ସବ୍ୟସାଚୀ ପୁଣି ଗଜପତି ଜିଲ୍ଲାଜର୍ଜ କୋର୍ଟରୁ ନିର୍ଦ୍ଦୋଷରେ ଖଲାସା
ପାରଳାଖେମୁଣ୍ଡି, (ତାରିଣି ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲାଜର୍ଜ କୋର୍ଟରୁ ମାଓ ନେତା ସବ୍ୟସାଚୀ ପଣ୍ଡା ପୁଣି ୨ଗୋଟି ମାମଲାରୁ ନିର୍ଦ୍ଦୋଷରେ ଖଲାସ ହୋଇଥିବା ସୂଚନା ମିଳିଛି । ପାରଳାଖେମୁଣ୍ଡି ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଅରୁଣ କୁମାର ସାହୁ ଗୁରୁବାର ଆଉ ୨ଗୋଟି ମାମଲାର ଶୁଣାଣି କରି ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୦୩ ମସିହାରେ ଅଡବା ଥାନା ଅନ୍ତର୍ଗତ ମାଣ୍ଡିମେରା ଗ୍ରାମର ସରପଞ୍ଚ ପୁର୍ଣ୍ଣ ମଲିକଙ୍କୁ ୍ପହରଣ ଓ ହତ୍ୟା ମାମଲାରେ ଅଡବା ଥାନାରେ ସବ୍ୟସାଚୀଙ୍କ ନାମରେ କେସ୍ ନଂ୭/୨୦୦୩ରେ ଏକ ମାମଲା ରୁଜୁ ହୋଇଥିଲା । ସେହିପରି ଅଡବା ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମ ନିକଟରେ ୨୦୧୦ମସିହାରେ କିଛି ମାଓ ସାମଗ୍ରୀ ଜବତ ଘଟଣାରେ ମଧ୍ୟ ଅନ୍ୟ ଏକ ମାମଲା ଅଡବା ଥାନାରେ ରହିଥିଲା । ଏହି ଦୁଇଗୋଟି ମାମଲାରେ ପାରଳାଖେମୁଣ୍ଡି ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶୁଣାଣି କରି ଉପଯୁକ୍ତ ସାକ୍ଷୀ ଓ ପ୍ରମାଣ ଅଭାବରୁ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ତାଙ୍କ ଓକିଲୋ ସ୍ୱରୁପ କୁମାର ପାଳ ସୂଚନା ଦେଇଛନ୍ତି ।