ମୋବାଇଲ ଟାୱାର ବିସ୍ଫୋରଣ ମାମଲାରେ ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷରେ ଖଲାସ

ପାରଳାଖେମୁଣ୍ଡି, -(ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲା ରା.ଉଦୟଗିରି ମୋବାଇଲ ଟାୱାର ବିସ୍ଫୋରଣ ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ମିଲିଛି ଆଶ୍ୱସ୍ତି । ପାରଳାଖେମୁଣ୍ଡି ଜିଲ୍ଲା ଦୌରାଜର୍ଜ ବିଶ୍ୱଜିତ ଦାଶ ଗୁରୁବାର ରାୟ ପ୍ରକାଶ କରି ଅଭିଯୁକ୍ତ ସବ୍ୟସାଚୀଙ୍କୁ ଦୋଷ ମୁକ୍ତ କରିଛନ୍ତି । ଗତ ୨୦୦୬ ମାର୍ଚ୍ଚ ୨୫ରେ ଗଜପତି ଜିଲ୍ଲା ରା.ଉଦୟଗିରି ମୋବାଇଲ ଟାୱାର ବିସ୍ଫୋରଣ ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ ହୋଇଥିବା ତାଙ୍କ ଓକିଲ ଦୀପକ ପଟ୍ଟନାୟକ ଓ ସ୍ୱରୁପ ପାଳ ସୂଚନା ଦେଇଛନ୍ତି । ସବ୍ୟସାଚୀ ପଣ୍ଡା ମାଓ ସଂଗଠନ ସହ ଜଡିତ ଥିବା ବେଳେ ବାଶଧାରା ଡିଭିଜନର ସମ୍ପାଦକ ଭାବେ ଦୀର୍ଘ ଦିନ ଧରି କାମ କରିଥିଲେ । ସେହି ସମୟରେ ଗଜପତି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପ୍ରାୟ ୪୫ଟି ଅପରାଧିକ ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ଦର୍ଶାଇଛି । ଏହି ସବୁ ମାମଲା ଗଜପତି ଜିଲ୍ଲାର ବିଭିନ୍ନ ଅଦାଲତରେ ବିଚାରାଧିନ ରହିଛି । ସେଥିମଧ୍ୟରୁ ଗୋଟିଏ ମାମଲାର ରାୟ ପ୍ରକାଶ ପାଇଛି । ଗତ ୨୦୦୬ମସିହା ମାର୍ଚ୍ଚ ୨୪ତାରିଖ ମଧ୍ୟ ରାତ୍ରରେ ରା.ଉଦୟଗିରି ଥାନା,ଓଏସ୍ଏପି କ୍ୟାମ୍ପ,ଜେଲ,କୋଷାଗାର ମାଓବାଦୀ ଆକ୍ରମଣ ଅଭିଯୋଗ ହୋଇଥିଲା । ଏପରିକି ରା.ଉଦୟଗିରି ଥାନାର ତତ୍କାଳୀନ ଥାନା ଅଧିକାରୀ ଏବଂ ଜେଲ ଅଧିକ୍ଷକଙ୍କୁ ଅପହରଣ କରିଥିଲେ । ଏହି ଘଟଣାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ମୁକାବିଲା ଦୀର୍ଘ ସମୟ ଧରି ଚାଲିଥିଲା । ଏହି ସମୟରେ ଯେଭଳି କୌଣସି ସ୍ଥାନକୁ ଯୋଗାଯୋଗ ସମ୍ଭବ ନହୁଏ ସେଥିପାଇଁ ମାଓବାଦୀ ମାନେ ରା.ଉଦୟଗିରି ଠାରେ ଥିବା ମୋବାଇଲ ଟାୱାର ବିସ୍ଫୋରଣରେ ଉଡାଇ ଦେଇଥିଲେ । ଏହି ଘଟଣାରେ ମାଓନେତା ସବ୍ୟସାଚୀଙ୍କ ସମ୍ପୃକ୍ତି ଥିବା ପୋଲିସ ଅଭିଯୋଗ କରିଥିବା ବେଳେ ଏହି ମାମଲାର ବିଚାର ପାରଳାଖେମୁଣ୍ଡି ଜିଲ୍ଲା ଦୌରାଜର୍ଜଙ୍କ ଅଦାଲତରେ ଚାଲିଥିଲା । ତେବେ ଗୁରୁବାର ଜିଲ୍ଲା ଦୌରାଜର୍ଜ ବିଶ୍ୱଜିତ ଦାଶ ତାଙ୍କ ରାୟ ପ୍ରକାଶ କରି ଏହି ମାମଲାରେ ସବ୍ୟସାଚୀଙ୍କ ସମ୍ପୃକ୍ତି ନେଇ କୌଣସି ଉପଯୁକ୍ତ ପ୍ରମାଣ ନଥିବାରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ବୋଲି ସବ୍ୟସାଚୀଙ୍କ ଓକିଲ ଦୀପକ ପଟ୍ଟନାୟକ ଓ ସ୍ୱରୁପ ପାଳ କହିଛନ୍ତି । ସୂଚନା ଯୋଗ୍ୟ ଯେ ମାଓନେତା ସବ୍ୟସାଚୀ ପଣ୍ଡା ବ୍ରହ୍ମପୁର ସେଣ୍ଟ୍ରାଲ ଜେଲରୁ ଗତ ବୁଧବାର ଦିନ ପୋଲିସର କଡା ସୂରକ୍ଷା ବଳୟରେ ବାହାରି ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କୋର୍ଟରେ ସକାଲ ୧୦ଘଣ୍ଟା ସମୟରେ ପହଞ୍ଚି ଥିଲେ । ବୁଧବାର ଦିନ କୋର୍ଟରେ ବିଚାରଣା ପରେ ପାରଳାକେମୁଣ୍ଡି ଜେଲକୁ ନିଆଯାଇଥିଲା । ପରେ ଗୁରୁବାର ସକାଳେ ପାରଳାଖେମୁଣ୍ଡି ଜେଲରୁ ବିଚାରଣା ପାଇଁ କୋର୍ଟକୁ ନିଆଯାଇଥିଲା । କୋର୍ଟରେ ରାୟ ପ୍ରକାଶ ପାଇବା ପରେ ପୋଲିସର କଡା ସୂରକ୍ଷା ବଳୟରେ ଗୁରୁବାର ଦିନ ଅପରାହ୍ନରେ ପୁଣି ସବ୍ୟସାଚୀଙ୍କୁ ବ୍ରହ୍ମପୁର ସେଣ୍ଟ୍ରାଲ ଜେଲକୁ ପଠାଇ ଦିଆଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ