ମନ କୀ ବାତ ଲକଡାଉନ ମାନିବା ଲାଗି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ  : ‘ମନ କୀ ବାତ 2.0’ର ଦଶମ ଅଧ୍ୟାୟରେ କଠୋର ନିଷ୍ପତ୍ତି ନେବା ଲାଗି ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ତେବେ କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ଲାଗି ଏଭଳି କଠୋର ନିଷ୍ପତ୍ତିର ଆବଶ୍ୟକତା ରହିଛି ବୋଲି ସେ ଦୋହରାଇଥିଲେ।

ସେ କହିଥିଲେ ଯେ ଭାରତବାସୀଙ୍କୁ ସୁରକ୍ଷିତ ରଖିବା ଗୁରୁତ୍ବପୂର୍ଣ୍ଣ। ଭାରତ ମିଳିତ ଭାବେ କୋଭିଡ-19 ବିରୋଧୀ ଲଢ଼େଇରେ ବିଜୟୀ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

“ଏହି ଲକଡାଉନ ଲୋକମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷିତ ରଖିବ। ଯେଉଁମାନେ ଏହି ଏକାନ୍ତବାସର ନିୟମକୁ ମାନିବେ ନାହିଁ ସେମାନେ ସମସ୍ୟାରେ ପଡ଼ିବେ” ବୋଲି ସେ ସତର୍କ କରାଇ ଦେଇଥିଲେ।

ଆଜି ମନ କୀ  ବାତରେ ନିଜର ବିଚାର ରଖି ପ୍ରଧାନମନ୍ତ୍ରୀ ଲକଡାଉନ କାରଣରୁ ସମସ୍ୟାରେ ପଡ଼ିଥିବା ଲୋକ ବିଶେଷ କରି ଗରିବ ଜନସାଧାରଣଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଥିଲେ। ଲୋକମାନଙ୍କ ପ୍ରତି ତାଙ୍କର ସମବେଦନା ରହିଛି ବୋଲି କହିବା ସହ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଭଳି ୧୩୦ କୋଟି ଜନସଂଖ୍ୟା ଥିବା ଦେଶରେ ଏହାଛଡ଼ା ଆଉ କୌଣସି ମାର୍ଗ ନଥିଲା। ସେ କହିଥିଲେ ଯେ ସାରା ବିଶ୍ବର ସ୍ଥିତି ଏବଂ ଜୀବନ ଓ ମୃତ୍ୟୁର ଏହି ଲଢ଼େଇରେ ଏଭଳି କଠୋର ପଦକ୍ଷେପ ନିଆଯାଇଛି।

ଏକ ଶାସ୍ତ୍ରୋକ୍ତି “ଏବମେବ ବିକାରଃ ଅପି ତରୁଣଃ ସାଧ୍ୟତେ ସୁଖଂ”ର ଉଲ୍ଲେଖ କରି ସେ କହିଥିଲେ ଯେ, ରୋଗ ଏବଂ ଏହାର ପ୍ରକୋପର ପ୍ରତିକାର ପ୍ରାରମ୍ଭିକ ଅବସ୍ଥାରୁ ହିଁ କରିବା ଉଚିତ । କାରଣ ପରେ ଯେତେବେଳେ ରୋଗ ଅସାଧ୍ୟ ହୋଇଯାଏ, ଚିକିତ୍ସା ମଧ୍ୟ କଷ୍ଟକର ହୋଇପଡ଼େ । ସେ କହିଥିଲେ, “କରୋନା ଭୂତାଣୁ ଆଜି ବିଶ୍ୱବାସୀଙ୍କୁ ବନ୍ଦୀ କରିପକାଇଛି । ଏହା ଜ୍ଞାନୀ ଓ ବିଜ୍ଞାନୀ, ଗରିବ ଓ ସମୃଦ୍ଧଶାଳୀ, ଦୁର୍ବଳ ଓ ଶକ୍ତିଶାଳୀ ସମସ୍ତଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଏହା କୌଣସି ରାଷ୍ଟ୍ରର ସୀମା ମଧ୍ୟରେ ସୀମିତ ହୋଇ ରହିନାହିଁ ”।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ମାନବଜାତିକୁ ଏହି ଭୂତାଣୁର ନିପାତ କରିବା ପାଇଁ ଏକଜୁଟ ହୋଇ ସଂକଳ୍ପ ଗ୍ରହଣ କରିବାକୁ ହିଁ ହେବ । କିଛି ଲୋକ ଭାବୁଛନ୍ତି ଯେ, ସେମାନେ ଲକଡାଉନକୁ ପାଳନ କରି ସତେ ଯେମିତି ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି । ଏମିତି ଭୁଲ ଧାରଣା ମନରେ ରଖିବା ଠିକ୍ ନୁହଁ । ଏହି ଲକଡାଉନ ଆପଣ ନିଜେ ସୁରକ୍ଷିତ ରହିବା ପାଇଁ ଉଦ୍ଦିଷ୍ଟ । ଆପଣଙ୍କୁ ନିଜେ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ହେବ । ଆପଣଙ୍କୁ ଆଗାମୀ କିଛିଦିନ ପାଇଁ ଏଭଳି ଧୈର୍ଯ୍ୟ ପ୍ରଦର୍ଶନ କରିବାକୁ ହେବ । ଲକ୍ଷ୍ମଣରେଖାକୁ ମାନିବାକୁ ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ, ନିୟମ ଭଙ୍ଗ କରୁଥିବା ଲୋକେ ନିଜ ଜୀବନ ସହ ବହୁତ ବଡ଼ ଖେଳ ଖେଳୁଛନ୍ତି । ଲକଡାଉନ ନିୟମ ଭାଙ୍ଗିଲେ ଆମ ପାଇଁ କରୋନା ଭୂତାଣୁ କବଳରୁ ରକ୍ଷା ପାଇବା କଷ୍ଟକର ହୋଇପଡ଼ିବ । ଆଉ ଏକ ଶାସ୍ତ୍ରୋକ୍ତିର ଉଦ୍ଧାର କରି ସେ କହିଥିଲେ, “ଆରୋଗ୍ୟମ ପରମମ୍ ଭାଗ୍ୟମ୍ ସ୍ୱାସ୍ଥ୍ୟଂ ସର୍ବାର୍ଥ ସାଧନଂ” – ଅର୍ଥାତ୍ ଆରୋଗ୍ୟ ହିଁ ସବୁଠାରୁ ବଡ଼ ଭାଗ୍ୟ । ସ୍ୱାସ୍ଥ୍ୟ ହିଁ ଦୁନିଆର ସବୁ ସୁଖର ସାଧନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ