ଅନାମିକା ଆଙ୍ଗୁଠିରେ କାହିଁକି ପିନ୍ଧାଯାଏ ନିର୍ବନ୍ଧ ମୁଦି?
(ଯୁଗାବ୍ଦ ନ୍ୟୁଜ) , ସାଧାରଣତଃ ନିର୍ବନ୍ଧ ମୁଦିକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ । ଏହା ବ୍ୟକ୍ତିଙ୍କୁ ସେହି ପ୍ରତିଜ୍ଞାକୁ ମନେ ପକାଇ ଦେଇଥାଏ, ଯାହାକୁ ଦୁଇ ଜଣ ମିଶି ଏକା ସହିତ ଜୀବନ ବିତାଇବାକୁ ନେଇଥାନ୍ତି । ଭାରତରେ ବିବାହ ପୂର୍ବର ସମସ୍ତ ବିଧି ଓ ନିୟମ ବହୁ ଖାସ୍ ହୋଇଥାଏ । ହିନ୍ଦୁ ଧର୍ମାନୁଯାୟୀ, ନିର୍ବନ୍ଧକୁ ସମ୍ବନ୍ଧ ଠିକ୍ ହେବାର ପ୍ରଥମ ପ୍ରମାଣ ବୋଲି ଧରାଯାଇଥାଏ । ବିବାହ ପୂର୍ବରୁ ପୁଅ-ଝିଅ ଦୁହେଁ ଦୁହିଁଙ୍କୁ ମୁଦି ପିନେ୍ଧଇବାର ଅର୍ଥ ଜଣେ ଅନ୍ୟ ଜଣଙ୍କୁ ନିଜର ଜୀବନସାଥୀ ରୂପେ ଗ୍ରହଣ କରିବା । ସେଥିପାଇଁ ନିର୍ବନ୍ଧ ମୁଦିକୁ ଅନାମିକା ଆଙ୍ଗୁଳିରେ ପିନ୍ଧାଯାଇଥାଏ । ହିନ୍ଦୁ ଧର୍ମର ଅନୁସାରେ ଏହା ପ୍ରେମର ପ୍ରତୀକ କୁହାଯାଇଥିବାବେଳେ ବୈଜ୍ଞାନିକ ମତରେ ଏହି ଆଙ୍ଗୁଳିର ଏକ ଶିରା ହୃଦୟ ସହ ଯୋଡ଼ି ହୋଇଥାଏ । ନିର୍ବନ୍ଧରେ ସାଧାରଣତଃ ଦୁଇଟି ମନର ମିଳନ ହେବା ସହ ଦୁଇଟି ପରିବାରର ମିଳନ ହୋଇଥାଏ ବୋଲି ମାନ୍ୟତା ରହିଛି । ଏହି ମାନ୍ୟତା କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ରହିଛି । ରୋମରେ ଅନାମିକା ଆଙ୍ଗୁଠିର ଗୋଟିଏ ଧମନୀ ଯାଇ ସିଧା ହୃଦୟ ସହ ସଂଯୋଗ ହୋଇଛି ବୋଲି ବିଶ୍ୱାସ ରହିଛି । ଏହି କାରଣରୁ ସେଠାରେ ଏହାକୁ “ଭେନ ଆମରିଜ’ ବା ଭେନ ଅଫ୍ ଲଭ କୁହାଯାଏ । ସେଥିପାଇଁ ଏହି ଆଙ୍ଗୁଳିରେ ମୁଦି ପିନ୍ଧାଇବାକୁ ଶୁଭ ମନାଯାଇଥାଏ । ଏଠାରେ ଏହି ମାନ୍ୟତା ସବୁଠାରୁ ପୁରୁଣା ଓ ଖୁବ୍ ଲୋକପ୍ରିୟ ବୋଲି ଚର୍ଚ୍ଚା ହୁଏ ।


