ବିଶ୍ୱ ଗୋଲାପ ଦିବସ
ଜୁନ୍ ମାସ ୯ ତାରିଖକୁ ବିଶ୍ୱର କେତେକ ଦେଶରେ ରୋଜ୍ ଡେ ବା ଗୋଲାପ ଦିବସ ଭାବେ ପାଳନ କରାଯାଏ । ନାଁ ସିନା ଏହାର ଗୋଲାପ ଦିବସ, ମାତ୍ର ଲୋକମାନେ ଏହାକୁ ଗୋଲାପୀ ରଙ୍ଗର ମଦ ପିଇ ପାଳନ କରିଥାଆନ୍ତି । ଏଥିରେ ପିଆଯାଉଥିବା ମଦ ଗୋଲାପୀ ରଙ୍ଗର ଅଙ୍ଗୁରରୁ ପ୍ରସ୍ତୁତ ହୋଇଥାଏ । ଯେଉଁମାନେ ମଦ ପିଇବାର୍ ସଉକ୍ ରହିଛି, ସେମାନେ ଏହି ଦିବସକୁ ଧୂମଧାମରେ ପାଳନ ଲାଗି ଆଗ୍ରହ ପ୍ରକାଶ କରିଥାଆନ୍ତି । ତେବେ ଗୋଲାପୀ ରଙ୍ଗର ମଦ ବହୁତ ଦୁର୍ଲ୍ଲଭ । ଯେଉଁମାନେ ଏଭଳି ମଦ ପାଇନଥାଆନ୍ତି, ସେମାନେ ଗୋଲାପ ଫ୍ଲେଭର୍ରୁ ପ୍ରସ୍ତୁତ ମଦ ପିଇଥାଆନ୍ତି । ପ୍ରାଚୀନ କାଳରୁ ବିଭିନ୍ନ ଦେଶରେ ମଦକୁ ଲୋକମାନେ ପାନୀୟ ଭାବେ ବ୍ୟବହାର କରିଆସିଛନ୍ତି । ତେଣୁ ଏହା ମାନବ ଇତିହାସର ଏକ ଅଙ୍ଗ ବୋଲି ଅତ୍ୟୁକ୍ତି ହେବ ନାହିଁ । ଅତୀତରୁ ବର୍ତ୍ତମାନ ବିଭିନ୍ନ ପ୍ରଣାଳୀରେ ପ୍ରସ୍ତୁତ ମଦ ଲୋକମାନଙ୍କ ଦ୍ୱାରା ଗୃହିତ ହୋଇଛି । ସ୍ୟାମ୍ପେନ୍, ରେଡ୍ ୱାଇନ୍, ହ୍ୱାଇଟ୍ ୱାଇନ୍, ପୋର୍ଟ ୱାଇନ୍, ମିଡ୍ ବା ହନି ୱାଇନ୍ ଏବଂ ରୋଜ୍ ୱାଇନ୍ ଆଦି ଲୋକପ୍ରିୟତା ଅର୍ଜନ କରିପାରିଛି । ବହୁ ପ୍ରାଚୀନ କାଳରେ ରୋଜ୍ ୱାଇନ୍ର ବହୁଳ ବ୍ୟବହାର ଥିବାର ଇତିହାସରୁ ଜଣାପଡ଼େ । ପର୍ତ୍ତୁଗାଲ୍ର ଏକ କମ୍ପାନୀ ପ୍ରଥମ ଥର ଲାଗି ରୋଜ୍ ୱାଇନ୍ ପ୍ରସ୍ତୁତ କରି ବଜାରକୁ ଛାଡ଼ିଥିଲା । ଯାହା ପରବର୍ତ୍ତୀ ସମୟରେ ସାରା ବିଶ୍ୱରେ ଲୋକପ୍ରିୟତା ଅର୍ଜନ କରିପାରିଥିଲା ।


