ମା’ ବାମଦେଇ ଠାକୁରାଣୀଙ୍କ ଯାତ୍ରା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବମକୋଇ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ବାମଦେଇ ଠାକୁରାଣୀଙ୍କ ୭ ଦିନବ୍ୟାପୀ ଯାତ୍ରା ମହୋତ୍ସବ ଶୁକ୍ରବାର ଠାରୁ ଶୁଭାରମ୍ଭ ହୋଇଛି ।ଯାତ୍ରା ନିମନ୍ତେ ସମଗ୍ର ଗାଁ ଉତ୍ସବ ମୁଖର ହୋଇଛି। ଗ୍ରାମର ବଡ଼ସାହି ସ୍ଥିତ ଶ୍ରୀ ଗୋପୀନାଥ ମନ୍ଦିର ସମ୍ମୁଖ ଅସ୍ଥାୟୀ ଯାତ୍ରା ପୀଠ ରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସମଗ୍ର ଗାଁ ଝଲସି ଉଠିଛି । ପ୍ରତି ୩ ବର୍ଷ ବ୍ୟବଧାନରେ ମା’ ଙ୍କ ଯାତ୍ରା ଆୟୋଜିତ ହୋଇ ଆସୁଛି। ଜ୍ୟେଷ୍ଠ କୃଷ୍ଣ ଷଷ୍ଠୀ ତିଥି ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଯାତ୍ରା କମିଟି ସଭାପତି ନରସିଂହ ପ୍ରଧାନ ଙ୍କ ସମେତ ଯାତ୍ରା କମିଟି ର ୩୫ ସଦସ୍ୟ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ଗ୍ରାମବାସୀ ଙ୍କ ଉପସ୍ଥିତିରେ ପୂର୍ବ ପ୍ରଚଳିତ ନୀତି କାନ୍ତି ଅନୁଯାୟୀ ମା ‘ ଙ୍କୁ ମହାସ୍ନାନ କରାଯାଇଥିଲା।ନୂତନ ବସ୍ତ୍ର ଆବରଣ ପରେ ସେବା ପୂଜା କରାଯାଇ ସାନ୍ଧ୍ୟ ଆଳତି କରାଯାଇଥିଲା।ଭୋଗ ରାଗ ମଣୋହି ପରେ ଅସ୍ଥାୟୀ ଯାତ୍ରାପୀଠ କୁ ଯିବା ନିମନ୍ତେ ମା ‘ ଙ୍କୁ ଯାତ୍ରା କମିଟି ପକ୍ଷରୁ ବିଧି ମୁତାବକ ନିମନ୍ତ୍ରଣ କରାଯାଇଥିଲା। ସେବାୟତ ବୃନ୍ଦ ଓ ପୁରୋହିତ ଦୀର୍ଘ ସମୟ ପୂଜା ଆରାଧନା କରିବା ପରେ ମା ‘ ଙ୍କ ମସ୍ତକ ରୁ ଆଜ୍ଞାମାଳ ଫୁଲମଣ୍ଡା ଖସିଥିଲା। ଏକ ସୁସଜ୍ଜିତ ତାଟ ରେ ଫୁଲମଣ୍ଡା ସହ ମା ‘ ଚଳନ୍ତି ପ୍ରତିମା କୁ ରଖାଯାଇ ବାଦ୍ୟ ବାଜଣା ସହକାରେ ବାଘ, ଘୋଡ଼ା, ତାଳ କୀର୍ତ୍ତନ, ବେଶ ପଟୁଆର ରେ ମାନସିକଧାରୀ ଶ୍ରଦ୍ଧାଳୁ ମହିଳା ବୃନ୍ଦ ମସ୍ତକରେ ଘଟ ଧରି ବମକୋଇ ଗ୍ରାମ ପରିକ୍ରମା କରିବା ପରେ ମା ‘ ସାଆନ୍ତାଣୀ ଝୁଲି ଝୁଲି ଗ୍ରାମର ବଡ଼ସାହି ସ୍ଥିତ ଶ୍ରୀ ଗୋପୀନାଥ ମନ୍ଦିର ସମ୍ମୁଖ ଅସ୍ଥାୟୀ ଯାତ୍ରାପୀଠ ରେ ପ୍ରବେଶ କରିଥିଲେ।ସେଠାରେ ଘୃତ ହୋମ କରାଯାଇ ମା ‘ ଙ୍କୁ ସେବାପୂଜା କରାଯାଇଥିଲା।ନିଶାର୍ଦ୍ଧରେ ମା ‘ ଙ୍କ ପହୁଡ଼ ନୀତି ସମାପନ ହୋଇଥିଲା।ଠାକୁରାଣୀ ଯାତ୍ରା ନିମନ୍ତେ ସମସ୍ତ ସାହି ବସ୍ତିରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି।ଦୂରଦୂରାନ୍ତ ରେ ରହୁଥିବା ଲୋକେ ପରିବାର ସହ ଗାଁ ରେ ପହଞ୍ଚିଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ଯାତ୍ରା ପୀଠ ରେ ପୌରାଣିକ ନାଟକ ସମେତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ସ୍ଥିରୀକୃତ ହୋଇଛି। ବମକୋଇ ଗ୍ରାମର ଗ୍ରାମଦେବତୀ ମା ‘ ବାମଦେଇ ବୁଢ଼ୀ ଠାକୁରାଣୀଙ୍କ ପୂଜା ଆରାଧନା ଯାତ୍ରା ପରମ୍ପରା ଗ୍ରାମରେ କେଉଁ ଆବାହମାନ କାଳରୁ ଚାଲି ଆସିଛି। ଗ୍ରାମଦେବତୀ ମା ‘ ବାମଦେଇ ଠାକୁରାଣୀଙ୍କୁ ଗ୍ରାମର ସୁରକ୍ଷା ଓ ଗ୍ରାମବାସୀ ଙ୍କ ମଙ୍ଗଳର ପ୍ରତୀକ ରକ୍ଷାକର୍ତ୍ତି ଭାବେ ବିଶ୍ୱାସ କରାଯାଏ। ଗ୍ରାମର ଅତି ପ୍ରିୟ ଓ ସମଗ୍ର ଗ୍ରାମବାସୀ ଙ୍କ ହିତ ସାଧନ କରୁଥିବା ଦେବୀଙ୍କ ମଧ୍ୟରେ ଗ୍ରାମଦେବତୀ ମା ‘ ବାମଦେବୀ ପ୍ରଥମ ଆରାଧ୍ୟ୍ୟ ଦେବୀ । ଶନିବାର ଠାରୁ ମା’ ଙ୍କ ଘଟ ପରିକ୍ରମା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ବେଶ୍ ଆକର୍ଷିତ କରିବ ବୋଲି ଯାତ୍ରା କମିଟି ଆଶା ବାନ୍ଧିଛନ୍ତି । ଯାତ୍ରା ପରିଚାଳନା ନିମନ୍ତେ କର୍ମକର୍ତ୍ତା ଚୟନ କରାଯାଇଥିବା ବେଳେ ସମଗ୍ର ବମକୋଇ ଗ୍ରାମବାସୀ , ସ୍ବେଛାସେବୀ ସଙ୍ଗଠନ ର ସଦସ୍ୟ ବୃନ୍ଦ ଯାତ୍ରା ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଜଣାପଡିଛି। ଏହି ଯାତ୍ରା ମହୋତ୍ସବ ଆସନ୍ତା ଜ୍ୟେଷ୍ଠ କୃଷ୍ଣ ଦ୍ଵାଦଶୀ ତିଥି ୧୪ ତାରିଖ ଗୁରୁବାର ବିଳମ୍ବିତ ରାତିରେ ଉଦଯାପିତ ହେବବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି।


