ଶ୍ୱେତ ବର୍ଣ୍ଣା ମହାଗୌରୀ

ମା’ ଆଦ୍ୟାଶକ୍ତି ଦେବୀଦୁର୍ଗା ଜଗତର ମଙ୍ଗଳ ପାଇଁ ପବିତ୍ର ଶାରଦୀୟ ନବରାତ୍ର ପାର୍ବଣ ପର୍ବରେ ନବଦୁର୍ଗା ରୂପକୁ ଧାରଣ କରି ଧରା ପୃଷ୍ଠକୁ ଅବତରଣ କରନ୍ତି । ଉକ୍ତ ନବରାତ୍ରର ଅଷ୍ଟମୀ ତିଥିରେ ନବଦୁର୍ଗାଙ୍କ ଅଷ୍ଟମା ଶକ୍ତି ରୂପେ ଦେବୀ ମହାଗୌରୀଙ୍କୁ ସଂସାର ବାସୀମାନେ ଅତି ଆନନ୍ଦ ସହକାରେ ସ୍ବାଗତ ଜଣାଇ ଦେବୀଙ୍କୁ ଆରାଧନା କରିଥାନ୍ତି। ଏହି ମା’ ହେଉଛନ୍ତି ଶାନ୍ତି, ପବିତ୍ରତା ଓ କରୁଣାର ପ୍ରତୀକ। ତାଙ୍କର କୃପାରୁ ଭକ୍ତମାନଙ୍କର ସମସ୍ତ ପାପ ଧୋଇଯାଏ ଏବଂ ଜୀବନରେ ସୁଖ-ସମୃଦ୍ଧି ପ୍ରାପ୍ତି ହୋଇଥାଏ। ମା’ ମହାଗୌରୀଙ୍କ ରୂପ ଅତ୍ୟନ୍ତ ମନୋହାରିଣୀ ଏବଂ ଶରୀରର ବର୍ଣ୍ଣ ଗୌର ବା ସମ୍ପୂର୍ଣ୍ଣ ଶ୍ୱେତ। ମା’ଙ୍କୁ ଶଙ୍ଖ, ଚନ୍ଦ୍ର ଓ କୁନ୍ଦ ପୁଷ୍ପ ସହିତ ତୁଳନା କରାଯାଇଥାଏ। ଶାସ୍ତ୍ରରେ ମା’ଙ୍କର ଆୟୁ ଅଷ୍ଟବର୍ଷ ବୋଲି କୁହାଯାଇଛି: “ଅଷ୍ଟବର୍ଷା ଭବେଦ୍ ଗୌରୀ” । ମହାଗୌରୀଙ୍କ ସମସ୍ତ ବସ୍ତ୍ର ଏବଂ ଆଭୂଷଣ ଶ୍ୱେତରଙ୍ଗ ଅଟେ । ଏହି କାରଣରୁ ତାଙ୍କୁ ‘ଶ୍ୱେତାମ୍ବରଧରା’ ମଧ୍ୟ କୁହାଯାଏ। ମହାଗୌରୀ ଚାରିହାତ ବିଶିଷ୍ଟ। ମା’ ଉପର ଡାହାଣ ହାତରେ ଅଭୟ ମୁଦ୍ରା ଏବଂ ତଳ ଡାହାଣ ହାତରେ ତ୍ରିଶୂଳ ଧରିଥାନ୍ତି। ସେହିପରି ଉପର ବାମ ହାତରେ ଡମରୁ ଏବଂ ତଳ ବାମ ହାତରେ ଶାନ୍ତ ବରଦା ମୁଦ୍ରା ସହ ବୃଷଭ ଉପରେ ବିରାଜମାନ କରି ଭକ୍ତମାନଙ୍କୁ ଅଭୟ ପ୍ରଦାନ କରନ୍ତି।

ଏ’ପରି କଲ୍ୟାଣୀ କାରିଣୀ କମନିୟା କାନ୍ତି ତଥା ଶ୍ୱେତ ବର୍ଣ୍ଣା ବିଶିଷ୍ଠା ଶିବ ପତ୍ନୀ ମହାଗୌରୀଙ୍କ କୃପା ଭିକ୍ଷା ପାଇଁ କୁହାଯାଇଛି:
କଲ୍ୟାଣୀ ନାମିନୀ କଲ୍ୟାଣ କାରିଣୀ
କଞ୍ଜ ବର୍ଣ୍ଣା ମହାଗୌରୀ
କମନିୟା କାନ୍ତି କାଶୀନାଥ ପ୍ରୀତି
କୃପାକରୀ ବିଶ୍ୱେଶ୍ୱରୀ ।।
ଭକ୍ତ, ଯୋଗୀ ଓ ସାଧକମାନେ ଶରୀର ପବିତ୍ର କରିବା ସହିତ ମନକୁ ସୋମଚକ୍ରରେ ରଖି ଦେବୀ ମହାଗୌରୀଙ୍କୁ ଧ୍ୟାନ କରନ୍ତି:
ଶ୍ୱେତେ ବୃଷେ ସମାରୂଢା ଶ୍ୱେତାମ୍ବରଧରା ଶୁଚିଃ ।
ମହାଗୌରୀ ଶୁଭଂ ଦଦ୍ୟାନ୍ମହାଦେବପ୍ରମୋଦଦାମ୍ ॥
ତତ୍ ପଶ୍ଚାତ୍ ଶାସ୍ତ୍ରୀୟ ବିଧି ଅନୁଯାୟୀ ଷୋଡ଼ଶ ଉପଚାରରେ ଦେବୀଙ୍କୁ ଧବଳ ପୁଷ୍ପ ସହ ପକ୍ବ ଫଳ, ପୁରୀ, ମିଷ୍ଟାନ୍ନ, ବିରି ଏବଂ ନଡ଼ିଆରେ ପ୍ରସ୍ତୁତ ନୈବେଦ୍ୟ ଅର୍ପଣ କରିବା ପରେ ଦୁର୍ଗା ସପ୍ତଶତୀର ମଧ୍ୟମ ଚରିତ୍ରକୁ ପାଠ କରିଥାନ୍ତି । ଏ’ପରି ଭକ୍ତି ଭାବରେ ପୂଜା ଓ ଆରଧନା କରିବା ଦ୍ଵାରା ଦେବୀ ସନ୍ତୁଷ୍ଟା ହୋଇ ଅଲୌକିକ ସିଦ୍ଧି ପ୍ରଦାନ କରିଥାନ୍ତି ବୋଲି ବିଶ୍ଵାସ ରହିଛି । ଉକ୍ତ ଦିବସରେ ସଧବା ନାରୀମାନେ ମହାଗୌରୀଙ୍କୁ କୁଙ୍କୁମ ଓ ଓଢଣୀ ସମର୍ପଣ କରି ସୌଭାଗ୍ୟ ଭିକ୍ଷା ମଧ୍ୟ କରିଥାନ୍ତି।

ପୌରାଣିକ କଥା ଅନୁଯାୟୀ ହିମାଳୟ ନନ୍ଦିନୀ ମାତା ପାର୍ବତୀ ଭଗବାନ ସଦାଶିବଙ୍କୁ ସ୍ବାମୀ ରୂପରେ ପାଇବା ପାଇଁ ବହୁବର୍ଷ ପର୍ଯ୍ୟନ୍ତ କଠୋର ତପସ୍ୟା କରି ଚାଲିଥିଲେ । ଫଳ ସ୍ୱରୂପ ମା’ଙ୍କ ଶରୀରର କାନ୍ତି କୃଷ୍ଣବର୍ଣ୍ଣା ହୋଇଯାଇଥିଲା । ତଥାପି ସେ ତନୁକୁ ଭୁଲି ଦେବ ଦେବ ମହାଦେବଙ୍କ ସମୀପରେ ମନ ନିବେଶ କରି ଚାଲିଥିଲେ। ଦେବୀଙ୍କ ଏ’ପରି କଠିନ ତପସ୍ୟାରେ ସନ୍ତୁଷ୍ଟ ହୋଇ ଶେଷରେ ଶଙ୍କର ମା’ଙ୍କୁ ଦର୍ଶନ ଦେଇଥିଲେ ଏଵଂ ତାଙ୍କରି କୃଷ୍ଣବର୍ଣ୍ଣା ଶରୀରକୁ ପବିତ୍ର ଗଙ୍ଗା ଜଳରେ ଧୌତ କରିଥିଲେ । ଯାହାଫଳରେ ଦେବୀଙ୍କ କନ୍ତି ଗୌରବର୍ଣ୍ଣା ହୋଇ ଯାଇଥିଲା । ସେହି ସମୟ ଠାରୁ ମା’ଙ୍କ ନାମ ମହାଗୌରୀ ରୂପେ ବିଖ୍ୟାତ ହେବାକୁ ଲାଗିଲା। ଏହି ଦୟାମୟୀ ମା’ ଦେବତାମାନଙ୍କ ପ୍ରାର୍ଥନାରେ ପ୍ରୀତ ହୋଇ ହିମାଳୟରେ ଶାକମ୍ଭରୀ ସ୍ୱରୂପରେ ପ୍ରକଟ ହୋଇଥିଲେ ।

ଶ୍ରୀଯୁକ୍ତ ହେମନ୍ତ କୁମାର ଗନ୍ତାୟତ
ବରିଷ୍ଠ ଦର୍ଶନ ଅଧ୍ୟାପକ
ଆସିକା , ଗଞ୍ଜାମ
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ