ଉନ୍ନତ ଜ୍ଞାନକୌଶଳରେ ଝାଡ଼ୁବନ୍ଧା ପ୍ରଶିକ୍ଷଣ
ବାଲୁଗାଁ (ଜୁଗାବ୍ଦ ନ୍ୟୁଜ୍): ବାଲୁଗାଁ ବାଇପାସ୍ ନିକଟବର୍ତ୍ତୀ ଆୟୁଷ ଏଣ୍ଟର ପ୍ରାଇଜର୍ସଠାରେ ଉନ୍ନତମାନର ଜ୍ଞାନକୌଶଳ ଝାଡ଼ୁବନ୍ଧା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ରାଜ୍ୟ ତଥା ଦେଶରେ ଦିନକୁ ଦିନ ବେରୋଜଗାରୀ ବଢ଼ି ଚାଲିଥିବା ବେଳେ ଦୀର୍ଘ ୮/୧୦ବର୍ଷ ଧରି ଜନସାଧାରଣଙ୍କୁ ସ୍ୱାବଲମ୍ବୀ ତଥା ରୋଜଗାର ପନ୍ଥା ଯୋଗାଇ ଆସୁଥିବା ଆୟୁଷ ଏଣ୍ଟରପ୍ରାଇଜର୍ସ ଶୁକ୍ରବାର ପୂର୍ବାହ୍ନରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମାଲକାନଗିରିରୁ ଆସିଥିବା ମହିଳାଙ୍କୁ ବର୍ତ୍ତମାନର ଚାହିଦା ମୁତାବକ ଉନ୍ନତ ଜ୍ଞାନକୌଶଳରେ ବିଭିନ୍ନ ପ୍ରକାରର ଝାଡ଼ୁ ତିଆରି କରିବା ପ୍ରଶିକ୍ଷଣ ଦେବା ସହ ନିଜେ ସ୍ୱାବଲମ୍ବୀ ହୋଇ ରୋଜଗାର କରି ପରିବାର ପୋଷଣ କରିପାରିବ ସେ ସମ୍ପର୍କରେ ଅବଗତ କରାଯାଇଥିଲା । ଅନୁଷ୍ଠାନ ପ୍ରତିଷ୍ଠାତା ମନୋରଞ୍ଜନ ବେହେରା ବିଭିନ୍ନ ପ୍ରକାର ଝାଡ଼ୁ ବନ୍ଧାର ପ୍ରଣାଳୀ ଏବଂ ଏଥିରେ ବ୍ୟବହୃତ ହେଉଥିବା ଫଉଲ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ସମ୍ବନ୍ଧରେ ଅବଗତ କରିବା ସହ ସହଜରେ କିପରି ଏହି କଞ୍ଚାମାଲ ସବୁ ପାଇପାରିବା ଏବଂ ପ୍ରସ୍ତୁତ ଫୁଲ ଝାଡ଼ୁକୁ ବଜାରରେ କିପରି ଉଚିତ ମୂଲ୍ୟରେ ବିକ୍ରୟ କରିପାରିବା ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
ସୂଚନା ଅନୁସାରେ ୟୁଥ୍ ଆଣ୍ଡ ସୋସିଆଲ୍ ଡେଭଲ୍ଅପ୍ମେଣ୍ଟ ଭୁବନେଶ୍ୱର ଅଧୀନରେ ଏକ ଏନ୍ଜିଓ ସଂସ୍ଥା ଦୀର୍ଘଦିନ ଧରି ମାଲକାନଗିରି ଅଞ୍ଚଳରେ କାର୍ଯ୍ୟକରି ଆସୁଛି । ଏହାର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘମିତ୍ରା ସିଂ କହିବା ଅନୁଯାୟୀ ଏ ସଂସ୍ଥା ସମଗ୍ର ଅଞ୍ଚଳରେ ଜନସାଧାରଣଙ୍କ ଉନ୍ନତି ନିମିତ୍ତ ତଥା ସ୍ୱ-ରୋଜଗାରକ୍ଷମ ହେବା ପାଇଁ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟର ପ୍ରଶିକ୍ଷଣ ଦେବା ହେଉଛି ଆମର ମୂଳଲକ୍ଷ୍ୟ । ଏହାସହ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସ୍ଥଳୀକୁ ପରିଦର୍ଶନ କରିବା ଏବଂ ଅନେକ ନୂତନ ଭିତ୍ତିକ କାର୍ଯ୍ୟ ଉପରେ ଅନ୍ୱେଷଣ କରି ପ୍ରଶିକ୍ଷଣ ଲାଭ କରିବା ସେଥିପାଇଁ ସମସ୍ତ ପ୍ରଚେଷ୍ଟା ଜାରି ରହିଛି ।


