କବାଟ ତାଡ଼ି ଲୁଟେରା ଲୁଟିଲେ ୨୨ ଭରି ସୁନା ଅଳଙ୍କାର ସମେତ ନଗଦ ଟଙ୍କା
ହିଂଜିଳିକାଟୁ (ଶେଷଦେବ ସାହୁ): ଗତ କିଛି ଦିନର ବ୍ୟବଧାନ ପରେ ଗଂଜାମ ଜିଲ୍ଲା ହିଂଜିଳିକାଟୁ ଅଂଚଳରେ ପୁଣିଥରେ ଲୁଟେରାଙ୍କ ପାର୍ଦୁଭାବ ଦେଖାଦେଇଛି । ବୁଧବାର ବିଳମ୍ବିତ ରାତିରେ ହିଂଜିଳି ଥାନା ସିକିରି ଗ୍ରାମରେ ଲୁଟେରା ମାନେ ଜୈନିକ ବ୍ୟକ୍ତିଙ୍କ ଘରର ବାରିପଟ କବାଟ ତାଡ଼ି ଘର ମଧ୍ୟରେ ପଣି ଆଲମିରା ଭାଙ୍ଗି ୨୨ ଭରି ଓଜନର ସୁନା ଅଳଙ୍କାର ସମେତ ୧୫ ହଜାର ଟଙ୍କା ଓ ଅନ୍ୟାନ ଆସବାବ ପତ୍ର ଲୁଟ କରି ଫେରାର ହେବାରେ ସକ୍ଷମ ହୋଇଛନ୍ତି । ଏ ନେଇ ନଂ- ୧୪୦/୧୯ ରେ ହିଂଜିଳି ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି ।
ପ୍ରକାଶ ଯେ, ବୁଧବାର ରାତି ପ୍ରାୟ ୧୧ ଟା ରେ ହିଂଜିଳି ଥାନା ସିକିରି ଗ୍ରାମ ପାରି ସାହି ବାସିନ୍ଦା ଗୋପାଳ ପଣ୍ଡାଙ୍କ ପରିବାର ଭୂବନେଶ୍ୱର ଯାଇଥିଲେ । ରାତି ପ୍ରାୟ ୧୨ ଟା ପରେ ବୃଦ୍ଧ ଦମ୍ପତି ଶୋଇ ପଡ଼ିଥିଲେ । ବିଳମ୍ବିତ ରାତିରେ କିଛି ଲୁଟେରା ଘରର ବାରିପଟ କବାଟ ତାଡ଼ି ଘର ମଧ୍ୟରେ ପଶି ମଝି ଘର ମଧ୍ୟରେ ଥିବା ଆଲମିରାକୁ ଭାଙ୍ଗି ଆଲମିରା ମଧ୍ୟରେ ଥିବା ପ୍ରାୟ ୨୨ ଭରି ଓଜନର ସୁନା ଅଳଙ୍କାର ମଧ୍ୟରେ ଥିବା ଗୋଟିଏ ରାଣୀ ହାର, ଗୋଟିଏ ହାର, ଗୋଟିଏ ନାନୁ ମାଳ, ୨ ଟି ଚେନ୍, ୧୦ ଟି ମୁଦି, ୨ ଟି ଝିକା, କାନର ୬ ହଳ, ୬ ପଟ ରୁଲି ଚୁଡ଼ି ସମେତ ନଗଦ ୧୫ ହଜାର ଟଙ୍କା , ୨ ହଳ ଦାମୀ ପାଟ ଲୁଗା ଓ ଅନ୍ୟାନ ଆସବାବ ପତ୍ର ଲୁଟ କରି ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ । ଗୁରୁବାର ପ୍ରାତଃହରୁ ବୃଦ୍ଧ ଦମ୍ପତି ନିଦରୁ ଉଠିବା ପରେ ଘରର ଆଲମାରୀ ଭାଙ୍ଗି ପଡ଼ିବା ସହ ଆଲମାରୀ ମଧ୍ୟରେ ଥିବା ଆସବାବ ପତ୍ର ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିବା ଦେଖି ଚୋରୀ ହୋଇଥିବା ଜାଣିପାରି ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ଘଟଣା ସ୍ଥଳରେ ପୁଲିସ ଓ ସାଇଂଟଫିକ୍ ଟିମ ପଂହଚି ଘଟଣାର ତଦନ୍ତ ଚଳାଇଛନ୍ତି । ସାଇଂଟଫିକ୍ ଟିମ ସହାୟତାରେ ଘର ମଧ୍ୟରେ ପଡ଼ିଥିବା ସୁଟକେଶ ଉପରୁ ଫିଙ୍ଗରପ୍ରିଟଂ ମିଳିଥିବାର ଲୁଟେରାଙ୍କୁ ଅତିଶୀଘ୍ର ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।


