କରୋନା ଭାଙ୍ଗିଲା ପରିବା ଚାଷୀଙ୍କ ମେରୁଦଣ୍ଡ ପରିବାକୁ କିଲୋ ୫ ଟଙ୍କା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭୁତାଣୁ ସଂକ୍ରମଣ ଭାଙ୍ଗିଦେଇଛି ପନିପରିବା ଚାଷୀଙ୍କ ମେରୁଦଣ୍ଡ । ଗୋଟିଏ ପଟେ ଶୀତଳଭଣ୍ଡାରର ସୁବିଧା ନଥିବା ବେଳେ ଅନ୍ୟପଟେ ବର୍ତମାନ ବଜାରର ମାନ୍ଧା ଅବସ୍ଥା କାରଣରୁ ବେପାର ବି ଏକ ପ୍ରକାଣ ଠପ୍ ହୋଇଯାଇଛି । ପରିବା ଦର ଖସିଥିଲେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି ଲୋକେ ଘରୁ ବାହାରକୁ ବାହାରୁନାହାନ୍ତି । ଫଳରେ ଅନ୍ୟ ଉପାୟ ନପାଇ ଚାଷୀ ମ।।ନେ ସେମାନଙ୍କ୍ରମଳ କରିଥିବା ପରିବାକୁ କିଲୋ ପିଛା ହୋଲସେଲ ଦରରେ ୩ରୁ ୫ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ତାହା ବି ପୁଣି କାଁ ଭାଁ ଗ୍ରାହକ ଆସି ନେଉଛନ୍ତି । ଏଭଳି ଏକ ଦୃଶ୍ୟ ଗଂଜାମ ଜିଲ୍ଲା ହିଂଜିଳିକାଟୁ ଅଂଚଳରେ ଦେଖିବାକୁ ମିଳିଛି ।
ଗଂଜାମ ଜିଲ୍ଲାର ହିଞ୍ଜିଳିକାଟୁ ଅଂଚଳ ପନିପରିବା ଫସଲ ସକାଶେ ଖ୍ୟାତି ଅର୍ଜନ କରିଛି । ହିଞ୍ଜିଳିକାଟୁ ଅଂଚଳରୁ ବିଭିନ୍ନ ପ୍ରକାର ପନିପରିବା ଆମଦାନୀ ପରେ ଗଂଜାମ ଜିଲ୍ଲା ସମେତ ଫୁଲବାଣୀ, ଗଜପତି ଜିଲ୍ଲା ସମେତ ନିକଟସ୍ଥ ଅଂଚଳକୁ ରପ୍ତାନି କରାଯାଇଥାଏ । ହିଞ୍ଜିଳିକାଟୁ ବ୍ଳକ ବୁରୁପଡ଼ା, ଖଣ୍ଡରା, ଚାନ୍ଦୁଲ, ଖରିଡ଼ା, ସକିରି, ଆଲପୁର, ଶାସନ ଆମ୍ବଗାଁ, ରାଳବ, ନନ୍ଦିକ, ପୁଟିଆପଦର ପଂଚାୟତର ବହୁ ପରିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଥିବା ଦେଖିବାକୁ ମିଳିଛି । ସଂପୃକ୍ତ ଅଂଚଳର ଚାଷୀ ମାନେ ଋଣ କରଜ କରି ଲଗାଇଥିବା କୋବି ଚାଷରେ ଏକର ପିଛା ୪୦ ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି କୋବି ଅମଳ କରିଥିବା ବେଳେ ବର୍ତମାନ ଫୁଲ ଓ ବନ୍ଧା କୋବିର ଚାହିଦା ବହୁ ନିମ୍ନସ୍ତରକୁ ଖସି ଆସିଛି ।
ବର୍ତମାନ ସଂପୃକ୍ତ ଅଂଚଳର ଚାଷୀକୂଳ ହଜାର ହଜାର ଟଙ୍କାର କୋବି, ଟମାଟ, ବାଇଗଣ. କଲରା ଫସଲ ଜମିରେ ପଡ଼ିରହିଛି । ଚାଷୀ ଏବେ ନିଜର ଅମଳ କରିଥିବା ପରିବାକୁ କାଟି ଜମିରେ ରଖିଛି । କୋବି ବିକ୍ରୟ କଲେ ଦର କିଲୋ ପିଛା ଖୁଚୁରା ଦରରେ ୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ହୋଲସେଲ ଦର କିଲୋ ପିଛା ୩ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ । ପରିବା ଚାଷୀ ମାନେ କରଜ କରି ହଜାର ହଜାର ଟଙ୍କାର ବିହନ ଲଗାଇ ଫସଲ ଆଦାୟର ମୂଲ୍ୟ ପାଇନାହାନ୍ତି । ଯାହା ଫଳରେ ହଜାର ହଜାର ଚାଷୀ ଜମିରେ ବିଭିନ୍ନ ପ୍ରଜାତିର ପରିବା ଅମଳ ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବୁରୁପଡ଼ା ପଂଚାୟତର ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଚାଷୀ କୋବି, ଟମାଟ, ବାଇଗଣ. କଲରା ଚାଷ କରିଥିବା ଜଣାପଡ଼ିଛି । ବୁରୁପଡ଼ା ପଂଚାୟତର ପ୍ରତାପ ମଲ୍ଲିକ, ବାୟା ସେଠି, ଅଭି ସାମଲ, ବୁଦ୍ଧିଆ ସ୍ୱାଇଁ, ଓନୁ ସାମଲ ପ୍ରମୂଖ ଚାଷୀ ମାନେ ନିଜ ନିଜର ପ୍ରାୟ ୨ ଏକର ଜମିରେ ପ୍ରାୟ ୪୦ ହଜାର ଟଙ୍କା ବିନିଯୋଗ କରି ପରିବା ଚାଷ କରିଥିବା ବେଳେ ବର୍ତମାନ ସୁଦ୍ଧା ୫ ହଜାର ଟଙ୍କା ମଧ୍ୟ ଉପାର୍ଜନ କରିନଥିବା କହିଛନ୍ତି । ପୁଲକୋବି ବିହନ ମଂଜି ୧୦ ଗ୍ରାମ ପିଛା ୪ ଶହ ଟଙ୍କା ଦେଇ କିଣିବା ପରେ ସାର ପିଡ଼ିଆ ପକାଇବାକୁ ପଡ଼ିଥାଏ । ପରବର୍ତୀ ସମୟରେ ଅମଳ କରାଯାଇଥିବା ପରିବା ଫସଲକୁ ରୋଗ ପୋକ ଦାଉରୁ ରକ୍ଷା କରିବା ଲାଗି କିଟନାଶକ ଔଷଧ ପ୍ରୟୋଗ କରାଯାଇଥାଏ । ପରିବାରର ୩ରୁ ୪ ଜଣ ସଦସ୍ୟ ପରିଶ୍ରମ କରି ଫସଲ ଉପୁଜାଇଥାନ୍ତି । ବର୍ତମାନ ପରିସ୍ଥିତିରେ ଲାଭତ ଦୂରର କଥା ପରିଶ୍ରମର ମୂଲ ମଧ୍ୟ ମିଳୁନଥିବା ଯୋଗୁଁ ବାଧ୍ୟ ହୋଇ ଅମଳ କରିଥିବା କୋବିକୁ ନକାଟି ଜମିରେ ଛାଡ଼ି ଦେଇଥାନ୍ତି ବୋଲି ବହୁ ଚାଷୀ କହିଛନ୍ତି । ଶୁକ୍ରବାର ହିଂଜିଳିକାଟୁ ପରିବା ବଜାରରେ ଖୁଚୁରା ଦର କିଲୋ ପ୍ରତି ବାଇଗଣ ୫ ଟଙ୍କା, ଟମାଟ ୫ ଟଙ୍କା, କଲରା ୧୦ ଟଙ୍କା, ଭେଣ୍ଡି ୧୦ରୁ ୧୨ ଟଙ୍କା, ଫୁଲକୋବି ୧୦ ଟଙ୍କା, ଫଳକୋବି ୫ ଟଙ୍କା, ବନ୍ଧାକୋବି ୫ରୁ ୭ ଟଙ୍କା, ଝୁଡ଼ୁଙ୍ଗ ୨୦ ଟଙ୍କା, କଖାରୁ ୫ ଟଙ୍କା, କାକୁଡ଼ି ୧୦ ଟଙ୍କା ବାରି ପୋଟଳ ୧୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା । ହିଂଜିଳିକାଟୁ ବ୍ଳକର ବିଭିନ୍ନ ପଂଚାୟତରେ ଅମଳ ହୋଇଥିବା ପରିବା ଗଂଜାମ ସମେତ ନିକଟବର୍ତି ଜିଲ୍ଲାକୁ ରପ୍ତାନି କରାଯାଇଥାଏ । ଏବେ କରୋନା ଯୋଗୁଁ ଅଭାବୀ ବିକ୍ରି ପରିସ୍ଥିତ ସୃଷ୍ଟି ହୋଇଛି । ଏଥି ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ସରକାରୀ ସହାୟତା ପ୍ରଦାନ କରିବାକୁ ଅଂଚଳର ଚାଷୀକୂଳ ନିବେଦନ କରିଛନ୍ତି ।


