ଆଜି ବିଶ୍ୱ ରକ୍ତଶିକୁଳି ଦିବସ

ଆସିକା (ୱାଇଏନ୍‍ଏସ୍‍) : ପ୍ରତ୍ୟେକ ବର୍ଷ ଜୁନ୍‍ ମାସ ୧୯ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ରକ୍ତଶିକୁଳି (ବିଶ୍ୱ ସିକିଲସେଲ୍‍ ଡେ) ଦିବସ । ରକ୍ତଶିକୁଳି ରୋଗର କାରଣ ଓ ଲକ୍ଷ୍ୟଣ ଏବଂ ପ୍ରତିରୋଧକ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଜୁନ୍‍ ମାସ ୧୯ ତାରିଖକୁ ବିଶ୍ୱ ରକ୍ତଶିକୁଳି ଦିବସ ରୂପେ ପାଳନ କରାଯାଇଆସୁଛି । ବିଶ୍ୱ ରକ୍ତଶିକୁଳି ଦିବସ ଅବସରରେ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର)ର ଚିକିତ୍ସାଧିକାରୀ ତଥା ଅଭିଜ୍ଞ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇ କହିଛନ୍ତି ରକ୍ତଶିକୁଳି ଏକ ବଂଶଗତ ବେମାରୀ ହୋଇଥିଲା ବେଳେ ଏହା ସାଧାରଣତଃ ରକ୍ତକଣିକାକୁ ଜିଆ ଆକାରରେ ପରିବର୍ତ୍ତନ କରିଦେଇଥାଏ । ଏଣୁ ଏହି ରୋଗର ସଠିକ୍‍ ସମୟରେ ଚିହ୍ନଟ କରି ନବଜାତ ଶିଶୁଙ୍କୁ ସ୍କିନିଂ ଏବଂ ସୁସ୍ଥତା ଲାଗି ପ୍ରୋତ୍ସାହିତ କରିବା ସାଙ୍ଗକୁ ରୋଗୀଙ୍କୁ ଉନ୍ନତ ଚିକିତ୍ସା, ରକ୍ତସଂଚାରଣ, ଯନ୍ତ୍ରଣା ନିବାରଣ ଔଷଧ ପ୍ରଦାନ ସାଙ୍ଗକୁ ସମାଜରେ ସେମାନଙ୍କୁ ସହାନୁଭୁତି ପ୍ରଦର୍ଶନ କରିବାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇଥିଲା ବେଳେ ଶିଶୁଟି ଜନ୍ମ ହେବା ପରେ ଠିକ୍‍ ଭାବରେ ନ ବଢିବା, ବାରମ୍ବାର ଦେହ ଖରାପ ହେବା କିମ୍ବା ରକ୍ତହୀନତା ସମସ୍ୟା ଏହି ରୋଗର ମୁଖ୍ୟ ଲକ୍ଷ୍ୟଣ ବୋଲି ସାଧାରଣତଃ ବିବେଚନା କରାଯାଇପାରିବ । ସିକିଲ୍‍ସେଲ୍‍ ଏକ ଗୁଣସୂତ୍ରଜନିତ (ଜେନେଟିକ୍‍) ରୋଗ ହୋଇଥିବା ବେଳେ ପ୍ରତିବର୍ଷ ବହୁ ଶିଶୁ ନାନା କାରଣରୁ ହିମୋଗ୍ଳୋବିନ୍‍ ତୃଟି ଥାଇ ଜନ୍ମଗ୍ରହଣ କରିଥାନ୍ତି । ରକ୍ତଶିକୁଳି ରୋଗରେ ଗୋଲ୍‍ ଓ ଚେପ୍‍ଟା ଆକାରରେ ଲୋହିତ ରକ୍ତକଣିକା ଅଷ୍ଟମୀ ଚକ୍ର ପରି ହୋଇଥାଏ । ଯାହାରି ଫଳରେ ଏହା ରକ୍ତଶିରା ଓ ଧମନୀରେ ସ୍ୱଚ୍ଛନ୍ଦରେ ପ୍ରଭାବିତ ହେବାରେ ସମସ୍ୟା ସୃଷ୍ଟି ହୋଇଥାଏ ଏବଂ ରୋଗୀକୁ ଯନ୍ତ୍ରଣା ହେବା ସହ ପରବର୍ତ୍ତୀ ସମୟରେ ସଂକ୍ରମଣ ହୋଇ କୋଷସମୂହକୁ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ଥାଏ । ରକ୍ତଶିକୁଳି ରୋଗ ପ୍ରାୟତଃ ମାତାପିତା ଜିନ୍‍ (ଗୁଣସୂତ୍ର) ଦ୍ୱାରା ଅଧିକାଂଶ ପିଲାମାନଙ୍କ ଶରୀରକୁ ଆସିଥାଏ ଓ ଏହା ପିଲାମାନଙ୍କୁ ଗୁରୁତର ଭାବେ ଆକ୍ରାନ୍ତ ବି କରିଥାଏ । ଏହି ରକ୍ତଶିକୁଳି ରୋଗ ସମୂହର ପ୍ରତିରୋଧକ ପାଇଁ ରୋଗାକ୍ରାନ୍ତ ଶିଶୁର ଉପଯୁକ୍ତ ଚିକିତ୍ସା ଓ ପରିଚାଳନା ତଥା ଏହା କିପରି ଶିଶୁକୁ ସଂପୁର୍ଣ୍ଣ ସୁସ୍ଥ କରିପାରିବ ସେଥିପାଇଁ ସମସ୍ତେ ସଚେତନ ହେବା ଜରୁରୀ । ବିଶ୍ୱ ରକ୍ତଶିକୁଳି ଦିବସ ଅବସରରେ ଶିଶୁମାନଙ୍କ ସ୍ୱାସ୍ଥ୍ୟର ସୁସ୍ଥତାକୁ ସର୍ବାଧିକ ଅଗ୍ରାଧିକାର ଦେଇ ସେମାନଙ୍କ ଜୀବନ ଶୈଳୀକୁ ସ୍ୱାସ୍ଥ୍ୟ ଅନୁକୂଳ ରଖିବା ପାଇଁ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ