଲ୍ୟ ୮୭.୦୨ ଲକ୍ଷ ଟଙ୍କା ଏବଂ ରେଞ୍ଜ ରୋଭର ମୂଲ୍ୟ ୧୮୨.୨୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଜାଗୁଆର ଲ୍ୟାଣ୍ଡ ରୋଭର ଯାନ ଗୁଡିକ ଦେଶର ୨୪ଟି ସହରର ଅହମ୍ମଦାବାଦ୍, ଔରଙ୍ଗାବାଦ୍, ବେଙ୍ଗାଲୁରୁ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ୍, ଇନ୍ଦୋର, ଜୟପୁର, କୋଲକତା, କୋଚି, କର୍ନାଲ, ଲକ୍ଷ୍ନୌ, ଲୁଧିଆନା, ମାଙ୍ଗାଲୋର୍, ମୁମ୍ବାଇ, ନାଗପୁର, ନୋଏଡା, ପୁନେ, ରାଏପୁର, ବିଜୟୱାଡା, ସୁରାଟ ଆଦି ୨୭ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍ରେ ଉପଲବ୍ଧ ହେଉଛି ।