କରୋନା : ହିତାଧିକାରୀଙ୍କ ଘରକୁ ଘର ଯାଇ ଦିଆଯିବ ଭତ୍ତା ଟଙ୍କା

ଛତ୍ରପୁର : ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ନିମନ୍ତେ ଛତ୍ରପୁର ବ୍ଲକ୍ ପ୍ରଶାସନ ପୁରା ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି । କରୋନାକୁ ଅଂଚଳରେ ନପୁରାଇ ଦେବା ନିମନ୍ତେ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ବ୍ଲକ୍ ପ୍ରଶାସନ ତରଫରୁ ସବୁ ସ୍ତରରେ ତତ୍ପରତା ଦେଖାଇଛି । ମହାମାରୀକୁ ରୋକିବା ନିମନ୍ତେ ଗ୍ରାମାଂଚଳରେ ସଚେତନ କରାଯାଉଛି । କରୋନା ପାଇଁ ପ୍ରତିଷେଧକ ବ୍ୟବସ୍ଥା ବା ସଂକ୍ରମଣ ରୋକିବା ଲାଗି ସରକାର ଏକାଧିକ ପଦକ୍ଷେପ ପାଇଁ ମାର୍ଗଦର୍ଶିକା ଲାଗୁ କରିଛନ୍ତି । ବିଶେଷ କରି ବାହାର ରାଜ୍ୟରୁ ଅବା ବିଦେଶରୁ ଜିଲ୍ଲାକୁ ଆସୁଥିବା କିମ୍ବା ନିଜ ଗାଁକୁ ଆସୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସଂପର୍କରେ ଏକ ଘୋଷଣାନାମା ଦେବା ଜରୁରୀ ହୋଇ ପଡ଼ିଛି । ଏହା ଦ୍ୱାରା ସୋମାନଙ୍କ ସ୍ୱାସ୍ଥ୍ୟବସ୍ଥା ଓ ସଂପୃକ୍ତ ଅଂଚଳଟି କରୋନା ପ୍ରଭାବିତ କି ନୁହେଁ ତାହା ଜଣାପଡ଼ିଛି । ଯାହା ଦ୍ୱାରା କରୋନା ପ୍ରତିରୋଧରେ ସହାୟକ ହେବ । ଅପରପକ୍ଷରେ ବାହାରୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଅନ୍ତତଃ ପକ୍ଷେ ୧୪ଦିନ ଅଲଗା ରହିବାକୁ ପରାମର୍ଶ ଦିଆଯାଉଛି । ଯଦି ସେମାନଙ୍କ ମଧ୍ୟରେ ସଂକ୍ରମଣ ଥାଏ ତେବେ ଏହି ସମୟରେ ତାର ଲକ୍ଷ୍ୟଣ ଦେଖି ଚିକିତ୍ସା କରାଯାଇ ସୁସ୍ଥ କରାଯାଇ ପାରିବ । ଯେହେତୁ ଜନଗହଳି ହେଲେ କରୋନା ସଂକ୍ରମଣର ଆଶଙ୍କା ଅଧିକ ରହିଥିବାରୁ ସେଥି ପାଇଁ ଏହି ସାମାଜିକ ଦୂରତା ରଖିବା ପାଇଁ କୁହାଯାଇଛି । ସମାଜର ବୃହତର ସ୍ୱାର୍ଥ ତଥା ଲୋକଙ୍କ ସୁବିଧା ପାଇଁ ସେମାନଙ୍କୁ ସାମୂହିକ ଭାବେ ଅଲଗା ରଖାଯାଉଛି ବୋଲି ଅନୁଷ୍ଠିତ ସ୍ଥାନୀୟ ବ୍ଲକ୍ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ସୂଚନା ଦେଇଛନ୍ତି । କରୋନା ଭାଇରସ୍ ରୁ ରକ୍ଷା ପାଇବା ପାଇଁ ସଚେତନା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ପଂଚାୟତ ପ୍ରତିନିଧି ମାନଙ୍କୁ ଅନୁରୋଧ କରିଛନ୍ତି । ସମସ୍ତେ ସାବୁନ୍ ରେ ହାତ ଧୋଇବା ସହ ଭୟାବହ ମାରାତ୍ମକ କରୋନା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରିବାକୁ କୁହାଯାଇଛି । ଏହି ରୋଗରୁ କିପରି ନିଜକୁ ଦୁରେଇ ରଖିବେ ସେସଂପର୍କରେ ପରାମର୍ଶ ଦିଆଯାଇଛି । ରୋଗ ଠାରୁ ଦୁରେଇବା ପାଇଁ ବାରମ୍ବାର ସାବୁନ୍ ରେ ହାତ ଧୋଇବା ସହ ମୁହଁରେ ମାସ୍କ ବ୍ୟବହାର, ବାହାରେ ବହୁ ସମୟ ବୁଲା ବୁଲି ନକରିବା, ଜ୍ୱର, ଥଣ୍ଡା ଓ କାଶ ହେଲେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ନେବା ନିମନ୍ତେ କୁହାଯାଇଛି । ଅଂଚଳର ବହୁ ଯୁବକ ରାଜ୍ୟ ବାହାରେ ତଥା ଦେଶ ବାହାରେ ରହୁଥିବାରୁ ସେମାନେ ସଂପ୍ରତି ବହୁଳ ଭାବେ ଗାଁ ମୁହାଁ ହୋଇ ଫେରୁଛନ୍ତି । ଏପରି ଭାବେ ଗାଁକୁ ଫେରୁଥିବା ଯୁବକଙ୍କ ସଂପର୍କରେ ତୁରନ୍ତ ପ୍ରଶାସନକୁ ଅବଗତ କରିବା ସହ ଏମାନଙ୍କ ଡ଼ାକ୍ତରୀ ପରୀକ୍ଷା ପରିବାର ତଥା ପଡ଼ୋଶୀଙ୍କ ପକ୍ଷରୁ ଉଦ୍ୟମ କରିବା ଉଚିତ ବୋଲି କୁହାଯାଇଛି । ମନ୍ଦିରକୁ ନଯିବା ସହ ପୋଖରୀ ସ୍ନାନ, ଶୌଚ ସକାଶେ ନଯିବା ଲାଗି କୁହାଯାଇଛି । ଏହା ଛଡ଼ା ବିଭିନ୍ନ ସଭା ସମିତି , ଭୋଜି ଭାତ ନକରିବା ସହ ଗୋଟିଏ ସ୍ଥାନରେ ଏକତ୍ର ନହେବା ଲାଗି ଅନୁରୋଧ କରାଯାଇଛି । ଏଥି ସହ ପ୍ରତି ପଂଚାୟତରେ ଥିବା ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ କରୋନା ରୋଗୀଙ୍କୁ ଚିକିତ୍ସା କରିବା ଲାଗି ସ୍ୱତନ୍ତ୍ର ଭାବେ ଏକ ପ୍ରକୋଷ୍ଠ ପ୍ରସ୍ତୁତ କରି ରଖାଯିବାକୁ ସମସ୍ତ ପଂଚାୟତ ପ୍ରତିନିଧି ମାନଙ୍କୁ କୁହାଯାଇଛି । ସେମାନେ ୭ଦିନ ମଧ୍ୟରେ ସମସ୍ତ ପ୍ରକାର ସୁବିଧା କରିବେ । ପାନୀୟ ଜଳ, ବିଦ୍ୟୁତ୍‌, ଟଇଲେଟ୍ ଓ ଆବଶ୍ୟକୀୟ ଅନୁଯାୟୀ କାର୍ଯ୍ୟ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟବସ୍ତାକୁ ଦୃଷ୍ଟିରେ ରଖି ମଧୁବାବୁ ପେନସନ୍ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନାରେ ପ୍ରଦାନ କରାଯାଉଥିବା ମାସିକ ଭତା ଆଗାମୀ ୪ ମାସ ପାଇଁ ଏକକାଳୀନ ପ୍ରଦାନ କରାଯିବ । ଜନସମାଗମକୁ ସୀମିତ ରଖିବା ନିମନ୍ତେ ଏହି ଟଙ୍କାକୁ ହିତାଧିକାରୀଙ୍କ ନିଜ ଗ୍ରାମରେ ହିଁ ପ୍ରଦାନ କରାଯିବ । ଏହା ସହ ଛତ୍ରପୁର ବ୍ଲକ୍ ପ୍ରଶାସନ ପକ୍ଷରୁ ହିତାଧିକାରୀଙ୍କ ଘରକୁ ଯାଇ ସେମାନଙ୍କ ବାର୍ଦ୍ଧକ୍ୟ, ବିଧବା ଆଦି ଭତା ଟଙ୍କା ପ୍ରଦାନ କରାଯିବ ବୋଲି ବିଡିଓ ଅମ୍ବିକା ପ୍ରସାଦ ଦାସ ସୂଚନା ଦେଇଛନ୍ତି । ଏହା ସହ ପ୍ରତ୍ୟେକ ଖାଉଟି କାର୍ଡ଼ଧାରୀଙ୍କୁ ତିନି ମାସର ରାସନ୍ ପ୍ରଦାନ କରାଯିବ । ସେମାନଙ୍କୁ ସେମାନଙ୍କ ଗ୍ରାମରେ ଆବଶ୍ୟକ ପଡ଼ିଲେ ଘରେ ଘରେ ମଧ୍ୟ ଏହି ରାସନ୍ ପ୍ରଦାନ କରାଯିବ ବୋଲି ବିଡିଓ କହିଛନ୍ତି । ଏହା ସହ ରାସନକାର୍ଡ଼ ଧାରୀ ମାନଙ୍କୁ ବାୟୋମେଟ୍ରିକ୍ ବ୍ୟବହାର କରାଯିବ ନାହିଁ । ଆସନ୍ତା ଏହା ସହ ଯେଉଁ ପଂଚାୟତରେ ସ୍ୱତନ୍ତ୍ର ଭାବେ ୭ଦିନ ଭିତରେ ପ୍ରକୋଷ୍ଠ କରାଯାଇନଥିବ ସେମାନଙ୍କର ପଂଚାୟତ ଆକାଉଂଟ୍ ସିଜ୍ କରାଯିବ ବୋଲି କହିଥିଲେ । ୨୨ ତାରିଖ ଦିନ ରବିବାର ସକାଳୁ ୭ରୁ ରାତି ୯ ପର୍ଯ୍ୟନ୍ତ ଜନତା କଫ୍ୟୁ ପାଳନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ବାସୀଙ୍କୁ ନିବେଦନ କରିଛନ୍ତି । ସେହି ସକାଶେ ଛତ୍ରପୁର ବ୍ଲକ୍ ପ୍ରଶାସନ ପକ୍ଷରୁ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ସମସ୍ତ ପଂଚାୟତ ପ୍ରତିନିଧିଙ୍କୁ କୁହାଯାଇଛି । ସେମାନେ ଜନସାଧାରଣଙ୍କୁ ସଚେତନା କରିବା ପାଇଁ ମଧ୍ୟ କୁହାଯାଇଛି । ବର୍ତମାନ ସୁଦ୍ଧା ଛତ୍ରପୁର ବ୍ଲକ୍ ରେ ୧୮ଜଣ ଦେଶ ବାହାରୁ ଆସିଛନ୍ତି ବୋଲି ଜଣାପଡ଼ିଛି । ସେଥି ମଧ୍ୟରେ ଲକ୍ଷ୍ମୀପୁର ପଂଚାୟତର ୯ଜଣ ଦୁବାଇରୁ ଆସିଛନ୍ତି, ବଡ଼ମାଧପୁରର ଜଣେ ଦୁବାଇ, ଚିକଲଖଣ୍ଡିରୁ ଜଣେ ଦୁବାଇରୁ, ଆର୍ଜିପଲ୍ଲୀ ପଂଚାୟତରୁ ୩ଜଣ ଦୁବାଇରୁ, ସୁନ୍ଦୁରପୁର ପଂଚାୟତର ଜଣେ ଦକ୍ଷିଣ ଆଫ୍ରିକାରୁ , ନରେନ୍ଦ୍ରପୁରରୁ ଜଣେ ମାଲେସିଆରୁ, କାଳିପଲ୍ଲୀ ପଂଚାୟତରୁ ୨ଜଣ, ଆବୁଧାବିରୁ ଆସିଥିବା ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଛତ୍ରପୁର ବ୍ଲକ୍ ପକ୍ଷରୁ ୧୮ଟି ପଂଚାୟତ ସମେତ ମୁନିଷିପେଣ୍ଠ ସ୍ୱାସ୍ଥ୍ୟ କେନ୍ଦ୍ର, ସୁନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ନୋଳିଆ ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ନରେନ୍ଦ୍ରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେଂଟ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ସରକାର ଓ ଜିଲ୍ଲାପାଳଙ୍କ କରୋନାରେ ନେଇଥିବା ନିର୍ଦ୍ଦେଶନାମାକୁ ମାନିବା ପାଇଁ ସମସ୍ତ ପଂଚାୟତ ପ୍ରତିନିଧି ମାନଙ୍କୁ ଅନୁରୋଧ କରିଥିଲେ । ଏହା ସହ ସମସ୍ତ ନିର୍ବାଚିତ ପ୍ରତିନିଧି ମାନେ ଲୋକ ମାନଙ୍କୁ କିପରି କରୋନାରୁ ଦୁରେଇ ରହିବା ନିମନ୍ତେ ଲୋକଙ୍କୁ ବ୍ୟାପକ ଭାବେ ସଚେତନା କରିବା ପାଇଁ ବିଧାୟକ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଏମ. ଧନଜଂୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ, ଜିଲ୍ଲା ପରିଷଦ ସଭ୍ୟ ଏସ. କିଶୋର ରେଡ୍ଡି, ପ୍ରମୋଦ କୁମାର ପ୍ରଧାନ ଓ ଏ. ସୀତାମ୍ମା, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଛତ୍ରପୁର ଏବିଇଓ ନୃସିଂହ ମିଶ୍ରଙ୍କ ସମେତ ସମସ୍ତ ପଂଚାୟତ ପ୍ରତିନିଧି ଏବଂ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସେହିପରି ବୈଠକରେ ଆର୍ଯ୍ୟପଲ୍ଲୀ ଗ୍ରାମ ପଞ୍ଚାୟତ ସରପଂଚ ଏମ୍‌.ଲକ୍ଷ୍ମୀ ଏବଂ ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଜଂୟ ରେଡ୍ଡୀ କହିଥିଲେ କରୋନା ନେଇ ସବୁଆଡେ କଟକଣା କରାଯାଇଥିଲେ ସୁଦ୍ଧା ଗୋପାଳପୁର ବନ୍ଦରରେ ବିଦେଶୀ ଜାହାଜ ଲାଗି ହଜାର ହଜାର ଲୋକକାମ କରୁଛନ୍ତି ଯାହାଫଳରେ ଜନ ଗହଳି ହେଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାସହ ଶହ ଶହ ଟ୍ରକ ଯାତାୟତ ହୋଇ ବହୁ ଜନଗହଳି ହେଉଛି ବୋଲି ମଧ୍ୟ ଆର୍ଯ୍ୟପଲ୍ଲୀ ସରପଂଚ କହିଥିଲେ । ପ୍ରାରମ୍ଭରେ ସମସ୍ତେ ହାତ କୁ ସାନିଟାଇଜର ବ୍ୟବହାର କରି ସମ୍ମିଳନୀ କକ୍ଷ ଭିତରକୁ ପ୍ରବେଶ କରିଥିଲେ । ସମସ୍ତେ ମାସ୍କ ପିନ୍ଧି ବୈଠକରେ ବସିଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ