ରନ୍ଧା ଖାଦ୍ୟ ବଣ୍ଟନ ଓ ପୋଲିସ୍ ର ସଚେତନତା

ଗାଙ୍ଗପୁର:କରୋନା ଭୂତାଣୁ ଆଜି ସାରା ବିଶ୍ଵରେ ନିଜର ଆତଙ୍କ ଖେଳାଇ ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଦେଶର ସରକାରମାନେ ଲକ୍ ଡ଼ାଉନ୍ କୁ ହିଁ ଏକ ମାତ୍ର ସାଧନ ରୂପେ ଆପଣେଇଛନ୍ତି lଏହି ଭୂତାଣୁ ଦାଉରୁ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଭାରତ ସରକାର ମଧ୍ୟ ଗତ ମାର୍ଚ୍ଚ ୨୪ ତାରିଖରୁ ଆସନ୍ତା ଅପ୍ରେଲ୍ ୧୪ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଲକ୍ ଡ଼ାଉନ୍ ଘୋଷଣା କରିଛନ୍ତି l ଏହି ଲକ୍ ଡ଼ାଉନ୍ ସମୟରେ ଜନ ଜୀବନ ବହୁଳ ମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ ଦିନ ମଜୁରିଆ, ଶ୍ରମିକ, ଗରିବ ଏବଂ ଅନାଥମାନଙ୍କୁ ଦିନକୁ ଦୁଇ ଓଳି ଖାଇବାକୁ ନ ମିଳିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି lଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ପ୍ରତି ପଞ୍ଚାୟତସ୍ତରରେ ଗରିବ ଓ ଅନାଥ ଶ୍ରେଣୀର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି l ଏହି ପରିପ୍ରେକ୍ଷୀରେ ଗାଙ୍ଗପୁର ଏବଂ ଖଇରପୁଟି ପଞ୍ଚାୟତରେ ମଧ୍ୟ ଆଜିଠାରୁ ଲକ୍ ଡ଼ାଉନ୍ ଅବଧି ସରିବା ପର୍ଯ୍ୟନ୍ତ ପଞ୍ଚାୟତ ଅନ୍ତର୍ଗତ ଗରିବ ଓ ଅନାଥମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରାଯାଇଛି l ଗାଙ୍ଗପୁର ପଞ୍ଚାୟତର ଅସ୍ଥାୟୀ ଶିବିରରେ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ଏବଂ ସମିତି ସଭ୍ୟ ତୁଷାର ବିଷୋୟୀଙ୍କ ତଦାରଖରେ ଖାଦ୍ୟ ଯୋଗାଇ ଦିଆ ଯାଉଥିବା ବେଳେ ଖଇରପୁଟି ପଞ୍ଚାୟତରେ ସରପଞ୍ଚ ପ୍ରତିମା ଜେନା, ସମିତି ସଭ୍ୟ ପ୍ରଭାତ କୁମାର ସ୍ଵାଇଁ ଏବଂ ଜି ଆର୍ ଏସ୍ ରବିନ୍ଦ୍ର କୁମାର ପାଣିଗ୍ରାହୀଙ୍କ ନେତୃତ୍ଵରେ ଅଟୋ ଦ୍ଵାରା ସମସ୍ତ ଗରିବଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି l ଖାଦ୍ୟ ଯୋଗାଣ ସମୟରେ ସରକାରଙ୍କର ଗାଇଡ୍ ଲାଇନ୍ କ୍ରମେ ସାମାଜିକ ଦୂରତ୍ଵ ଏବଂ ସ୍ଵଚ୍ଛତାକୁ ବିଶେଷ ଦୃଷ୍ଟି ଦିଆଯାଉଛି l ସେହିପରି ଆଜି ଲକ୍ ଡ଼ାଉନ୍ ର ଅଷ୍ଟମ ଦିନ ହୋଇଥିବା ବେଳେ ଏହି ଲକ୍ ଡ଼ାଉନ୍ କୁ କଡ଼ାକଡ଼ି କରିବା ପାଇଁ ଗାଙ୍ଗପୁର ପୋଲିସ୍ ର ଦାୟିତ୍ଵ ବି ବଢ଼ି ଯାଇଛି l ଗାଙ୍ଗପୁର ପୋଲିସ୍ ତିନୋଟି ଟିମ୍ ରେ ବିଭକ୍ତ ହୋଇ ଥାନା ଅଞ୍ଚଳର ପ୍ରତ୍ୟେକ ଗ୍ରାମକୁ ନିୟମିତ ବ୍ୟବଧାନରେ ଯାଇ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଉଛନ୍ତି l ଅତି ଜରୁରୀ କାର୍ଯ୍ୟ ନଥାଇ ଗାଡି ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ କଡ଼ା ତାଗିଦ୍ ମଧ୍ୟ କରୁଛନ୍ତିl ଥାପି କିଛି ଅମାନିଆ ଯୁବ ଗୋଷ୍ଠୀ ତାଗିଦ୍ କୁ ଖାତିର ନକରି ଅଯଥା ଗାଡ଼ି ଧରି ବୁଲୁଥିବା ନଜର ଆସିଲେ ସେମାନଙ୍କୁ ନିଜ ଅକ୍ତିଆରକୁ ଆଣି ଗାଡ଼ି ଜବତ୍ କରିବା ସହ ସେମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ ୧୮୮ ଧାରାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉଛି l ସରକାରଙ୍କ ଅନୁମତି ପତ୍ର ନଥାଇ କୌଣସି ଗାଡ଼ି ଚାଳକକୁ ପେଟ୍ରୋଲ ପମ୍ପରେ ପେଟ୍ରୋଲ ନଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆ ଯାଇଛି l ବର୍ତ୍ତମାନ ଲକ୍ ଡ଼ାଉନ୍ ସମୟରେ ବିଭିନ୍ନ ଗ୍ରାମାଞ୍ଚଳରେ ଜନ ସାଧାରଣ ସମୟ କାଟିବା ପାଇଁ ଜୁଆ ଖେଳରେ ମାତିଥିବା ନଜର ମଧ୍ୟ ଆସୁଛି l ଜୁଆ ଖେଳ ଏକ ସଙ୍ଗିନ୍ ଅପରାଧ ହୋଇଥିବା ବେଳେ ଏଥିରେ ସାମାଜିକ ଦୁରତ୍ଵକୁ ଗୁରୁତ୍ଵ ଦିଆଯାଉନଥିବାରୁ ରୋଗ ସଂକ୍ରମଣର ଭୟ ମଧ୍ୟ ରହିଛି l ତେଣୁ ପୋଲିସ୍ ଏହା ଉପରେ ବିଶେଷ ଦୃଷ୍ଟି ଦେଇ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଜୁଆଡିମାନଙ୍କୁ ମଧ୍ୟ ଗିରଫ କରିଥିବା ସୂଚନା ମିଳୁଛି l ଆଗାମୀ ଦିନରେ ଏମିତି ସଚେତନତା ଏବଂ ଯାଞ୍ଚ କାର୍ଯ୍ୟକ୍ରମକୁ ଆହୁରି ଦୃଢ କରାଯିବ ବୋଲି ଥାନା ଅଧିକାରୀ ଧୀରେସ୍ କୁମାର ଦାସ ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ