କୋଭିଡ ମୁକାବିଲାରେ ବ୍ୟବହୃତ ଅଭିନବ ୩-ଡୀ ସାମଗ୍ରୀର ନାଇପର-ଜି ଦ୍ୱାରା ପ୍ରସ୍ତୁତ

ନୂଆଦିଲ୍ଲୀ : କୋଭିଡ-୧୯ର ସଂକ୍ରମଣକୁ ରୋକିବାରେ ସହାୟକ ହେଉଥିବା ୩-ଡୀ ସାମଗ୍ରୀର ଦୁଇଟି ଅଭିନବ ଡିଜାଇନ ଗୌହାଟିସ୍ଥିତ ଜାତୀୟ ଔଷଧୀୟ ଗବେଷଣା ପ୍ରତିଷ୍ଠାନ (ନାଇପର-ଜି)ର ଗବେଷକମାନେ ପ୍ରସ୍ତୁତ କରିଛନ୍ତି । ସେଥି ମଧ୍ୟରୁ ଗୋଟିଏ ୩-ଡୀ ପ୍ରିଂଟେଡ ହ୍ୟାଣ୍ଡି-ପ୍ରିଂ ସାମଗ୍ରୀ ଓ ଅନ୍ୟଟି ୩-ଡୀ ପ୍ରିଂଟେଡ ଆଣ୍ଟିମାଇକ୍ରୋବିୟାଲ ଫେସ ସିଲ୍ଡ । ଖାଲି ହାତରେ ବିଭିନ୍ନ ବସ୍ତୁ ଓ ସାମଗ୍ରୀ ଛୁଇଁବାରୁ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ରହୁଥିବାରୁ ତାହାକୁ ପ୍ରତିହତ କରିବା ପାଇଁ ଗଭୀର ଅନୁଶୀଳନ ଓ ଗବେଷଣା ପରେ ଏହି ଦୁଇ ସାମଗ୍ରୀର ଡିଜାଇନ ପ୍ରସ୍ତୁତ ହୋଇଛି । ୩-ଡୀ ପ୍ରିଂଟେଡ ହ୍ୟାଣ୍ଡି-ପ୍ରିଂ ସାମଗ୍ରୀକୁ କବାଟଝରକା ଖୋଲିବା ଓ ବନ୍ଦ କରିବା ଆଦି ପାଇଁ ବ୍ୟବହାର କରାଯାଇପାରିବ । ଡ୍ରୟାର, ରେଫ୍ରିଜିରେଟର ହ୍ୟାଣ୍ଡେଲ, ଏଲିଭେଟର ବଟନ, ଲ୍ୟାପଟପ-ଡେସ୍କଟପ, କିବୋର୍ଡ ତଥା ସୁଇଚ ବଟନରେ ଏହାକୁ ବ୍ୟବହାର କରିହେବ । ଏସବୁ ସାମଗ୍ରୀ ଯାହା ଏବେ ପାରମ୍ପରିକ ଜ୍ଞାନକୌଶଳରେ ନିର୍ମିତ ତାହା ବାରମ୍ବାର ସ୍ପର୍ଶ ଦ୍ୱାରା ସବୁଠୁ ଅଧିକ ସଂକ୍ରମିତ ହୋଇଥାଏ । ତେଣୁ ସାଂପ୍ରତିକ କାଳରେ ଘରେ ଓ ହସ୍ପିଟାଲରେ ଏହି ନୂଆ ୩-ଡୀ ପ୍ରିଂଟେଡ ହ୍ୟାଣ୍ଡସ ପ୍ରିଂ ସାମଗ୍ରୀକୁ ଲଗାଇଲେ ସଂକ୍ରମଣ ଆଶଙ୍କା ରହିବ ନାହିଁ । ଦ୍ୱିତୀୟ ସାମଗ୍ରୀ ଆଣ୍ଟି ମାଇକ୍ରୋବିୟାଲ ଫେସ ସିଲ୍ଡ ଦ୍ୱାରା କରୋନା ସଂକ୍ରମିତଙ୍କ ଚିକିତ୍ସା ଓ ଉପଚାରରେ ନିୟୋଜିତ କର୍ମଚାରୀ ଓ ଚିକିତ୍ସକ ମୁହଁ, ନାକ, ପାଟି, ଆଖି ଓ ଅନ୍ୟାନ୍ୟ ଇନ୍ଦ୍ରୀୟ ଦ୍ୱାରା ହେଉଥିବା ସଂକ୍ରମଣରୁ ସୁରକ୍ଷିତ ରହିପାରବେ । ସବିଶେଷ ଗବେଷଣା ପରେ ଏହି ସାମଗ୍ରୀର ଡିଜାଇନ ପ୍ରସ୍ତୁତ ହୋଇଛି । ଏହା ଅତ୍ୟନ୍ତ ନିରାପଦ ଓ ପିନ୍ଧିବାକୁ ସହଜ ଏବଂ ଏହାର ରାସାୟନିକ ସ୍ଥିରତା ଉତ୍ତମ । ତେଣୁ ସହଜରେ ଯେ କୌଣସି ଉତ୍ତମ ମାନର ସାନିଟାଇଜର ଦ୍ୱାରା ସଫା କରିହେବ । ନାଇପର-ଜିର ନିର୍ଦ୍ଦେଶକ ଡକ୍ଟର ୟୁ ଏ ଏନ ମୂର୍ତ୍ତି କହିଛନ୍ତି ଯେ ଏହି ଦୁଇ ସାମଗ୍ରୀର କ୍ଷୁଦ୍ର ମଡେଲ ପ୍ରସ୍ତୁତ ହୋଇଛି । ଏହା ଉପରେ ଆଉ କିଛି ଗବେଷଣା ଓ ଅନୁଧ୍ୟାନ କରାଯାଇ ଏସବୁର ଉତ୍ପାଦନ ପାଇଁ ବିଭିନ୍ନ କମ୍ପାନୀ ଓ ସଂସ୍ଥାକୁ ଅନୁମତି ଦେବାକୁ ବିଚାର କରାଯାଉଛି । କରୋନା ମୁକାବିଲାରେ ଏହି ଦୁଇ ସାମଗ୍ରୀ ବିଶେଷ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ