ହନୁମାନ ମିଥୁନ ଆଉ ନାହାନ୍ତି :ମଞ୍ଚରେ ନାଟକ ପରିବେଷଣ ବେଳେ ହୃଦଘାତରେ ଟଳି ପଡ଼ିଲେ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମର ପୌରାଣିକ ରାମାୟଣ ଥିଏଟର ର ମଞ୍ଚ କଳାକାର ମିଥୁନ ପ୍ରଧାନ(୩୫) ନାଟକ ରେ ବାଳି   ଭୂମିକାରେ ଅଭିନୟ କରୁଥିବା ବେଳେ ହୃଦଘାତ ରେ ଟଳି ପଡ଼ିଥିଲେ।ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ନିକଟସ୍ଥ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଳମ୍ବିତ ରାତିରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଘଟଣା ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ ଟାରେ ଘଟିଥିଲା।ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଯାତ୍ରା ଅବସରରେ ଗ୍ରାମର ଶ୍ରୀରାମ ମନ୍ଦିର ଓ ଶୈବପୀଠ ନିକଟରେ ଗ୍ରାମର କଳାକାର ମାନଙ୍କ  ଦ୍ୱାରା ରାମାୟଣ ନାଟକ ପରିବେଷଣ କରାଯାଇଥିଲା। ଗ୍ରାମ ସମେତ ଆଖପାଖ ଗ୍ରାମର ବହୁ ସଂଖ୍ୟକ ଦର୍ଶକ ନାଟକ ଉପଭୋଗ କରୁଥିଲେ।ଉକ୍ତ ନାଟକର ପରବର୍ତ୍ତୀ ଅଧ୍ୟାୟରେ ସେ ହନୁମାନ ଭୂମିକାରେ ଅଭିନୟ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ। ପ୍ରଥମାର୍ଦ୍ଧରେ ସେ ଧନୁଭଗ୍ନ ଅଧ୍ୟାୟରେ ମିଥୁନ ‘ବାଳି ‘ ଭୂମିକା ରେ ନିଜର ଅଭିନୟ ପ୍ରଦର୍ଶନ କରୁଥିବା ବେଳେ ଆକସ୍ମିକ ଭାବେ ମଞ୍ଚ ଉପରେ ଟଳି ପଡ଼ିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ନାଟକ ପରିବେଷଣ ଅଧାରୁ ବନ୍ଦ କରାଯାଇଥିଲା। ଗ୍ରାମର ଭ୍ରମର ପ୍ରଧାନ ଙ୍କ ପୁଅ ମିଥୁନ  ପିଲାଟି ଦିନରୁ ଗାଁ ନାଟକ ରେ ଅଭିନୟ ଜାରି ରଖିଥିଲେ। ପରବର୍ତ୍ତୀ ସମୟରେ ସେ ରାମାୟଣ ନାଟକ ରେ ଶ୍ରୀ ହନୁମାନ ଭୂମିକା ରେ ଅଭିନୟ କରି ସମଗ୍ର ଗଞ୍ଜାମ, ଗଜପତି,କନ୍ଧମାଳ ଜିଲା ସମେତ ପଡ଼ୋଶୀ ଆନ୍ଧ୍ର,ତେଲେଙ୍ଗାନା,ଛତିଶଗଡ,ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟର ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳରେ ରାମାୟଣ ନାଟକ ପରିବେଷଣ ରେ ସେ ହନୁମାନ ଭୂମିକାରେ ଅଭିନୟ କରି (ମିଥୁନ ହନୁ) ଭାବେ ବେଶ୍ ଚର୍ଚ୍ଚିତ ଥିଲେ।ମୁଣ୍ଡରେ ନଡ଼ିଆ ଭାଙ୍ଗିବା,ଦାନ୍ତ ରେ ନଡ଼ିଆ ରୁ କତା ଛଡ଼ାଇବା,ମଞ୍ଚ ଉପରେ ଶଗଡ଼ ଚକା ଟେକିବା,ଦାନ୍ତରେ ବାଇକ୍ ଉଠାଇବା,ନଡ଼ିଆ ଗଛ ରେ ଚଢ଼ି ପୁଣି ରଶି ରେ ଓହଳି ଆସିବା ଭଳି ଅନେକ ପ୍ରକାର ଆଶ୍ଚର୍ଯ୍ୟ ଜନକ ଜୀବନ୍ତ ଅଭିନୟ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରି ଦର୍ଶକ ଙ୍କ ପ୍ରଶଂସା ସାଉଁଟି ଥିଲେ। ସେ କଉଡ଼ିଆ ଗ୍ରାମର ରାମାୟଣ ଥିଏଟର ଅନୁଷ୍ଠାନର ମ୍ୟାନେଜର ଭାବେ ଦାୟିତ୍ୱରେ ଥିଲେ। ନାଟ୍ୟ ଅନୁଷ୍ଠାନ ପାଇଁ ସେ ସମ୍ପୂର୍ଣ୍ଣ ଭାବେ ସମର୍ପିତ ଥିଲେ। ଆବଶ୍ୟକ ହେଲେ ସେ ନିଜର ସଞ୍ଚିତ ଅର୍ଥରାଶି ଅନୁଷ୍ଠାନକୁ ଦେବାକୁ ପଛଘୁଞ୍ଚା ଦେଉନଥିଲେ ବୋଲି ବହୁ ସାଥି କଳାକାର କହିଛନ୍ତି। ଗଞ୍ଜାମ ଜିଲା ଅଧିନ ବିଭିନ୍ନ ଗ୍ରାମରେ ଥିବା  ରାମାୟଣ ନାଟକ ର ହନୁମାନ ଚରିତ୍ର ରେ ଅଭିନୟ ପାଇଁ ଅତିଥି କଳାକାର ଭାବେ ନିମନ୍ତ୍ରିତ ହୋଇ ଯାଉଥିଲେ। ତାଙ୍କ ଅକାଳ ବିୟୋଗ ସମଗ୍ର ଗଞ୍ଜାମ ଜିଲା ମଞ୍ଚ କଳା ର ଅପୂରଣୀୟ କ୍ଷତି ଘଟିଛି । ଜିଲାବାସୀ  ଜଣେ ବିଖ୍ୟାତ କଳାକାରଙ୍କୁ ହରାଇଛି ବୋଲି  ଗ୍ରାମର ସାମାଜିକ କର୍ମୀ ତଥା ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତାଙ୍କର ସ୍ତ୍ରୀ ଓ ୨ ଟି ଝିଅ ଅଛନ୍ତି। ପରଲୋକ ଖବର ପାଇ ବୁଧବାର ବହୁ ବିଶିଷ୍ଟ ବ୍ୟକ୍ତି, ସାଥି ମଞ୍ଚ କଳାକାର ବୃନ୍ଦ ତାଙ୍କ ବାସଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ