ଚୀନର ଚିନ୍ତା ବଢ଼ାଇଲା ୧୧୦୦ ନୂଆ ମାମଲା
ବେଜିଂ: ଚୀନରେ ଏବେ ନୂଆ କରୋନା ମାମଲା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । କରୋନା ଭାଇରସର କେନ୍ଦ୍ରସ୍ଥଳ ଓହାନରୁ ଲକଡାଉନ ହଟିଥିଲେ ମଧ୍ୟ ସବୁ ଅଞ୍ଚଳରେ କରୋନା ରୋଗୀ ଅଛନ୍ତି ଏବଂ ପ୍ରତିଦିନ ନୂଆ ଆକ୍ରାନ୍ତ ପୁଣି ବାହାରିଲେଣି । ଦୀର୍ଘ ୭୬ ଦିନ ପରେ ଉହାନରୁ ଲକଡାଉନ ହଟିଥିଲା । ଚୀନ ଏବେ ଧୀରେ ଧୀରେ ସ୍ୱାଭାବିକ ହେଉଛି ବୋଲି ଏହା ସୂଚନା ଦେଉଛି । କିନ୍ତୁ ବାସ୍ତବ ସ୍ଥିତି ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ ଚୀନର ଏବେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି । ଚୀନର ସରକାରୀ ତଥ୍ୟ ଅନୁଯାୟୀ ଦେଶର ବିଭିନ୍ନ ଅଞ୍ଚଳରୁ ଏବେ ୧୧୦୦ ନୂଆ କରୋନା ମାମଲା ସାମ୍ନା ଆସିଛି ଏବଂ ଅନ୍ୟମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ କଟକଣା ବଢ଼ାଇଯାଇଛି । ୨ ଶହରୁ ଅଧିକ ମାମଲା ବିଦେଶ ଫେରାନ୍ତାଙ୍କୁ ନେଇ ହୋଇଥିବା ସ୍ଥାନୀୟ ପ୍ରଶାସନ ସୂତ୍ରରୁ ପ୍ରକାଶ । ଚୀନର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ ଗୁରୁବାର ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଲକ୍ଷଟଣ ନଥିବା ରୋଗୀଙ୍କ ପାଇଁ ସମସ୍ୟା ବଢ଼ୁଛି । ଏଥିସହ ଚୀନରେ କରୋନା ମୃତ୍ୟୁ ସଂଖ୍ୟା ୩,୩୩୫ ରେ ପହଞ୍ଚିଛି ଏବଂ ସଂଖ୍ୟା ୮୧,୮୬୫ ରେ ପହଞ୍ଚିଲାଣି । ଦୀର୍ଘ ୩ ମାସ ଧରି କରୋନା ନିୟନ୍ତ୍ରଣ ପାଇଁ ଚୀନରେ ସବୁକିଛି ବନ୍ଦ ଥିଲା । ଏବେ ପର୍ଯ୍ୟାୟକ୍ରମେ ଚୀନରେ ଫ୍ୟାକ୍ଟ୍ରିଏବଂ କମ୍ପାନୀ ଗୁଡ଼ିକ ଖୋଲିଥିବା ବେଳେ ଏହି ନୂଆ ମାମଲା ଯୋଗୁଁ ପୁଣି ସ୍ଥିତି ଜଟିଳ ହେବା ଆଶଙ୍କା ରହିଛି । ଉହାନ ନିକଟସ୍ଥ ଗୁଆଙ୍ଗଡଙ୍ଗ ପ୍ରଦେଶରେ ପୁଣି କେତେକ ନୂଆ ମାମଲା ଆସିବା ପରେ ବ୍ୟାପକ ଯାଞ୍ଚ ଆରମ୍ଭ ହୋଇଛି । ବୁଧବାର ଦିନ ମଧ୍ୟ ୫୬ ଜଣଙ୍କ ଶରୀରରେ ଭାଇରସର କୌଣସି ଲକ୍ଷଣ ନଥାଇ ଭାଇରସ ପଜିଟିଭ ଥିବା ଜଣାପଡ଼ିଛି । ଚୀନରେ ସମୁଦାୟ ୧୧୦୪ ଜଣ ଦ୍ୱିତୀୟ ପର୍ଯ୍ୟାୟରେ ଭାଇରସ ସଂକ୍ରମିତ ହୋଇଛନ୍ତି । ହୁବେଇ ପ୍ରଦେଶରେ ବୁଧବାର କରୋନା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।


