ବିରୋଧୀ ନେତା ପାକିସ୍ତାନର ପୋଷ୍ଟର ବଏ ସାଜିଛନ୍ତି: ମୋଦି ରାଜୀବ ଗାନ୍ଧିଙ୍କ ହତ୍ୟାକୁ କଂଗ୍ରେସ କ’ଣ କହିବ?

ଭୋପାଳ/ନୂଆଦିଲ୍ଲୀ(ଏଜେନ୍ସି): ଫେବ୍ରୁଆରୀ ୧୪ରେ ହୋଇଥିବା ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣକୁ ଏକ ଦୁର୍ଘଟଣା ବୋଲି ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂହ କହିବାର କିଛି ସମୟ ମଧ୍ୟରେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ ଏହା ଉପରେ କଡା ପ୍ରତିକ୍ରିୟା ରଖିଛନ୍ତି । ଭିକେ ସିଂହ କହିଛନ୍ତି, ଦିଗ୍ବିଜୟ ଯଦି ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଏକ ଦୁର୍ଘଟଣାର ଆଖ୍ୟା ଦେଉଛନ୍ତି, ତେବେ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକୁ କଂଗ୍ରେସ କ’ଣ କହିବ? ରାଜୀବ ଗାନ୍ଧିଙ୍କ ହତ୍ୟାକୁ ମଧ୍ୟ ଏକ ଦୁର୍ଘଟଣା ବୋଲି କଂଗ୍ରେସ ମାନିବାକୁ ପ୍ରସ୍ତୁତ ତ? ଏସମ୍ପର୍କରେ କଂଗ୍ରେସ ପ୍ରଥମେ ନିଜ ମତ ସ୍ପଷ୍ଟ କରୁ । ସେହିପରି ଦିଗ୍ବିଜୟଙ୍କ ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଜି ତାଙ୍କ ସମେତ ପୂରା କଂଗ୍ରେସ ଉପରେ ବର୍ଷିଛନ୍ତି ।
ମଧ୍ୟପ୍ରଦେଶର ଧର୍ ଠାରେ ଆୟୋଜିତ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ଅବସରରେ ମୋଦି କହିଛନ୍ତି, ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଏକ ଦୁର୍ଘଟଣାର ଆଖ୍ୟା ଦେବାର ସିଧାସଳଖ ଅର୍ଥ ପାକିସ୍ତାନକୁ କ୍ଲିନ୍ଚିଟ୍ ଦେବା । କଂଗ୍ରେସର ଏପ୍ରକାର ବିବାଦୀୟ ମନ୍ତବ୍ୟ ଆଜି ପ୍ରଥମ ଥର ପାଇଁ ନୁହେଁ ଏହା ପୂର୍ବରୁ ମଧ୍ୟ ମଧ୍ୟ କଂଗ୍ରେସ ନେତାମାନେ ଏପ୍ରକାର ମନ୍ତବ୍ୟ ଦେଇସାରିଛନ୍ତି । ଏହା ପୂର୍ବରୁ ଉରି, ପଠାନ୍କୋଟ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ମଧ୍ୟ ଦିଗ୍ବିଜୟ ସିଂହ ଦୁର୍ଘଟଣା ବୋଲି କହିଥିଲେ । ଏପରିକି ୨୬/୧୧ ମୁମ୍ବାଇ ଆତଙ୍କବାଦୀ ହାମ୍ଲାକୁ ମଧ୍ୟ ଏକ ଦୁର୍ଘଟଣା ବୋଲି ଦିଗ୍ବିଜୟଙ୍କ ସମେତ ବହୁ କଂଗ୍ରେସ ନେତା କହିଥିଲେ । ଏବେ ଦିଗବିଜୟ ପୁଣି ଥରେ ତାଙ୍କର ସେହି ପୁରୁଣା ଅଭ୍ୟାସର ପୁନରାବୃତ୍ତି କରିବାକୁ ଚେଷ୍ଟା କରୁଛନ୍ତି । ବିରୋଧୀ ନେତା ଏବେ ପାକିସ୍ତାନର ପୋଷ୍ଟର ବଏ ସାଜିଥିବା ହୃଦ୍ବୋଧ ହେଉଛି । ପୁଲୱାମା ହାମ୍ଲାକୁ ଦୁର୍ଘଟଣା କହୁଥିବା ଲୋକ ଓସାମାକୁ ଶାନ୍ତିଦୂତ ମାନୁଥିଲେ ବୋଲି ମୋଦି ଆକ୍ଷେପ କରିଛନ୍ତି । ତେବେ ଏପ୍ରକାର ବିବାଦୀୟ ମନ୍ତବ୍ୟ ଦେଉଥିବା କଂଗ୍ରେସର ନେତାମାନେ ଭଲଭାବେ ମନେ ରଖନ୍ତୁ ଯେ, ସେମାନଙ୍କ ଶାସନ କାଳରେ ଆତଙ୍କବାଦୀ ଆକ୍ରମଣକୁ ଦୁର୍ଘଟଣା ବୋଲି କୁହାଯାଉଥାଇପାରେ କିନ୍ତୁ ଏହି ମୋଦି ସରକାରରେ ସେସବୁ ଚଳିବନି । ଆତଙ୍କବାଦକୁ ମୋଦି ସରକାର କଦାପି ପ୍ରଶୟ ଦେଇନାହିଁ କିମ୍ବା ଆଗକୁ ମଧ୍ୟ ଦେବ ନାହିଁ । ମୋଦି କହିଛନ୍ତି ଯେ, ଆତଙ୍କବାଦ ପ୍ରସଙ୍ଗରେ ତାଙ୍କ ନୀତି ସ୍ପଷ୍ଟ, ଯିଏ ତାଙ୍କ ଘର (ଭାରତ) ଉପରେ ଆକ୍ରମଣ କରିବ, ସେ ତା’ ଘରେ ପଶି ତା’କୁ ମାରିବେ । ଏପ୍ରକାର ମନ୍ତବ୍ୟ ଦେଇ ଦେଶକୁ, ଦେଶବାସୀଙ୍କୁ ଏବଂ ସର୍ବୋପରି ନିଜ ସେନାବାହିନୀଙ୍କୁ ଏପ୍ରକାର ଅପମାନିତ ନକରିବାକୁ ମୋଦି ଚେତାବନୀ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର କଂଗ୍ରେସ ପକ୍ଷରୁ ବାୟୁସେନା ଦ୍ୱାରା କରାଯାଇଥିବା ଏୟାରଷ୍ଟ୍ରାଇକ୍ର ପ୍ରମାଣ ମଗାଯିବାକୁ ତୀବ୍ର ନିନ୍ଦା କରିଛନ୍ତି । ଯେଉଁ ବିରୋଧୀ ଦଳ ନେତାମାନେ ଏୟାରଷ୍ଟ୍ରାଇକ୍ ଉପରେ ପ୍ରମାଣ ମାଗୁଛନ୍ତି ସେମାନେ ବାଲାକୋଟ୍ ଯାଇ ଆତଙ୍କବାଦୀଙ୍କ ମୃତଦେହ ଗଣନ୍ତୁ ବୋଲି ସେ କହିଛନ୍ତି । ତେବେ ଏସବୁ ମଧ୍ୟରେ ଦିଗ୍ବିଜୟ ସିଂହଙ୍କ ମନ୍ତବ୍ୟକୁ ନେଇ ସମଗ୍ର ଦେଶରେ ବିରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ