ପୂର୍ବତନ ବିଧାୟକ ପୁରୁଷୋତ୍ତମ ସେଠୀଙ୍କ ପରଲୋକ

ବନ୍ତ, (ଯୁଗାଦ୍ଧ ନ୍ୟୁଜ୍‌) : ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ବରିଷ୍ଠ ରାଜନେତା, ସମାଜସେବୀ ତଥା ରାଣୀପଡା ଗ୍ରାମର ଦରଦି ମଣିଷ ପୁରୁଷୋତ୍ତମ ସେଠୀ(୯୨)ଙ୍କର ସୋମବାର ସକାଳ ୭ଟା ୩୦ ମିନିଟ୍ ସମୟରେ ପରଲୋକ ଘଟିଛି । ଗତ କିଛି ହେବ ସେ ଅସୁସ୍ଥ ଥାଇ ଚିକିତ୍ସାଧିନ ଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ବଡପୁଅ ଗୋବିନ୍ଦ, ସାନପୁଅ ସତ୍ୟପ୍ରକାଶ, ଝିଅ ବିମଳା, କୁନ୍ତଳା, କମଳା, ଜ୍ୱାଇଁ ସୁଦର୍ଶନ, ଅଭିରାମଙ୍କ ସମେତ ବୋହୁ, ନାତି, ନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ଶୋଭା ଯାତ୍ରାରେ ନିଆଯାଇ ଦାହ କରାଯାଇଥିଲା । ସାନପୁଅ ସତ୍ୟପ୍ରକାଶ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଖବର ପାଇ ବହୁ ବୁଦ୍ଧିଜୀବି, ସମାଜସେବୀ, ରାଜନେତା, ସାହିତ୍ୟିକ ରାଣୀପଡାସ୍ଥିତ ବାସଭବନରେ ପହଞ୍ôଚ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସେ ଗତ ୧୯୮୦-୮୫ ମସିହାରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଧାୟକ ଥିବା ବେଳେ ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକରେ ବହୁବିଧ ଉନ୍ନତି କରିଥିଲେ । ତାଙ୍କରି ଉଦ୍ୟମରେ ଗୋବିନ୍ଦପୁର ଠାରେ ପୁରୁଷୋତ୍ତମ ସେଠୀ ବାଳିକା ହାଇସ୍କୁଲ ପ୍ରତିଷ୍ଠା ହୋଇଥିଲା । ସେହିପରି ନିଳୋକ ହାଇସ୍କୁଲ ପ୍ରତିଷ୍ଠା ଓ ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଥିଲା । ୨ ଥର ସେ ନିଳୋକ ହାଇସ୍କୁଲ ପରିଚାଳନା କମିଟିର ସଭାପତି ପଦବୀରେ ରହିଥିଲେ । ଏଥିସହ ତାଙ୍କରି ପ୍ରଚେଷ୍ଟାରେ ଉଭୟ ବ୍ଲକରେ ବହୁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇପାରିଥିଲା । ୧୯୮୫-୯୦ ମସିହାରେ ସେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଭାରତୀୟ ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ଥିଲେ । ସେ ସମୟରେ ତାଙ୍କର ବଳିଷ୍ଠ ନେତୃତ୍ୱ ପାଇଁ କଂଗ୍ରେସ ସଂଗଠନ ମଜବୁତ୍ ହୋଇପାରିଥିଲା । ଏଥିସହ ସେ ଭୂଦାନ ବୋର୍ଡର ଉପାଧ୍ୟକ୍ଷ, ଖଦି ବୋର୍ଡ ଓ ଅନୁସୂଚିତ ଜାତି, ଜନଜାତି କର୍ପୋରେସନର ସଦସ୍ୟ ପଦରେ ରହିଥିଲେ । ସେ ଜଣେ ସ୍ପଷ୍ଟବାଦୀ, ନିର୍ଭିକ, ପରୋପକାରୀ, ବିଚକ୍ଷଣ ରାଜନେତା ଥିଲେ । ତାଙ୍କ ବିୟୋଗରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ଅପୁରଣୀୟ କ୍ଷତି ଘଟିବା ସହ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ