ଗୋଟିଏ ସପ୍ତାହ ମଧ୍ୟରେ ୪,୨୫୦କୋଟି ଟଙ୍କାର ୧୦.୨ଲକ୍ଷ ରିଫଣ୍ଡ ଜାରି

ନୂଆଦିଲ୍ଲୀ : କୋଭିଡ-୧୯ମହାମାରୀ ମୁକାବିଲା ଲାଗି ଟିକସଦାତାଙ୍କୁ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ରିଫଣ୍ଡ ଜାରି କରିବା ନିମନ୍ତେ ସରକାର ନିଷ୍ପତି ନେଇଥିଲେ । ଏ ସମ୍ପର୍କରେ ଗତ ୮ତାରିଖରେ ଏକ ପ୍ରେସ ବିବୃତି ଜାରି କରାଯାଇଥିଲା । ୧୪ଏପ୍ରିଲ ୨୦୨୦ସୁଦ୍ଧା ୪,୨୫୦କୋଟି ଟଙ୍କାର ପ୍ରାୟ ୧୦.୨ଲକ୍ଷ ରିଫଣ୍ଡ ଜାରି କରାଯାଇଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ସୂଚନା ଦିଆଯାଇଛି । ଏହାବ୍ୟତୀତ ୩୧ମାର୍ଚ୍ଚ ୨୦୨୦ସୁଦ୍ଧା ୨.୫୦କୋଟି ରିଫଣ୍ଡ ୨୦୧୯-୨୦ଆର୍ଥିକ ବର୍ଷ ପାଇଁ ପୂର୍ବରୁ ଜାରି କରାଯାଇସାରିଛି। ସର୍ବମୋଟ ୧.୮୪ଲକ୍ଷ କୋଟି ଟଙ୍କାର ରିଫଣ୍ଡ ଜାରି କରାଯାଇସାରିଥିବା ଏଥିରେ କୁହାଯାଇଛି । ସିବିଡିଟି ପକ୍ଷରୁ ଆହୁରି କୁହାଯାଇଛି ଯେ ଚଳିତ ସପ୍ତାହରେ ଆହୁରି ପାଖାପାଖି ୧.୭୫ଲକ୍ଷ ରିଫଣ୍ଡ ଜାରି କରିବା ଲାଗି ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏସବୁ ରିଫଣ୍ଡ ସିଧାସଳଖ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ୫-୭ବ୍ୟବସାୟ ଦିନରେ ଜାରି କରାଯିବ । ତେବେ ବକେୟା ଟିକସ ଦାବି ନିମନ୍ତେ ଟିକସଦାତାଙ୍କ ଇମେଲ ଉତରକୁ ଅପେକ୍ଷା କରାଯାଇଛି । ଏଥିପାଇଁ ସେମାନଙ୍କୁ ସୂଚିତ କରାଯାଇଛି । ସେମାନେ ୭ଦିନ ମଧ୍ୟରେ ଜବାବ ଦାଖଲ କଲେ ରିଫଣ୍ଡ ଜାରି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଯିବ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆୟକର ବିଭାଗ ପକ୍ଷରୁ ଟିକସଦାତାଙ୍କ ଲାଭ ନିମନ୍ତେ ଏସବୁ ରିମାଇଣ୍ଡର ଇମେଲ ପଠାଯାଇଛି । ଏଥିରେ ସେମାନଙ୍କ ଠାରୁ ବକେୟା ରିଫଣ୍ଡ ଦାବି, ବ୍ୟାଙ୍କ ଆକାଉଣ୍ଟ ଏବଂ ତ୍ରୁଟି/ଭୁଲର ସଂଶୋଧନ ନିମନ୍ତେ ଆବଶ୍ୟକତ ତଥ୍ୟ ମଗାଯାଇଛି । ଏହାପରେ ରିଫଣ୍ଡ ଜାରି କରାଯିବ । ତୁରନ୍ତ ଏପରି ଇମେଲର ଜବାବ ଦେବାକୁ ସିବିଡିଟି ପକ୍ଷରୁ ଟିକସଦାତାମାନଙ୍କୁ ନିବେଦନ କରାଯାଇଛି ଯଦ୍ଦ୍ୱାରା ତୁରନ୍ତ ରିଫଣ୍ଡ ଜାରି କରାଯାଇପାରିବ । ଟିକସଦାତାମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ନିଜର ଇ-ମେଲ ଏବଂ ଇ-ଫାଇଲିଂ ଆକାଉଣ୍ଟରେ ଲଗଇନ କରି ଆୟକର ବିଭାଗକୁ ତୁରନ୍ତ ଜବାବ ଦିଅନ୍ତୁ । ରିଫଣ୍ଡ ଜାରି କରିବା ନିମନ୍ତେ ସିବିଡିଟିକୁ ୭ଦିନ ମଧ୍ୟରେ ଜବାବ ଦାଖଲ କରିବା ସମ୍ପର୍କରେ ଟିକସଦାତାଙ୍କ ପାଖକୁ ଯାଇଥିବା ଇ-ମେଲ ସମ୍ପର୍କରେ କେତେକ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏ କ୍ଷେତ୍ରରେ ଏହା ସ୍ପଷ୍ଟ କରାଯାଉଛି ଯେ ଏସବୁ ଦରକାରୀ ନିୟମିତ ପ୍ରକ୍ରିୟା । ଏହା ଅନ୍ତର୍ଗତ ତ୍ରୁଟିପୂର୍ଣ୍ଣ ଆୟକର ରିଟର୍ଣ୍ଣ, ପ୍ରାଥମିକ ଆଡଜଷ୍ଟମେଂଟ ଏବଂ କେତେକ ଦାବି ସୁନିଶ୍ଚିତ କରିବା ଲାଗି ଟିକସଦାତାଙ୍କ ଠାରୁ ତଥ୍ୟ ଲୋଡ଼ା ଯାଇଥାଏ । ଏପରି କ୍ଷେତ୍ରରେ ଟିକସଦାତା ତୁରନ୍ତ ଜବାବ ଦାଖଲ କଲେ ଆଇଟି ବିଭାଗ ପକ୍ଷରୁ ସେମାନଙ୍କର ରିଫଣ୍ଡ ଜାରି କରାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ