ଡ଼ିଜେର ଉତ୍କଟ ଶବ୍ଦ ପ୍ରଦୂଷଣ : ପ୍ରଶାସନର ଲଗାମ ନାହିଁ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ଶବ୍ଦ ପ୍ରଦୂଷଣ ଏକ ନିତିଦିନିଆ ଘଟଣା ପାଲଟିଛି । ବର୍ତମାନ ପରୀକ୍ଷା ଋତୁ ଚାଲିଥିବା ବେଳେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷାର୍ଥୀ ମାନେ ଡ଼ିଜେର କର୍କଶ ଶବ୍ଦରେ ଅଣନିଶ୍ୱାସୀ ହୋଇ ପଡ଼ିବା ସହ ପାଠପଢାରେ ବ୍ୟାଘତ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ଏଥି ପ୍ରତି ସ୍ଥାନୀୟ ପ୍ରଶାସନର ତିଳେ ମାତ୍ର ନିଘା ନାହିଁ । ବାହାଘର, ବ୍ରତଘର ସମେତ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହୃତ ବ୍ୟାଣ୍ଡ ପାର୍ଟି ସମେତ ଡ଼ିଜେର କର୍କଶ ଶବ୍ଦ ସହରବାସୀଙ୍କୁ ନାକେଦମ କରିସାରିଲାଣି । ବାହାଘର ହେଉ କିମ୍ବା ବ୍ରତଘର ଶୋଭାଯାତ୍ରାରେ ବ୍ୟାଣ୍ଡ ପାର୍ଟି ସମେତ ଡ଼ିଜେର ବ୍ୟବହାର ଶବ୍ଦ ପ୍ରଦୂଷଣକୁ ଦ୍ୱିଗୁଣିତ କରୁଛି । ବାହାଘର ଶୋଭାଯାତ୍ରା ସମୟରେ ବରଗାଡ଼ି ସମ୍ମୁଖରେ ବହୁ ମାଇକ ବ୍ୟବହୃତ କରାଯିବା ସହ ବହୁ ବାଦ୍ୟକାର ସଙ୍ଗୀତ ପରିବେଷଣ କରୁଥିବା ଦୃଶ୍ୟ ବିରକ୍ତି ଭାବ ସୃଷ୍ଟି କରୁଛି । ଉକ୍ତ ବ୍ୟାଣ୍ଡପାର୍ଟି ଓ ଡ଼ିଜେ ବ୍ୟସ୍ତବହୁଳ ରାସ୍ତାରେ ଏବଂ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ବହୁ ସମୟ ଧରି ରାସ୍ତା ଅବରୋଧ କରିବା ସହ ନିର୍ଦ୍ଧାରିତ ଶବ୍ଦ ଠାରୁ ଅଧିକ ଉଚ୍ଚ ଶବ୍ଦ ସୃଷ୍ଟି କରି ଶବ୍ଦ ପ୍ରଦୂଷଣ କରୁଥିବା ଦେଖିବାକୁ ମିଳିଛି । ଓଡ଼ିଶା ଫାଇର୍ ୱାର୍କସ ଏଣ୍ଡ ଲାଉଡ଼୍ ସ୍ପିକର ଏକ୍ଟ ୧୯୫୮ ଧାରା ୪ ଅନୁଯାୟୀ ବିବାହ କିମ୍ବା ବ୍ରତଘର ଶୋଭାଯାତ୍ରାରେ ସାଉଣ୍ଡ ବ୍ରବହାର କରିବା ସକାଶେ ସଂପୃକ୍ତ ଜିଲ୍ଲାର ଉପ ଜିଲ୍ଲାପାଳଙ୍କ ଠାରୁ ଅନୁମତି ପତ୍ର ଆଣିବା ସକାଶେ ନିୟମ ରହିଛି । ଉକ୍ତ ଅନୁମତି ପତ୍ରର ସର୍ତାବଳୀ ଅନୁସାରେ ଡ଼ାକବାଜି ଯନ୍ତ୍ର ୪୦ଡ଼ିବି (ଏ) ଠାରୁ ଅଧିକ ଶବ୍ଦ ସୃଷ୍ଟି କରାଯାଇ ପାରିବ ନାହିଁ । ଏପରିକି ଡ଼ିଜେ କିମ୍ବା ଅତ୍ୟଧିକ ଶବ୍ଦ ସୃଷ୍ଟିକାରୀ ଯନ୍ତ୍ର ବ୍ୟବହାର କରିପାରିବେ ନାହିଁ । କୋର୍ଟ ପରିସର, ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ କେନ୍ଦ୍ର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର ୪ଶହ ମିଟର ପରିସରରେ ଅତ୍ୟଧିକ ଶବ୍ଦ ବ୍ୟବହାର ନକରିବା ସକାଶେ ନିର୍ଦ୍ଦେଶ ରହିଛି । ଏହିସବୁ ସର୍ତାବଳୀ ଖିଲାପ କଲେ ଅନୁମତି ପତ୍ର ଆବେଦନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଲ୍ଲେଖ ରହୁଛି । ଏଥି ସହ ସ୍ଥାନୀୟ ପୋଲିସ ଥାନା ଅଧିକାରୀଙ୍କ ଠାରୁ ନଏଜ୍ ପୋଲ୍ୟୁଏସନନିୟମ ୨୦୦୦ ଏବଂ ଆମେଣ୍ଡମେଂଟ ଧାରା ୨୦୧୦କୁ କଡ଼ାକଡ଼ି କରାଇବା ପାଇଁ ନିୟମ ରହିଛି । ଏ ସମସ୍ତ ନିୟମ ରହିଥିବା ସତ୍ୱେ ବ୍ୟାଣ୍ଡ ପାର୍ଟି ଓ ଡ଼ିଜେ ମାଲିକ ମାନେ ଅଂଚଳର ଶାନ୍ତି ଭଙ୍ଗ କରିବା ସହ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି କରାଇବା ପାଇଁ ପଛାଉ ନାହାନ୍ତି । ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧଜୀବି ମହଲରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ