ଆମ୍ବୁଲାନ୍ସ ଗାଡିକୁ ପୋଲିସ ଗାଡି ଭାବି ଧାଇଁବା ବେଳେ ପଡିଯାଇ ମୃତ୍ୟୁ

କୋଦଳା,(ଗୁଲସନ କୁମାର କର):ସାରା ରାଜ୍ୟରେ କରୋନାକୁ ନେଇ ହାଇ ଆଲର୍ଟ ଜାରି ରହିଥିବା ଏବଂ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଲକ୍ ଡାଉନ୍ ବେଳେ ପୋଲିସ ଗାଡି ଗାଁ ମାନଙ୍କରେ ପଶିବା ମାତ୍ରେ ଲୋକେ ଛାନିଆଁ ହୋଇଯାଉଛନ୍ତି। ଶନିବାର ଏଭଳି ଏକ ଅଭାବନୀୟ ଘଟଣା କୋଦଳା ଥାନା ଅନ୍ତର୍ଗତ ତିରିଡା ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ନୂଆଁ ସାହି ଦେଇ ଅପରାହ୍ନ ପ୍ରାୟ ୩ ଟା ସମୟରେ ଏକ ଆମ୍ବୁଲାନ୍ସ ଗାଡି ବିରିବାଟିଆ ଗ୍ରାମକୁ ଯାଉଥିଲା। ସେହି ସମୟରେ ଗ୍ରାମର କୃଷ୍ଣ ବେହେରା (୫୦) ନାମକ ଜଣେ ବ୍ୟକ୍ତି ଆମ୍ବୁଲାନ୍ସ ସାଇରନ୍ ଶୁଣି ପୋଲିସ ଗାଡି ଭାବି ଦୌଡ଼ିବାକୁ ଲାଗିଲେ। ଘରଠାରୁ କିଛି ଦୂରରେ ବସିଥିବା ବେଳେ ସେ ନିଜ ଘର ଆଡକୁ ଦୌଡି ଘର ପାଖରେ ହଠାତ୍ ପଡି ଯାଇଥିଲେ। ଏହା ପରେ ତାଙ୍କର ହୃତପିଣ୍ଡ ଚୋକ୍ ହୋଇ ଯାଇଥିଲା। କେହି କିଛି ବୁଝିବା ଆଗରୁ ଆଖି ବୁଜିଲେ କୃଷ୍ଣ। ତତ୍ କ୍ଷଣାତ୍ ତାଙ୍କୁ ଖଲ୍ଲିିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଘଟଣାକୁ ନେଇ ଗ୍ରାମରେ କିଛି ସମୟ ପାଇଁ ଆଲୋଡ଼ନ ସୃଷ୍ଟି କରିଥିଲା। ଘରେ କାନ୍ଦ ବୋବାଳିରେ ଫାଟି ପଡୁଥିଲା। ତେବେ ସଚେତନତା ଅଭାବରୁ ଅକାଳରେ ଚାଲିଗଲା ଜୀବନ। ଲକ୍ ଡାଉନ୍ କଡାକଡି କରିବା ପାଇଁ ପୋଲିସ ସଦା ସର୍ବଦା ପ୍ରସ୍ତୁତ ରହୁଛି ଏବଂ ଗ୍ରାମାଞ୍ଚଳରେ ବହୁ ଲୋକ ଅଯଥାରେ ଖଟି କରୁଥିବାରୁ ବେଳେ ବେଳେ ପୋଲିସ ପଇଁତରା ମାରୁଛି। ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଛନକା ପଶୁଛି। ସଚେତନ ରହି ନିଜ ଘର ଭିତରେ ରହିବା ଏବଂ ବାହାରକୁ ଆବଶ୍ୟକ ସ୍ଥଳେ ଆସିଲେ ସାମାଜିକ ଦୂରତାକୁ ବଜାୟ ରଖି ମାସ୍କ ପିନ୍ଧିବାକୁ ଜୋର୍ ଦିଆଯାଇଛି।ତେବେ କିଛି ବ୍ୟକ୍ତି ନିୟମକୁ ନ ମାନି ଅଯଥାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ତେବେ ଆମ୍ବୁଲାନ୍ସ ଗାଡିକୁ ପୋଲିସ ଗାଡି ଭାବି ଏଭଳି ଭୟଭୀତ ହେବା ଯୋଗୁଁ ଅକାଳରେ ଜୀବନ ଚାଲିଗଲା ବୋଲି ଆଲୋଚନା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ