ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ଲୋକକଳା ଦିବସ ପାଳିତ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ସଂସ୍କୃତି ଭବନଠାରେ ପ୍ରଥମ ଜିଲ୍ଲାସ୍ତରୀୟ ଲୋକକଳା ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାର କଳାକାରମାନଙ୍କ ଚିହ୍ନଟ ପ୍ରକ୍ରିୟାକୁ କଡାକଡି କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଫଳରେ ପ୍ରକୃତ କଳାକାର ସରକାରୀ ମାନ୍ୟତା ପାଇବା ଏବଂ ସୁବିଧା ସୁଯୋଗ ହାସଲ କରିପାରିବେ ବୋଲି କହିଥିଲେ । ଏଣିକି ପ୍ରତି ମାସ କଳାକାର ପେନସନ୍ ପ୍ରଦାନ ଦିଗରେ ଦୃଷ୍ଟି ଦିଆଯିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରୁ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ( ଅର୍ଥ) ଶ୍ରୀ ଅଜୟ କୁମାର ସେଠୀ କଳାକାରମାନଙ୍କ ଏ ଧରଣର ସମାବେଶ କାର୍ଯ୍ୟକ୍ରମର ସଫଳତାକୁ ବୟାନ କରୁଛି ବୋଲି କହି କଳାକାରମାନଙ୍କୁ ସମ୍ବୋଧନ କରିଥିଲେ । ସେହିପରି ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସହକାରୀ ଜିଲ୍ଲାପାଳ ଶ୍ରୀ ସତ୍ୟଜିତ୍ ମହାନ୍ତି କଳାକାର ପ୍ରକୃତରେ ନିଜସ୍ୱ ଉଦ୍ୟମ ନ କଲେ କଳା ବଂଚିପାରିବ ନାହିଁ, ତେଣୁ ଏ ଦିଗରେ ସରକାରଙ୍କ ସହଯୋଗ ନୂତନ ମାଇଲଖୁଂଟ ହୋଇପାରିବ ବୋଲି କହିଥିଲେ । ଜିଲ୍ଲା କଳାକାର ସଂଘର ଉପସଭାପତି ଶ୍ରୀ ଚକ୍ରଧର ମହାପାତ୍ର କଳାକାରମାନଙ୍କ ନିମନ୍ତେ ବ୍ଲକ କାର୍ଯ୍ୟାଳୟ ପରିସରରେ ଗୋଟିଏ କକ୍ଷ ସ୍ଥାପନ କରିବା ଦିଗରେ ପଦକ୍ଷେପ ନେବାକୁ ପ୍ରଶାସନ ଆଗରେ ପ୍ରସ୍ତାବ ରଖିଥିଲେ । ସମ୍ମାନୀତ ଅତିଥି ଭାବେ ମାନ୍ୟବର ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା ତାଙ୍କ ବକ୍ତବ୍ୟରେ କଳାକାରମାନଙ୍କ ଯେଉଁ ସବୁ ସମସ୍ୟା ରହିଛି ଆବଶ୍ୟକ ହେଲେ ବିଧାନସଭାରେ ପ୍ରସଙ୍ଗ ଉପସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ସୁବାଷ ନିଆଲ ଧନ୍ୟବାଦ ଅର୍ପଣ କରିଥିଲେ । କଳାକାରମାନଙ୍କ ମଧ୍ୟରୁ ଦୀନବନ୍ଧୁ ଦାସ, ସୁରେଶ ଚନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ବଂଶୀଧର ପଣ୍ଡା, ଚନ୍ଦ୍ରମୋହନ ରାଉଳ, ଜଗଦୀଶ ଜେନା ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପରେ ଅତିଥିମାନଙ୍କ ସହ କଳାକାରମାନଙ୍କୁ ନେଇ ଗ୍ରୁପ୍ ଫଟୋ ଉଠା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ବେଦଭାରତୀ ସଂକୀର୍ତନ ମଣ୍ଡଳୀ ଦ୍ୱାରା ପ୍ରାରମ୍ଭିକ ସଂକୀର୍ତନ ପରିବେଷଣ କରାଯାଇଥିଲା । ଫଟୋ ସେସନ୍ କାର୍ଯ୍ୟକ୍ରମରେ ମାନ୍ୟବର ବସ୍ତା ବିଧାୟକ ଶ୍ରୀ ନିତ୍ୟାନନ୍ଦ ସାହୁ ଯୋଗ ଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱିନୀ ରାଉତ ପରିଚାଳନା କରିଥିଲେ ।