ଅଧିଷ୍ଟାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ସୁନାବେଶ ଦର୍ଶନ କରି ଭକ୍ତ ଭାବବିହ୍ୱଳ

ଆସିକା  (ୱାଇଏନ୍‍ଏସ୍‍) : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠଗୁଡ଼ିକ ମଧ୍ୟରୁ ଆସିକା ଅଞ୍ଚଳର ଆରାଧ୍ୟ ଦେବୀ ମା ଖମ୍ବେଶ୍ୱରୀ ଅନ୍ୟତମ । କେଉଁ ଆବାହମାନ କାଳରୁ ମା ଖମ୍ବେଶ୍ୱରୀଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ନବରାତ୍ର ପୂଜା ଅନୁଷ୍ଠିତ ହୋଇଆସୁଛି । ଏହି ଅବସରରେ ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ ମା ଖମ୍ବେଶ୍ୱରୀଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ । ନବରାତ୍ରୀ ପୂଜା ଅବସରରେ ଶନିବାର ପବିତ୍ର ସପ୍ତମୀ ତିଥିରେ ଆସିକାର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ଦୁର୍ଲଭ ସୁନାବେଶ ଦର୍ଶନ କରି ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଥିଲା । ମା ଖମ୍ବେଶ୍ୱରୀଙ୍କ ଏହି ଅପୂର୍ବ ବେଶ ଦର୍ଶନ କରି ଭକ୍ତ ନିଜକୁ ଧନ୍ୟ ମଣୁଥିବା ବେଳେ ଆଉ କିଛି ଭକ୍ତ ବିଭୋର ହୋଇ ପଡ଼ୁଥିବା ଲକ୍ଷ୍ୟ କରାଯାଇଛି । ମନ୍ଦିର ପରିସରରେ ଭକ୍ତଙ୍କ ଅସମ୍ଭବ ଭିଡ଼କୁ ଦୃଷ୍ଟିରେ ରଖି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଂଜନ ପ୍ରଧାନ ଓ ଥାନା ଅଧିକାରୀ ସୁଧିର କୁମାର ସାହୁଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳା ରକ୍ଷାଲାଗି ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମା ଖମ୍ବେଶ୍ୱରୀଙ୍କ ମହିମା ଉପରେ ଭକ୍ତଙ୍କ ଅଗାଢ଼଼ ବିଶ୍ୱାସ ଥିବାରୁ ଦୂର ଦୂରାନ୍ତରୁ ଶହ ଶହ ଭକ୍ତ ଏହି ନବରାତ୍ର ସମୟରେ ଖମ୍ବେଶରୀ ପୀଠକୁ ଆସିଥାନ୍ତି । ନବରାତ୍ର ପୂଜା ସମୟରେ ମା ଙ୍କୁ ଦର୍ଶନ କଲେ ଅଧିକ ପୂଣ୍ୟମିଳେ ବୋଲି ଲୋକପ୍ରଥା ପ୍ରଚଳିତ ଥିବାରୁ ଏହି ପୀଠରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଲାଗିଥାଏ । ମା ଖମ୍ବେଶ୍ୱରୀଙ୍କ ମହିମା ଯୁଗେ ଯୁଗେ ବର୍ଣ୍ଣନାତୀତ । ବର୍ଷକର ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ନବରାତ୍ରୀ ପୂଜାର ଏକ ସ୍ୱତନ୍ତ୍ରତା ରହିଛି । ନବରାତ୍ରୀ ଅବସରରେ ଅଧିଷ୍ଠାତ୍ରୀ ଦେବୀ କରୁଣାମୟୀ ଭକ୍ତବତ୍ସଳା ମା ଖମ୍ବେଶ୍ୱରୀଙ୍କ ଶକ୍ତିପୀଠରେ ଚଣ୍ଡିପାଠ, ହୋମଯଜ୍ଞ ତଥା ବିଶେଷ ପୂଜାର୍ଚ୍ଚନା ଚାଲୁଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବାବେଳେ ସଂନ୍ଧ୍ୟା ଆଳତୀ ସମୟରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଶଙ୍ଖ ଧ୍ୱନୀ, ହୁଳହୁଳି ଓ ଘଣ୍ଟଢ଼ୋଲର ତାଳେ ତାଳେ ଶ୍ରଦ୍ଧାଳୁ ଭକ୍ତମାନେ ବିମୋହିତ ହୋଇପଡ଼ୁଥିଲା ବେଳେ ମନ୍ଦିର ଭିତରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି। ଓଡିଶାର ସାଂସ୍କୃତିକ ଏନ୍ତୁଡିଶାଳ ରୂପେ ପରିଚିତ ଥିବା ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଆଧ୍ୟାତ୍ମିକ ଚେତନାକୁ ନେଇ ବାର ମାସରେ ତେର ପର୍ବ ପାଳିତ ହୋଇଆସୁଛି । ଭାରତବର୍ଷରେ ଶକ୍ତି ଉପାସନାର ପରମ୍ପରା ଅତି ପ୍ରାଚୀନ । ଆସିକା ସହରର ଖମ୍ବେଶ୍ୱରୀ ପାଟଣାରେ ପୂଣ୍ୟତୋୟା ଋଷିକୁଲ୍ୟା ନଦୀତଟରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ମା ଖମ୍ବେଶ୍ୱରୀଙ୍କ ପୀଠ ଅନ୍ୟତମ । ମା ଖମ୍ବେଶ୍ୱରୀଙ୍କ ଅନେକ ମହିମା ରହିଛି । ଏହି ପୀଠରେ ଭକ୍ତ ଯଦି ନିଜ ହୃଦୟରେ ଥରେ ମା ଙ୍କୁ ଡାକିଥାଏ ଓ ମନ୍ଦିର ପରିସରରେ ଦୀପଟିଏ ଜଳାଇଥାଏ ତାହାହେଲେ ମା ଖମ୍ବେଶ୍ୱରୀ ନିଶ୍ଚିତ ଭାବେ ଭକ୍ତର ମନକଥା ଶୁଣିଥାନ୍ତି ବୋଲି ବିଶ୍ୱାସ ରହିଛି । ଜଗତଜନନୀ, ଶକ୍ତିପ୍ରଦାୟିନୀ, ମାତୃଶକ୍ତି, କରୁଣାମୟୀ, ଆଦିଶକ୍ତି ମା ଖମ୍ବେଶ୍ୱରୀ ଠାକୁରାଣୀଙ୍କ ଇତିହାସ ପ୍ରାଚୀନ । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାନଙ୍କ ମଧ୍ୟରେ ଆସିକାର ମା ଖମ୍ବେଶ୍ୱରୀଙ୍କ ପୀଠ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଏକ ଅନ୍ୟତମ ଆକର୍ଷଣ । ବର୍ଷତମାମ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶ୍ରଦ୍ଧାଳୁମାନେ ମା ଖମ୍ବେଶ୍ୱରୀଙ୍କ ଦର୍ଶନ ଓ ଆଶିଷ ଲାଭ କରିବା ନିମନ୍ତେ ଆସିଥାନ୍ତି । ତେବେ ପୂର୍ବ ପରମ୍ପରା ଓ ବିଧିବିଧାନ ଅନୁଯାୟୀ ମା ଖମ୍ବେଶ୍ୱରୀଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ବେଳେ ନବରାତ୍ରୀ ସମୟରେ ମା ଖମ୍ବେଶ୍ୱରୀଙ୍କ ନଅ ଦିନ ବ୍ୟାପୀ ସ୍ୱତନ୍ତ୍ର ପୂଜା କରାଯାଉଥିଲା ବେଳେ ସପ୍ତମୀ, ଅଷ୍ଟମୀ ଓ ନବମୀ ତିଥିରେ ମା ଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥାଏ । ଆସିକାର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ଉତ୍ପତ୍ତି ଓ ଆବିର୍ଭାବ ସମ୍ବନ୍ଧରେ ବହୁ ପୁରାଣ ବର୍ଣ୍ଣିତ କଥା, ଉପକଥା, କିମ୍ବଦନ୍ତୀ ଓ ଲୋକକଥା ସାଧାରଣରେ ପ୍ରଚଳିତ ରହିଛି । ଦଶହରା ପର୍ବ ଠାରୁ ଆରମ୍ଭ କରି ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାରରେ ଏହି ଶକ୍ତିପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତଙ୍କ ସୁଅ ଛୁଟିଥିବା ବେଳେ ନବରାତ୍ର ସମୟରେ ମା ଙ୍କ ପୀଠରେ ଅସମ୍ଭବ ଭିଡ ହୋଇଥାଏ । ମନ୍ଦିର ପରିଚାଳନା କମିଟି ସଂପାଦକ ତଥା ଆଧ୍ୟାତ୍ମିକପ୍ରେମୀ ସଚ୍ଚିଦାନନ୍ଦ ଖଟେଇ ଏବଂ ଯାତ୍ରା ପରିଚାଳନା କମିଟି ସଭାପତି ନିମାଇଁ ଚରଣ ପାଣିଗ୍ରାହୀଙ୍କ ସମେତ ଶ୍ରଦ୍ଧାଳୁ ଭକ୍ତମାନେ ଏହି ଶାରଦୀୟ ନବରାତ୍ରୀ ପୂଜାକୁ ସୁପରିଚାଳନା ପାଇଁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରିଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ଶ୍ରଦ୍ଧାଳୁ ଭକ୍ତ ନିଜର ମାନସିକ ପୂରଣ ପାଇଁ ଏହି ଖମ୍ବେଶ୍ୱରୀ ପୀଠକୁ ଆସିଥାନ୍ତି । ଆରାଧ୍ୟ ଦେବୀ ମା ଖମ୍ବେଶ୍ୱରୀଙ୍କ ପୀଠରେ ଦୀର୍ଘ ନଅଦିନ ଧରି ଅନୁଷ୍ଠିତ ହେଉଥିବା ଏହି ନବରାତ୍ରୀ ପୂଜାକୁ ବିଧିବିଧାନ ଅନୁଯାୟୀ ସଂପନ୍ନ କରିବା ଲାଗି ମୁଖ୍ୟ ପୁରୋହିତ ଭାବେ ଛତ୍ରପୁର ନିକଟସ୍ଥ ସିଙ୍ଗିପୁର ଗ୍ରାମର ବିଦ୍ୱାନ ପଣ୍ଡିତ ତଥା କର୍ମକାଣ୍ଡ ବାଚସ୍ପତି ମହେନ୍ଦ୍ର କୁମାର ଶତପଥି ଓ ସହଯୋଗୀ ପଣ୍ଡିତ ଭାବେ କବିସୂର୍ଯ୍ୟନଗର ନିକଟସ୍ଥ ଜରଡ ଗ୍ରାମର ସନ୍ତୋଷ କୁମାର ତ୍ରିପାଠୀ ଓ ଚଣ୍ଡୀପାଠକ ଭାବେ ବ୍ରହ୍ମପୁର ଅଞ୍ଚଳର ରାଜେନ୍ଦ୍ର ପାଢୀ ନିଷ୍ଠାର ସହ ରହି ଦାୟିତ୍ୱ ତୁଲାଉ ଥିବା ଦେଖିବାକୁ ମିଳୁଛି। ମା ଖମ୍ବେଶ୍ୱରୀଙ୍କ ପୀଠରେ ଅନୁଷ୍ଠିତ ହେଉଥିବା ଏହି ନବରାତ୍ରୀ ପୂଜାକୁ ସୁପରିଚାଳନା କରିବା ଦିଗରେ ମନ୍ଦିର ପୂଜକ ସନ୍ୟାସୀ ମୁନି, ଗଣପତି ମୁନି, ନରସିଂହ ମୁନି, ସତ୍ୟନାର‌୍ୟାୟଣ ମୁନି, ସିମାଂଚଳ ମୁନି, ମାଧବ ମୁନି, ଭିକାରୀ ମୁନି, ସଂଜୟ ମୁନି, ପ୍ରମୋଦ ମୁନି, ଶ୍ରୀକାନ୍ତ ମୁନି, ନୀଳମାଧବ ମୁନି, ସନ୍ତୋଷ ମୁନି, ଅରବିନ୍ଦ ମୁନି, ସିଲୁ ମୁନି, ଅଜିତ ମୁନି, ପ୍ରସନ୍ନ ମୁନି, ବାବୁଲା ମୁନି, କାଳିଆ ମୁନି, ଟୁଲିଆ ମୁନି, ଢେଲା ମୁନି, ଭେଙ୍କେଟ ମୁନିଙ୍କ ସମେତ ସମସ୍ତ ସେବାୟତ ସକ୍ରିୟ ସହଯୋଗ କରୁଥିବା ଲକ୍ଷ୍ୟ କରାଯାଇଛି। ଜଗତଜନନୀ ମା ଖମ୍ବେଶ୍ୱରୀ ପ୍ରସନ୍ନ ହେଲେ ପ୍ରତ୍ୟେକ କାର୍ଯ୍ୟ ସିଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି । ଏଣୁ କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମା ଖମ୍ବେଶ୍ୱରୀଙ୍କ କରୁଣା ଲାଭ କରିବା ଉଦ୍ଦେଶ୍ୟରେ ଏହି ପୀଠକୁ ଆସିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ