ରାଷ୍ଟ୍ରୀୟ ଫର୍ଟିଲାଇଜର ଲିମିଟେଡ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ସାର ଦେବାକୁ ପ୍ରତିଶ୍ରୁତିବଦ୍ଧ
ନୂଆଦିଲ୍ଲୀ : ଭାରତ ସରକାରଙ୍କ ରସାୟନ ଓ ସାର ମନ୍ତ୍ରଣାଳୟର ସାର ବିଭାଗ ଅଧିନସ୍ଥ ରାଷ୍ଟ୍ରୀୟ ଫର୍ଟିଲାଇଜର ଲିମିଟେଡ (ଏନଏଫଏଲ) ଦେଶରେ କୋଭିଡ-୧୯ ଜନିତ ଲକଡାଉନ ସତ୍ଵେ ଚାଷୀମାନଙ୍କୁ ନୀରବଚ୍ଛିନ୍ନ ଭାବେ ସାର ଯୋଗାଉଛି । ଏନଏଫଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମନୋଜ ମିଶ୍ର କହିଛନ୍ତି ଯେ, କମ୍ପାନୀର ନାଙ୍ଗଲ, ଭାଟିଣ୍ଡା, ପାନିପଥ ଓ ବିଜୟପୁରର ଦୁଇଟି କାରଖାନା ପୁରା ଦମରେ ଚାଲିଛି । ଏହି ୫ଟି କାରଖାନା ଦିନକୁ ୧୧ହଜାର ଟନରୁ ଊର୍ଦ୍ଧ୍ଵ ସାର ଉତ୍ପାଦନ କରି ବଜାରକୁ ଛାଡୁଛନ୍ତି । ଅସୁବିଧା ସମୟରେ ମଧ୍ୟ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ରକ୍ଷା କରି ପୁରା ମାତ୍ରାରେ କାର୍ଯ୍ୟକ୍ଷମ ହୋଇ ଉତ୍ପାଦନ କରିବା କମ୍ପାନୀଗୁଡ଼ିକର ବଡ ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଭାରତ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅଧୀନରେ ଦେଶର ସାର କାରଖାନାଗୁଡିକୁ ଚାଲୁ ରଖିବା ପାଇଁ ଅନୁମତି ଦେଇଛନ୍ତି । ଲକଡାଉନ ସତ୍ଵେ ଚାଷୀମାନେ ଆଗାମୀ ଖରିଫ ଋତୁ ପାଇଁ ପର୍ଯ୍ୟାପ୍ତ ସାର ପାଇପାରିବେ । ମାଲ ବୋଝେଇ, ଖଲାସ ଓ ପରିବହନ କାର୍ଯ୍ୟ ପୂର୍ଣ୍ଣମାତ୍ରାରେ ଚାଲୁଥିବାରୁ କୋଭିଡ ଲକଡାଉନ ଯୋଗୁଁ ଏଥିରେ କୌଣସି ବାଧା ସୃଷ୍ଟି ହୋଇନାହିଁ । କୋଭିଡନିରାପତ୍ତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ କାରଖାନାର ସ୍ଵତନ୍ତ୍ର ଟାସ୍କ ଫୋର୍ସମାନ ଗଠନ କରାଯାଇ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କାରଖାନା ପରିସରରେ କାମ କରୁଥିବା ସମସ୍ତ ଶ୍ରମିକ ଓ କର୍ମଚାରୀମାନଙ୍କୁ ମାସ୍କ ଯୋଗାଇ ଦେବା ସହ ବାରମ୍ବାର ହାତ ଧୋଇବାକୁ ସୁନିଶ୍ଚିତ କରାଯାଉଛି । ସରକାରୀ ନିର୍ଦ୍ଦେଶ ଯୋଗୁଁ ଏନଏଫଏଲ କମ୍ପାନୀର କର୍ମଚାରୀମାନେ ଅଭାବି ଲୋକମାନଙ୍କୁ ଖାଦ୍ୟ ଓ ଔଷଧପତ୍ର ଯୋଗାଇ ଦେଉଛନ୍ତି । ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀ ସହାୟତା ପାଣ୍ଠିକୁ ଏକ ମାସର ଦରମା ପ୍ରଦାନ କରିଛନ୍ତି ।