କଟକ ସହରରୁ ୧୮ ଜଣଙ୍କୁ ଉଠାଇ କ୍ୱାରେଣ୍ଟାଇନରେ ରଖିଲା ପୁଲିସ
କଟକ: କରୋନା ଭୂତାଣୁ ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଲାଗି ରହିଥିବା ବେଳେ ମଙ୍ଗଳବାର ଅପରାହ୍ନରେ କମିସନରେଟ ପୁଲିସ କଟକ ସହରର ୩ଟି ପରିବାରର ୧୮ ଜଣ ସଦସ୍ୟଙ୍କୁ ନେଇଯାଇ ଏସସିବି କରୋନା କ୍ୱାରେଣ୍ଟାଇନ ୱାର୍ଡରେ ରଖାଯାଇଛି । ସମସ୍ତଙ୍କ ସ୍ୱାବ ଏବଂ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ପରୀକ୍ଷା ରିପୋର୍ଟ ଆସିବା ପରେ ସେମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ୩ଟି ପରିବାରର ୩ ଜଣ ସଦସ୍ୟ ନିକଟରେ ନିଜାମୁଦ୍ଧିନ ଧର୍ମୀୟ ସଭାରେ ଯୋଗ ଦେଇ କଟକ ଫେରିଥିଲେ । ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଏହି ୩ ଜଣ ବ୍ୟକ୍ତି ରାଜ୍ୟ ବାହାର ଧର୍ମ ସଭାରେ ଯୋଗ ଦେଇ ଘରକୁ ଫେରିଥିବା ନେଇ ଜିଲ୍ଲା ପ୍ରଶାସନ ନିକଟରେ ସୂଚନା ଦେଇ ନଥିଲେ କି ସେମାନଙ୍କ ନାମ ପଞ୍ଜୀକରଣ କରି ନଥିଲେ । ନୂଆଦିଲ୍ଲୀରୁ ଆସି ସେମାନଙ୍କ ପରିବାର ସହ ରହିଥିଲେ । ପଡେ଼ାଶୀଙ୍କ ସହିତ ମିଳାମିଶା ବି କରିଥିଲେ । ନିଜାମୁଦ୍ଧିନ ଧର୍ମୀୟ ସଭାରେ ଯୋଗ ଦେଇଥିବା ଅଧିକାଂଶ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ପ୍ରଘଟ ହେବା ପରେ ଓଡ଼ିଶାର କେଉଁ କେଉଁ ଅଞ୍ଚଳରୁ କେଉଁମାନେ ଏହି ଧର୍ମୀୟ ସଭାରେ ଯୋଗ ଦେଇଥିଲେ ତାହାକୁ ନେଇ ସରକାର ଖୋଳତାଡ଼ ଆରମ୍ଭ କରିଥିଲେ । କମିସନରେଟ ପୁଲିସର ତଦନ୍ତ ପରେ କଟକ ସହରର ୨ଟି ଅଞ୍ଚଳର ୩ ଜଣ ବ୍ୟକ୍ତି ଏହି ସଭାରେ ଯୋଗ ଦେଇ କଟକ ଫେରିଥିବା ଜଣାପଡ଼ିଥିଲା । ଅପରାହ୍ନରେ ପୁଲିସ ସେମାନଙ୍କ ଘରେ ପହଞ୍ଚି ସମ୍ପୃକ୍ତ ୩ ଜଣଙ୍କ ସମେତ ପରିବାର ସଦସ୍ୟଙ୍କୁ ନେଇ ଏସସିବିରେ ଭର୍ତ୍ତି କରିଥିଲେ ।