ହାଇକୋର୍ଟର ଅବକାଶ ମଧ୍ୟରେ ୧୪ ଶହରୁ ଅଧିକ ମାମଲାର ହୋଇଛି ଫଇସଲା
କଟକ(ଓ୍ବାଇଏନଏସ): ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଥିଲା । କିନ୍ତୁ ଏହି ଅବକାଶରେ ବି ହାଇକୋର୍ଟରେ ମାମଲା ଶୁଣାଣିରେ ଛୁଟି ନଥିଲା । ସାଧାରଣ ଲୋକଙ୍କ ପାଇଁ ଅଦାଲତଙ୍କ ଦ୍ୱାର ଯେ ସବୁବେଳେ ଖୋଲା ତାହା ଅବକାଶକାଳୀନ ଅଦାଲତରେ ମାମଲା ସମାଧାନରୁ ପ୍ରମାଣିତ ହୋଇପାରିଛି । ଏହି ସମୟରେ ଯେଉଁ ଅଳ୍ପ କେତୋଟି ଦିନ ଅଦାଲତ ବସିଥିଲା ସେଥିରେ ବିଚାରପତିମାନେ ମାମଲା ସମାଧାନ କରିବାରେ ଆଗରେ ରହିଛନ୍ତି । ଏମିତିକି ଗୋଟେ ଗୋଟେ ଦିନରେ ଯେତିକି ମାମଲା ପଞ୍ଜୀକରଣ ହୋଇଛି ସେସବୁର ଫଏସଲା ବାଦ୍ ବିଚାରପତିମାନେ ପୁରୁଣା ମାମଲାର ସମାଧାନ ମଧ୍ୟ କରିଛନ୍ତି । ପଂଜୀକୃତ ମାମଲାରୁ ଏହି ସମୟ ଭିତରେ ୧୪୬୦ଟି ମାମଲାର ସମାଧାନ ହୋଇପାରିଥିବା ତଥ୍ୟ ମିଳିଛି । ଚଳିତ ଗ୍ରୀଷ୍ମ ଅବକାଶ ଭିତରେ ମେ’ ୨୬ରୁ ଜୁନ୍ ୧୯ ତାରିଖ ମଧ୍ୟରେ ୮ ଟି ଅବକାଶକାଳୀନ ଅଦାଲତ ବସିଥିଲା । ଏଥିରେ ମୋଟ୍ ୨ ହଜାର ୯୮୩ଟି ମାମଲା ଶୁଣାଣି ପାଇଁ ପଞ୍ଜୀକୃତ ହୋଇଥିଲା । ଏଥିରୁ ୧୪୬୦ଟି ମାମଲାର ସମାଧାନ ହୋଇଛି । ୧୯ ତାରିଖ ଅବକାଶକାଳୀନ ଅଦାଲତରେ ଗୋଟେ ଦିନରେ ସର୍ବାଧିକ ୪୦୯ଟି ମାମଲାର ସମାଧାନ ହୋଇପାରିଛି । ଏହି ଦିନ ୩୧୬ଟି ମାମଲା ଶୁଣାଣି ପାଇଁ ପଞ୍ଜୀକୃତ ହୋଇଥିଲା । ସେହିପରି ଗତ ୧୭ ତାରିଖ ଅବକାଶକାଳୀନ ଅଦାଲତରେ ୩୧୪ଟି ମାମଲା ଶୁଣାଣି ପାଇଁ ପଞ୍ଜୀକୃତ ହୋଇଥିଲା । ଏହିଦିନ ୩୧୪ଟି ମାମଲା ସମାଧାନ ହେବା ସହ ଅଧିକ ୪ଟି ପୁରୁଣା ମାମଲାର ସମାଧାନ ହୋଇଛି । ଗତ ୧୨ ତାରିଖ ଅବକାଶକାଳୀନ ଅଦାଲତରେ ୩୯୫ଟି ମାମଲା ଶୁଣାଣି ପାଇଁ ପଞ୍ଜୀକୃତ ହୋଇଥିଲା । ଏଥିରୁ ୩୨୬ଟି ମାମଲାର ସମାଧାନ କରାଯାଇଛି । ଗତ ୯ ତାରିଖରେ ଅନୁଷ୍ଠିତ ଅବକାଶକାଳୀନ ଅଦାଲତରେ ୨୯୫ଟି ମାମଲା ଶୁଣାଣି ପାଇଁ ପଞ୍ଜୀକରଣ କରାଯାଇଥିଲା । ଏଥିରୁ ୨୭୪ଟି ମାମଲାର ସମାଧାନ ହୋଇପାରିଛି । ଅନ୍ୟ ଅବକାଶକାଳୀନ ଅଦାଲତରେ ବହୁ ସଂଖ୍ୟାରେ ମାମଲାର ସମାଧାନ ହୋଇଛି । ଚଳିତ ଗ୍ରୀଷ୍ମ ଅବକାଶରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ କେ.ଆର୍. ମହାପାତ୍ର, ଜଷ୍ଟିସ୍ ସାବିତ୍ରୀ ରଥ, ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର, ଜଷ୍ଟିସ୍ ଭି. ନରସିଂହ, ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ, ଜଷ୍ଟିସ୍ ଏମ୍.ଏସ୍. ରମଣ, ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ପ୍ରମୁଖ ବିଭିନ୍ନ ବେଞ୍ଚ୍ରେ ଏବଂ ଜଣକିଆ ଇଜିଲାସ୍ରେ ମାମଲାର ଶୁଣାଣି କରିଥିଲେ । ଏହି ପରିପ୍ରେକ୍ଷୀରେ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ଲ’ କମିସନ ସଦସ୍ୟ ସୌରଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ହାଇକୋର୍ଟରେ ଅବକାଶକାଳୀନ ଅଦାଲତରେ ଏତେ ସଂଖ୍ୟକ ମାମଲାର ସମାଧାନ ଏକ ଭଲ ସୂଚନା । ଅବକାଶକାଳୀନ ଅଦାଲତରେ ବିଚାରପତିମାନେ ଏତେ ସଂଖ୍ୟକ ମାମଲାକୁ ଶୁଣିବା ପାଇଁ ଗ୍ରହଣ କରିବା ଏବଂ ଏହାର ସମାଧାନ ପାଇଁ ଉଦ୍ୟମ କରିବା ନିଶ୍ଚିତ ଭାବରେ ନ୍ୟାୟ ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ୱାସକୁ ମଜଭୁତ୍ କରିବ । ପୁରୁଣା ମାମଲାର ବୋଝ ମଧ୍ୟ ଏହାଦ୍ୱାରା ହାଲୁକା ହୋଇପାରିବ । ହାଇକୋର୍ଟଙ୍କ ଏଭଳି କାର୍ଯ୍ୟ ନିମ୍ନ ଅଦାଲତଙ୍କ ପାଇଁ ଉଦାହରଣ ଓ ଅନୁକରଣୀୟ ହେବ ବୋଲି ଶ୍ରୀ ମହାପାତ୍ର ଆଶା ବ୍ୟକ୍ତ କରିଛନ୍ତି । ହାଇକୋର୍ଟ ବାର୍ ଆସୋସିଏସନ୍ର ସଭାପତି ଲଲାଟେନ୍ଦୁ ସାମନ୍ତରାୟ ଅବକାଶକାଳୀନ ଅଦାଲତରେ ମାମଲାର ସମାଧାନକୁ ନେଇ ଖୁସବ୍ୟକ୍ତ କରଛନ୍ତି । ବିଚାରପତିମାନେ ମାମଲା ଶୁଣାଣି ପାଇଁ ଅଧିକ ଆଗ୍ରହ ଦେଖାଇବା ଦ୍ୱାରା ଏହା ସମ୍ଭବ ହୋଇପାରିଛି । ଅବକାଶରେ ଅଧିକ ବେଞ୍ଚ୍ ବସିଛି । ବିଚାରପତିମାନଙ୍କ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇଛି । ଏହି ପଦକ୍ଷେପ ଭବିଷ୍ୟତରେ ଆହୁରି ଅଧିକ ମାମଲା ସମାଧାନ ପାଇଁ ରାସ୍ତା ଉନ୍ମୁକ୍ତ କରିବ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି ।


