କୋରୋନା ପାଇଁ ବନ୍ଦ ହେବ ଫିଲ୍ମ ଓ ଟିଭି ଶୋ’ର ଶୁଟିଂ
ସାରା ବିଶ୍ବକୁ କୋରୋନା ଭାଇରସ କବଳିତ କରି ରଖିଛି। କୋରୋନା ଭାଇରସ ପାଇଁ ଚାରିଆଡ଼େ ହାହାକାର ମଚିଯାଇଛି। କିଛି ଦିନ ତଳେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ‘ଡବ୍ଲୁଏଚ୍ଓ’ ପକ୍ଷରୁ କୁହାଯାଇଛି ଯେ ବିଶ୍ବରେ ଇତିମଧ୍ୟରେ ଏକ ଲକ୍ଷରୁ ଊର୍ଦ୍ଦ୍ବ କୋରୋନା ଭାଇରସ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି। ଏହି ଭାଇରସ କାରଣରୁ ୫ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଚୀନ୍ରୁ ଆରମ୍ଭ ହୋଇଥିବା ଏହି ମହାମାରୀ ଏବେ ସାରା ବିଶ୍ବରେ ବ୍ୟାପିବାରେ ଲାଗିଛି। ଏବେ ଏହାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବାରେ ଲାଗିଛି। ଏପରିସ୍ଥଳେ ଅନେକ ସରକାରୀ ଓ ବେସରକାରୀ ସଂସ୍ଥା ଜନ ସମାଗମକୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ଉଠାଇଛନ୍ତି।
ସେହିପରି ଦେଶରେ ବଢ଼ୁଥିବା କୋରୋନା ଭାଇରସ ମାମଲାକୁ ଦେଖି ସରକାର ଅନେକ ରାଜ୍ୟର ସିନେମାଘର ଓ ସ୍କୁଲ୍ ବନ୍ଦ କରି ଦେଇଛନ୍ତି। ଏପରିକି ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ମଧ୍ୟ ୧୫ ଏପ୍ରିଲ ଯାଏ ସ୍ଥଗିତ କରି ଦିଆଯାଇଛି। ଏଥିସହିତ ଚଳିତ ମାସରେ ରିଲିଜ୍ ହେବାକୁ ଥିବା ରୋହିତ ଶେଟ୍ଟୀଙ୍କ ବହୁପ୍ରତୀକ୍ଷିତ ସିନେମା ‘ସୂର୍ଯ୍ୟବଂଶୀ’କୁ ମଧ୍ୟ ରିଲିଜ୍ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏପରିସ୍ଥଳେ ଏବେ ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ଲଇଜ୍ (ଏଫ୍ଡବ୍ଲୁଆସିଇ) ଏହି ଘୋଷଣା କରିଛି ଯେ ସମସ୍ତ ଫିଲ୍ମ ଓ ଟିଭି ଶୋ’ ଶୁଟିଂ ରୋକା ଯାଇପାରେ।
ଯେଉଁ ଦେଶ କୋରୋନା ଭାଇରସ ଗ୍ରସିତ ସେହି ଦେଶରେ ଶୁଟିଂ ନ କରିବା ଲାଗି ଏକ ପତ୍ର ଜାରି କରି ଏଫ୍ଡବ୍ଲୁଆଇସିଇର ଅଧ୍ୟକ୍ଷ ବିଏନ୍ ତିୱାରୀ, ମହାସଚିବ ଅଶୋକ ଦୁବେ ଓ କୋଷାଧ୍ୟକ୍ଷ ଗଣେଶ୍ବରଲାଲ ଶ୍ରୀବାସ୍ତବ ଫିଲ୍ମ ଓ ଟିଭି ଶୋ’ ନିର୍ମାତାଙ୍କୁ କହିଛନ୍ତି। ଯଦି ବିଦେଶରେ କୌଣସି ସ୍ଥାନରେ ଶୁଟିଂ ହେଉଛି, ତେବେ ସମସ୍ତ କ୍ରୁ ମେମ୍ବରଙ୍କ ମେଡିକାଲ ଚେକ୍ଅପ୍ କରି ଶୀଘ୍ର ଫେରାଇ ଆଣନ୍ତୁ। ବିଏନ୍ ତିୱାରୀ କହିଛନ୍ତି ଯେ ସରକାର ସିନେମାଘର, କଲେଜ୍ ଓ ସ୍କୁଲ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଆମେ ଶୁଟିଂ କାହିଁକି ରୋକି ପାରିବେ ନାହିଁ। ଟିଭି ୱାକର୍ସମାନେ ପ୍ରତିଦିନ ସେଟ୍କୁ ଆସୁଛନ୍ତି। ଯାହା ବହୁତ ରିସ୍କି। ଏହି ୱାର୍କରମାନଙ୍କ ଜୀବନକୁ ଏହି ମହାମାରୀର ଶିକାର କରିପାରିବୁ ନାହିଁ ବୋଲି ସେ କହିଛନ୍ତି।


