ବିଧାନସଭା ନିର୍ବାଚନ ୪ ରାଜ୍ୟରେ ଏକାକୀ ଲଢ଼ିବ ଜେଡିୟୁ
ପାଟନା(ଏଜେନ୍ସି): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ବିହାରକୁ ଛାଡିଦେଲେ ଅନ୍ୟ କେଉଁଠି ମଧ୍ୟ ବିଜେପି ନେତୃତ୍ୱାଧୀନ ଏନ୍ଡିଏର ଅଂଶ ହୋଇ ଆଉ ରହିବ ନାହିଁ । ଆଗାମୀ ଦିନରେ ୪ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଜେଡିୟୁ ଏକାକୀ ଲଢିବ । ରବିବାର ଜେଡିୟୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ, ହରିଆଣା, ଜାମ୍ମୁ କାଶ୍ମୀର ଏବଂ ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏକାକୀ ଲଢିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହି ବୈଠକରେ ପାର୍ଟିର ସମ୍ପ୍ରସାରଣ ଏବଂ ସଂଗଠନକୁ ଅଧିକ ମଜଭୁତ କରିବା ପାଇଁ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହାସହ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଜେଡିୟୁକୁ ଅନ୍ତର୍ଭୁକ୍ତ କରାନଯିବା ପ୍ରସଙ୍ଗରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ସେହିପରି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଜେଡିୟୁ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର କାମ କରିବା ପ୍ରସଙ୍ଗ ନେଇ କୌଣସି ଚର୍ଚ୍ଚା ହୋଇନାହିଁ ବୋଲି ଜେଡିୟୁ ସାଧାରଣ ସମ୍ପାଦକ କେସି ତ୍ୟାଗୀ କହିଛନ୍ତି । ଏହି ପ୍ରସଙ୍ଗ ନେଇ ଶନିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଥିଲେ ଯେ ପ୍ରଶାନ୍ତ କିଶୋରଙ୍କର ନିଜସ୍ୱ ଏକ କମ୍ପାନୀ ରହିଛି ଓ ଏହି କମ୍ପାନୀ ରାଜନୈତିକ ଦଳ ପାଇଁ ପ୍ର·ର କାର୍ଯ୍ୟ କରେ । ତେବେ ଏହି କମ୍ପାନୀ ସହ ଜେଡିୟୁର କୌଣସି ନେଣଦେଣ ନାହିଁ ।
ମୋଦିଙ୍କ ଦ୍ୱିତୀୟ ପାଳିରେ ଜେଡିୟୁକୁ ଗୋଟିଏ ମନ୍ତ୍ରୀ ପଦ ଦେବାକୁ ବିଜେପି ପ୍ରସ୍ତାବ ଦେଇଥିଲା । ମାତ୍ର ଜେଡିୟୁ ୨ଟି ମନ୍ତ୍ରିପଦ ଦାବିରେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା । ଫଳରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଜେଡିୟୁ କୋଟାରୁ ମନ୍ତ୍ରୀ ଭାବେ କେହି ଶପଥ ନେଇନଥିଲେ । ନିକଟରେ ଝାଡଖଣ୍ଡ ଜେଡିୟୁର ନୂତନ ଅଧ୍ୟକ୍ଷ ସାଲଖନ୍ ମୂର୍ମୂ ମଧ୍ୟ ଏକ ବଡ ଘୋଷଣା କରିସାରିଛନ୍ତି । ଆଗକୁ ହେବାକୁ ଥିବା ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଦଳ ଏଠାରେ ସମସ୍ତ ୮୧ ଆସନରୁ ଏକାକୀ ନିର୍ବାଚନ ଲଢିବ । ଏପରି ଦଳ କେବଳ ନିର୍ବାଚନ ଲଢିବ ତାହା ନୁହେଁ ବରଂ ବିଜୟ ହାସଲ କରିବ ବୋଲି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ବର୍ତ୍ତମାନ ସ୍ଥିତିରେ ଜେଡିୟୁ ଏକାକୀ ନିର୍ବାଚନ ଲଢିବା ନେଇ ଘୋଷଣା କରିବା ପରେ ବିଜେପି ସହ ଏହାର ମତଭେଦ ହୋଇଥିବା ସ୍ପଷ୍ଟ ଭାବରେ ପରିଲଖିତ ହେଉଛି । ଏଭଳି ସମୟରେ ଜେଡିୟୁ ପକ୍ଷରୁ ଏପ୍ରକାର ଘୋଷଣାର ପ୍ରମାଣିତ ହେଉଛି କି, ଦଳ ସହେଯାଗୀ ବିଜେପି ଦଳ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି । ତେବେ ଜେଡିୟୁର ଏହି ଚେଷ୍ଟା କେତେଦୂର ସଫଳ ହେଉଛି ତାହା ଆଗାମୀ ବିଧାନସଭା ନିର୍ବାଚନରେ ପ୍ରମାଣିତ ହେବ ।