ଚାଇନାକୁ ଲେଉଟିଲା କରୋନା : ଆଉ ୭୮ ପଜିଟିଭ
ବେଜିଂ : ପାଞ୍ଚ ଦିନ ଧରି ଚାଇନାରେ ଗୋଟିଏ ବି ନୂତନ କରୋନା ପଜିଟିଭ କେଶ ଦେଖିବାକୁ ମିଳିନଥିଲା । ଫଳରେ ଚାଇନାରୁ କରୋନା ହଟୁଛି ବୋଲି ଏକ ବାର୍ତ୍ତା ଖେଳି ଯାଇଥିଲା । କିନ୍ତୁ ଆଜି ଗୋଟିଏ ଦିନରେ ୭୮ ବ୍ୟକ୍ତିଙ୍କ ଦେହରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ତେବେ ଏମାନଙ୍କ ମଧ୍ୟରୁ ୭୪ ଜଣ ବିଦେଶରୁ ଆସିଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଗତବର୍ଷ ଡିସେମ୍ବରରୁ ଚାଇନାର ଉହାନ ସହରରେ କରୋନା ବ୍ୟାପିବା ଆରମ୍ଭ କରିଥିଲା । ଏବେ ଏହା ବିଶ୍ୱର ପ୍ରାୟ ୧୯୦ ଦେଶକୁ ଛୁଇଁସାରିଛି । ଚୀନରେ କରୋନା ଯୋଗୁଁ ୩୨୭୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮୧ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ଅଛନ୍ତି । ଅପରପକ୍ଷରେ ଚାଇନା ତୁଳନାରେ ଇଟାଲୀର ଅବସ୍ଥା ସଂକଟାପନ୍ନ ହୋଇଯାଇଛି । ବିଶ୍ୱରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାରେ ଖ୍ୟାତି ଅର୍ଜନ କରିଥିବା ଇଟାଲୀରେ ଏବେ ଚାଇନାଠାରୁ ମଧ୍ୟ ଅଧିକ ଲୋକଙ୍କର ମୃତ୍ୟୁ ଘଟିସାରିଛି ।


