କ୍ଷମତା ନାହିଁ, ତଥାପି ଜନତାଙ୍କ ହୃଦୟରେ ଅଛନ୍ତି ଶ୍ରୀକାନ୍ତ ସାହୁ
ପୋଲସରା, (ଅନୀଲ କୁମାର ମହାରଣା) : ଜନସେବାର ମୂଲ୍ୟ କେବଳ କ୍ଷମତା କିମ୍ବା ପଦପଦବୀକୁ ନେଇ ପ୍ରମାଣିତ ହୁଏ ନାହିଁ। ପରାଜୟ ପରେ ମଧ୍ୟ ଯିଏ ଲୋକଙ୍କ ସୁଖଦୁଃଖରେ ସାମିଲ ହୁଏ, ବିପଦ ସମୟରେ ଯିଏ ଲୋକଙ୍କ ପାଖରେ ଠିଆ ହୁଏ, ସେହି ବ୍ୟକ୍ତି ହିଁ ପ୍ରକୃତ ଜନନେତାର ପରିଚୟ ପାଇଥାଏ। ଦୁଇ ଥରର ବିଧାୟକ ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସେମାନଙ୍କ ମଧ୍ୟରୁ ଅନ୍ୟତମ। ଗତ ଏକ ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାବାସୀ ତିନିଟି ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇଛନ୍ତି। ପ୍ରକୃତିର ଏହି ପ୍ରକୋପରେ ଜିଲ୍ଲାର ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଗରିବ, ଚାଷୀ ଓ ଶ୍ରମଜୀବୀ ପରିବାର। ବାତ୍ୟା ଅର୍ଣ୍ଣବର ଆଘାତରେ ଚାଷୀକୁଳର କ୍ଷତି ପୂରଣ ହୋଇନଥିବା ବେଳେ ପୁଣି ବାତ୍ୟା ଆକଭାନର ପ୍ରଭାବ ସେମାନଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ବିଶେଷକରି ଧାନ ଓ ପନିପରିବା ଚାଷୀଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ। ଯେଉଁ ଜମିରେ କିଛି ଦିନ ପୂର୍ବରୁ ସୁନାର ଫସଲ ହସୁଥିଲା, ଆଜି ସେହି ଜମି ଜଳମଗ୍ନ ହୋଇ ଚାଷୀଙ୍କ ଆଖିରେ ଲୁହ ଆଣିଛି। ଫସଲ ନଷ୍ଟ ହେବା ସହ ଜୀବିକାର ଏକମାତ୍ର ଭରଷା ଧାନ ଫସଲ ଉଜୁଡ଼ି ଯାଇଥିବାରୁ ଚାଷୀ ହତାଶ ହୋଇଯାଇଛି। ଏଭଳି ଦୁର୍ଦ୍ଦିନରେ କ୍ଷମତାରୁ ଦୂରରେ ଥିଲେ ମଧ୍ୟ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଲୋକଙ୍କ ନିକଟରେ ପହଞ୍ଚିବାରେ ଅବହେଳା କରିନାହାନ୍ତି। କେତେବେଳେ ଆଣ୍ଠୁଏ ପାଣିରେ, ଆଉ କେତେବେଳେ କାଦୁଅ ରାସ୍ତାରେ ଚାଲି ଗାଁକୁ ଗାଁ, ସାହିକୁ ସାହି ବୁଲି ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶା ଅନୁଧ୍ୟାନ କରିଛନ୍ତି। ଲୋକଙ୍କ ସମସ୍ୟା ବୁଝିବା ସହ ସେମାନଙ୍କ ଦୁଃଖରେ ସାମିଲ ହୋଇଛନ୍ତି। ନିକଟରେ ପ୍ରବଳ ବର୍ଷା ଯୋଗୁଁ ଧନେଇ ଜଳଭଣ୍ଡାରର ଜଳସ୍ତର ହଠାତ୍ ବୃଦ୍ଧି ପାଇଥିଲା। ଫଳରେ ପୋଲସରା ଅଞ୍ଚଳର ବିଭିନ୍ନ ସ୍ଥାନ ଜଳମଗ୍ନ ହେବା ସହ ପୋଲସରା ମୁନିସିପାଲିଟିର ବାଲିଘାଇ, ସିଦ୍ଧିପୁର ଓ ପାଟିଗଡ଼ ଗ୍ରାମକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଏହି ସୂଚନା ପାଇବା ପରେ ଶ୍ରୀକାନ୍ତ ସାହୁ ନିଜ ସମର୍ଥକଙ୍କ ସହ ତତକ୍ଷଣାତ୍ ପୋଲସରା ବ୍ଲକର ଉସ୍ତାପଡ଼ା, ବାଲିଘାଇ, ସିଦ୍ଧିପୁର ଓ ପାଟିଗଡ଼ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ବିପନ୍ନ ପରିବାରଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବୁଝିବା ସହ କେତେକ ସ୍ଥାନରେ ଆବଶ୍ୟକୀୟ ରିଲିଫ ବଣ୍ଟନ କରିଥିଲେ। ସେହିପରି ପୋଲସରା ବ୍ଲକର ଉସ୍ତାପଡ଼ା ଓ ବନ୍ଥପଲ୍ଲୀ ଗ୍ରାମକୁ ଯାଇ ବିପନ୍ନ ପରିବାର ଏବଂ ସ୍ଥାନୀୟ ସରପଞ୍ଚଙ୍କ ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। କ୍ଷମତାରେ ନଥିବା ସତ୍ତ୍ୱେ ଲୋକଙ୍କ ଦୁଃଖକୁ ନିଜର ଦୁଃଖ ଭାବି ବିପଦ ସମୟରେ ସହଯୋଗର ହାତ ବଢ଼ାଇବା ଜଣେ ପ୍ରକୃତ କର୍ମବୀର ରାଜନେତାଙ୍କ ପ୍ରମାଣ ଦିଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ଦୁର୍ଦ୍ଦିନରେ ଜନସମ୍ପର୍କ ଓ ସେବାମୂଳକ ପଦକ୍ଷେପ ପାଇଁ ପୋଲସରା ଅଞ୍ଚଳର ଲୋକଙ୍କ ହୃଦୟରେ ସ୍ଥାନ ପାଇପାରିଛନ୍ତି ଶ୍ରୀକାନ୍ତ ସାହୁ।


