ଉତ୍ତମ ନିଦ ବଢ଼ାଇବ ରୋଗପ୍ରତିରୋଧକ ଶକ୍ତି
କୋରୋନା ଭାଇରସ ଖବର ଶୁଣି ଶୁଣି ଆପଣଙ୍କ ରାତିର ନିଦ ହଜିଯିବଣି। କିନ୍ତୁ ଏଠାରେ ନିଦ ସହିତ ଜଡ଼ିତ ଏକ ଜରୁରୀ ସୂଚନା ଦିଆଯାଇଛି। ଏହା ଜାଣିବା ପରେ ଆପଣଙ୍କୁ କେବଳ ଭଲ ନିଦ ଆସିବ ନାହିଁ, ବରଂ ଆପଣ ନିଜ ନିଦର କ୍ବାଲିଟିକୁ ଅଧିକ ଉତ୍ତମ କରିବାକୁ ଚେଷ୍ଟା କରିବେ। ମାର୍ଚ୍ଚ ୧୩ରେ ଥିଲା ୱାର୍ଲ୍ଡ ସ୍ଲିପ୍ ଡେ’। ଏହାର ଉଦ୍ଦ୍ୟେଶ ଉତ୍ତମ ନିଦର ଫାଇଦା ସମ୍ପର୍କରେ ସଚେତନ କରିବା। ଏଠାରେ ନିଦ କିଭଳି ଭାବେ କୋରୋନା ଭାଇରସ ଭଳି ବିପଦ ସହିତ ଲଢ଼ିବାରେ ଆପଣଙ୍କୁ ସାହାଯ୍ୟ କରିପାରିବ।
ନିଦ ଅଭାବରେ ଆପଣଙ୍କ ଶରୀର ସାଇଟୋକାଇନ୍ ନାମକ ପ୍ରୋଟିନ୍ ସୃଷ୍ଟି କରିବା ବନ୍ଦ କରିଦିଏ। ଏହି ପ୍ରୋଟିନ୍ ସଂକ୍ରମଣ ଓ ସ୍ବେଲିଂ ଦୂର କରିବାରେ ସାହାଯ୍ୟ କରେ। ଅର୍ଥାତ୍ କୋରୋନା ଭାଇରସ ଭଳି ଖତରନାକ ରୋଗ ସହିତ ଲଢ଼ିବାରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଡାକ୍ତରଙ୍କ କହିବାନୁସାରେ ନିଦ ପୂରା ନ ହେବା ସ୍ଥିତିରେ ଫ୍ଲୁ ସହିତ ଲଢ଼ୁଥିବା ଭ୍ୟାକ୍ସିନ୍ ମଧ୍ୟ ଠିକ୍ ଭାବେ କାମ କରି ନ ଥାଏ।
ଡାକ୍ତରଙ୍କ କହିବାନୁସାରେ ଯେଉଁ ସମୟରେ ଇନ୍ଫ୍ଲୁଏଞ୍ଜା, ଥଣ୍ଡା, କାଶ, ଜ୍ବର ଭଳି ରୋଗ ହୋଇଥାଏ, ସେହି ସମୟରେ ଆପଣଙ୍କୁ ଅତିକମ୍ରେ ୭ରୁ ୮ ଘଣ୍ଟା ଶୋଇବା ନିହାତି ଦରକାର। ଏହାଦ୍ବାରା ଆପଣଙ୍କ ରୋଗପ୍ରତିରୋଧକ ଶକ୍ତି ମଜବୁତ ହୋଇଥାଏ ଓ ହୃଦ୍ରୋଗ, ମଧୁମେହ ଓ ମୋଟାପଣ ଭଳି ସମସ୍ୟାଠାରୁ ମଧ୍ୟ ଦୂରେଇ ରଖିଥାଏ। ଯଦି ବ୍ୟସ୍ତ ରହୁଥିବା କାରଣରୁ ଆପଣ ଠିକ୍ ଭାବେ ଶୋଇପାରୁ ନାହାନ୍ତି, ତେବେ ସାରା ଦିନ କିଛି କିଛି ସମୟ ପାଇଁ ଶୋଇ ଏହି ଅଭାବକୁ ଦୂର କରିପାରିବେ। ମଧ୍ୟାହ୍ନରେ ମଧ୍ୟ କିଛି ସମୟ ଶୋଇ ପାରିବେ। ଏହାଫଳରେ ଚାପ କମ୍ ହୋଇଥାଏ ଓ ଚାପ କମ୍ ହେଲେ ରୋଗପ୍ରତିରୋଧକ ଶକ୍ତି ଭଲ ଭାବେ କାମ କରିବାରେ ଲାଗେ।
ତେଣୁ ଶୋଇବା ଓ ଉଠିବା ସମୟ ନିର୍ଦ୍ଧାରିତ କରନ୍ତୁ। ଥକା ଅନୁଭବ କରୁଥିଲେ କିଛି ସମୟ ଶୋଇ ଯାଆନ୍ତୁ। ଶୋଇବା ପୂର୍ବରୁ ମଦ କିମ୍ବା ନିଶା ସେବନ କରନ୍ତୁନି। କଫିନ୍ର ବ୍ୟବହାର ଭାବିଚିନ୍ତି କରନ୍ତୁ। ଅର୍ଥାତ୍ ଥରେ କିମ୍ବା ଦୁଇ ଥର ଚା’, କଫି ପିଅନ୍ତୁ। ଶୋଇବାକୁ ଯିବାର ଦୁଇ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଆନ୍ତୁ। ନିୟମିତ ବ୍ୟାୟାମ କରନ୍ତୁ। ଏହାଫଳରେ ଆପଣଙ୍କୁ ଭଲ ଓ ଗଭୀର ନିଦ ହେବ। ଆରାମଦାୟକ ବିଛଣାରେ ଶୁଅନ୍ତୁ। ଅର୍ଥାତ୍ ଯେଉଁ ଗତିରେ ଶୋଉଛନ୍ତି, ତାହା ଅଧିକ ନରମ କିମ୍ବା ହାର୍ଡ ହୋଇ ନ ଥିବା ଉଚିତ। କୋଠରୀର ତାପମାତ୍ରା ନର୍ମାଲ ରଖନ୍ତୁ। ଶୋଇବା ସମୟରେ ଆଖପାଖରେ ହୋହାଲ୍ଲା, ପାଟିତୁଣ୍ଡ ନ ହେବା ଦରକାର। ଯେଉଁ ସବୁ ଜିନିଷ ଆପଣଙ୍କ ନିଦକୁ ବ୍ୟାଘାତ କରୁଛି, ସେ ସବୁ ଜିନିଷ ନିଜଠାରୁ ଦୂରେଇ ରଖନ୍ତୁ। ଏଥିରେ ଆପଣଙ୍କ ମୋବାଇଲ୍ ଫୋନ୍ ମଧ୍ୟ ସାମିଲ୍ ରହିଛି। ଯଥାସମ୍ଭବ କୋଠରୀକୁ ଅନ୍ଧାର କରନ୍ତୁ। କାରଣ ଆଲୋକ ନିଦରେ ସବୁଠାରୁ ବଡ଼ ବ୍ୟାଘାତ ସୃଷ୍ଟି କରିଥାଏ। ବିଛଣାରେ ବସି ଖାଦ୍ୟ ଖାଆନ୍ତୁନି କିମ୍ବା ଅଫିସ୍ କାମ ବସି କରନ୍ତୁନି।
ବିଶ୍ବରେ ଭାରତ ସେହି ଦେଶ ମଧ୍ୟରେ ସାମିଲ୍ ରହିଛି, ଯେଉଁଠି ଲୋକମାନେ କମ୍ ନିଦ ନେଇପାରନ୍ତି। ସବୁଠାରୁ କମ୍ ଜାପାନର ଲୋକେ ଶୋଉଥିବାବେଳେ ଏହାପରେ ରହିଛି ସାଉଦି ଆରବିୟା, ସ୍ବିଡେନ୍। ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଭାରତ। ଭାରତର ଲୋକେ ହାରାହାରି ୬ ଘଣ୍ଟା ୨୦ ମିନିଟ୍ ଶୋଇପାରନ୍ତି। ଏହି ତଥ୍ୟ ଦେଖି ଭାବୁଥିବେ ଭାରତର ଲୋକେ ଅଧିକ ପରିଶ୍ରମୀ ହୋଇଥିବାରୁ ଶୋଇବାକୁ କମ୍ ସମୟ ପାଉଛନ୍ତି। କିନ୍ତୁ ଅଳସୁଆ କ୍ଷେତ୍ରରେ ମଧ୍ୟ ଭାରତ ବହୁତ ଆଗରେ ରହିଛି। ୧୮ଟି ଦେଶକୁ ନେଇ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଭାରତୀୟମାନେ ସାରା ଦିନରେ ହାରାହାରି ୬ ,୫୩୩ ପାଦ ଚାଲିଥାନ୍ତି। ପାଦରେ ଚାଲିବା ମାମଲାରେ ଭାରତ ଏହି ତାଲିକାରେ ସବୁଠାରୁ ନିମ୍ନରେ ରହିଛି। ତେଣୁ ଶୋଇବା ପୂର୍ବରୁ କୌଣସି ଭଲ ପୁସ୍ତକ ପଢ଼ିବା ଅଭ୍ୟାସ କଲେ ଆପଣଙ୍କୁ ଭଲ ନିଦ ହୋଇଥାଏ। ଏହାଫଳରେ ମାନସିକ ଚାପ ମଧ୍ୟ କମ୍ ହୋଇଥାଏ। ନିଷ୍ପତ୍ତି ନେବା କ୍ଷମତା ବଢ଼ିଥାଏ ଓ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ। ତେଣୁ ଶୋଇବାକୁ ଯିବା ପୂର୍ବରୁ ମୋବାଇଲ୍ ବଦଳରେ ହାତରେ କୌଣସି ଭଲ ପୁସ୍ତକ ଧରି ବିଛଣାକୁ ଯାଆନ୍ତୁ। ସୋସାଲ ମିଡିଆଠାରୁ ଦୂରେଇ ରହନ୍ତୁ। ପୁସ୍ତକରେ ଲେଖାଯାଇଥିବା କଥାକୁ ବୁଝି ଶୋଇବାକୁ ଚେଷ୍ଟା କରନ୍ତୁ।


