ସ୍କୁଲ ସାମୁଖରେ ବର୍ଷା ପାଣି : କାଦୁଆ ରାସ୍ତାରେ ଯିବାକୁ ଅମଙ୍ଗ ଛାତ୍ରଛାତ୍ରୀ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଅସ୍ତରଙ୍ଗ ବ୍ଲକ ପ୍ରଶାସନର ଚରମ ଅବହେଳା ଯୋଗୁଁ ଆଳସାହି ପଞ୍ଚାୟତ ଅଧୀନ ଅସନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମ୍ନା ରାସ୍ତା ଏକ ପୋଖରୀ ପାଲଟିଛି। କିଛି ଦିନ ହେବ ଲଗାଣ ବର୍ଷା ହେଉଥିଲେ ବି ବ୍ଲକ ପ୍ରଶାସନ ଆଖି ବୁଜି ବସିଥିବାରୁ ବିଦ୍ୟାଳୟରୁ ୧୦୦ ମିଟର ପର୍ଯ୍ୟନ୍ତ ରାସ୍ତାରେ ପ୍ରାୟ ୨ଫୁଟ ଉଚ୍ଚର ବର୍ଷା ଜଳ ଜମି ରହିଛି। ମୁଖ୍ୟ ପ୍ରଶ୍ନ ହେଉଛି, ପ୍ରଶାସନ କଣ କରୁଛି ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀ ଏବଂ ଅଙ୍ଗନବାଡିର କୁନି କୁନି ପିଲା ଅପରିଷ୍କାର ପାଣିରେ ପଶି ସ୍କୁଲ ଯାଉଛନ୍ତି। ତଥାପି ବ୍ଲକ ଅଧିକାରୀଙ୍କ ଚିନ୍ତା ନାହିଁ। ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅସ୍ତରଙ୍ଗ ବ୍ଲକ ପ୍ରଶାସନ କାନ ଦେଉନାହିଁ। ଜଳ ନିଷ୍କାସନ ପାଇଁ ସଫା କରିବା, ମାଟି ପକାଇବା କିମ୍ବା ଅସ୍ଥାୟୀ ବ୍ୟବସ୍ଥା କରିବା ଏତେ କଷ୍ଟକର କାମ ନୁହେଁ। କିନ୍ତୁ ପ୍ରଶାସନର ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ପିଲାମାନେ ଭୋଗୁଛନ୍ତି। ଅଭିଭାବକମାନେ ରାଗରେ କହିଛନ୍ତି, ଆମ ପିଲାଙ୍କ ଜୀବନର ମୂଲ୍ୟ କଣ ବ୍ଲକ ଅଫିସରଙ୍କ ପାଖେ ନାହିଁ ଯଦି କୌଣସି ବଡ ଦୁର୍ଘଟଣା ଘଟେ ତେବେ ଦାୟୀ କିଏ ହେବ ସେମାନେ କହିଛନ୍ତି ପାଣି ଯୋଗୁଁ ଉପସ୍ଥିତି କମିଯାଇଛି। ପିଲାମାନେ ଓଦା ପୋଷାକରେ କ୍ଲାସ କରୁଛନ୍ତି। ଏପରି ଅବସ୍ଥାରେ ପାଠପଢା କେମିତି ହେବ? ଏ ନେଇ ସ୍ଥାନୀୟ ବାସିନ୍ଦା ହିମାଂଶୁ ରାଉତ କହିଛନ୍ତି ଆମେ ବାରମ୍ବାର ଶିକ୍ଷାଧିକାରୀ ଅଫିସ ଓ ବ୍ଲକକୁ ଚିଠି ଲେଖିଲୁ, କୌଣସି ଉତ୍ତର ନାହିଁ। ସବୁଠୁ ଦୁଃଖର କଥା ହେଲା, ସରକାର ଶିକ୍ଷା ସମସ୍ତଙ୍କ ପାଇଁ କହୁଥିବା ବେଳେ ଏକ ସ୍କୁଲର ସାମ୍ନା ରାସ୍ତାକୁ ଠିକ କରିପାରୁନାହାନ୍ତି। ବ୍ଲକ ପ୍ରଶାସନ କେବଳ କାଗଜରେ ବିକାଶ ଦେଖାଉଛି, ବାସ୍ତବରେ ଶୂନ। ପାଣି ଅଟକି ରହିବା ଯୋଗୁଁ ମଶା, ଡେଙ୍ଗୁ ଓ ଅନ୍ୟ ରୋଗ ହେବାର ଆଶଙ୍କା ମଧ୍ୟ ବଢିଛି। ଗ୍ରାମବାସୀ ଚେତାବନୀ ଦେଇଛନ୍ତି, ୪୮ ଘଣ୍ଟା ମଧ୍ୟରେ ଯଦି ପାଣି ନିଷ୍କାସନ ହୁଏ ନାହିଁ ତେବେ ସେମାନେ ବ୍ଲକ ଅଫିସ ସମ୍ମୁଖରେ ଆନ୍ଦୋଳନ କରିବେ। ଜିଲ୍ଲାପାଳ ଓ ଉଚ୍ଚ ଅଧିକାରୀମାନେ ତୁରନ୍ତ ହସ୍ତକ୍ଷେପ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଲୋକେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ