ଛେପ ପକାଇଲେ ୫୦୦ ଫାଇନ
ଭୁବନେଶ୍ୱର:ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି । ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ଏଣିକି ଛେପ ପକାଇଲେ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ତେବେ ଏହି ଜୋରିମାନା ସମସ୍ତଙ୍କ ପାଇଁ ଲାଗୁ ହେବ ନାହିଁ । କେବଳ ବିଡିଏ /ବିଏମସି କର୍ମଚାରୀଙ୍କ କ୍ଷେତ୍ରରେ ଏହି ଜୋରିମାନା ଲାଗୁ କରାଯିବ । କରୋନା ମୁକାବିଲା ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖି ବିଏମସି କମିଶନର ଏହା କହିଛନ୍ତି । ତାଙ୍କ ସୂଚନା ଅନୁଯାୟୀ ୩ଟି ଜୋନ ପାଇଁ ୩ଟି ପୃଥକ ପୃଥକ ସ୍କ୍ୱାର୍ଡ ଗଠନ କରାଯାଇଛି । ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ସ୍କ୍ୱାର୍ଡ ଗଠନ କରାଯାଇଛି । ପ୍ରତି ଟିମରେ ପୁଲିସ ସହ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଅଛନ୍ତି । ମାସ୍କ ଓ ସାନିଟାଇଜର ହୋର୍ଡିଂ ରୋକିବାକୁ ପଦକ୍ଷେପ ନିଆଯିବ । ଯଦି କେହି ନିର୍ଦ୍ଦେଶ ଖିଲାପ କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବାହାଘର ବନ୍ଦ ହେବନି । ମାତ୍ର ଅଧିକ ଜନସମାଗମକୁ ବାରଣ କରାଯିବ । ବିଡିଏ/ବିଏମସି କର୍ମଚାରୀଙ୍କୁ ଅଫିସରେ ଛେପ ପାଇବାକୁ ମନା କରାଯାଇଛି । ଯଦି କେହି ବିଡିଏ/ବିଏମସି କର୍ମଚାରୀ ଅଫିସରେ ଛେପ ପକାନ୍ତି ତେବେ ତାଙ୍କୁ ୫୦୦ ଟଙ୍କା ଫାଇନ କରାଯିବ । ଅନ୍ୟପକ୍ଷରେ ମଲ ବନ୍ଦ କରିବା ପାଇଁ କୌଣସି ନିର୍ଦ୍ଦେଶ ନଥିବା ବିଏମସି କମିଶନର କହିଛନ୍ତି ।


