ସୀମା ଡେଇଁ ବାଲେଶ୍ୱର ଆସିଛନ୍ତି ୨୮୦୦
ବାଲେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବାବେଳେ କୋଲକାତା ଫେରନ୍ତା ଏବେ ଚିନ୍ତା ବଢାଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସିବାରୁ ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ସୀମା ଡେଇଁ ବାଲେଶ୍ୱର ଜିଲ୍ଲାକୁ ପ୍ରାୟ ୨୮୦୦ ଲୋକ ପଶି ଆସିଛନ୍ତି । ଗତ ୨ ମାସ ଭିତରେ ପ୍ରାୟ ୨୭ଶହରୁ ୨୮ଶହ ଲୋକ ଆସିଛନ୍ତି । ପଡେ଼ାଶୀ ରାଜ୍ୟରେ କାମ କରୁଥିବା ବହୁ ଲୋକ ପଶି ଆସିଛନ୍ତି । ବାଲେଶ୍ୱର ସ୍ଥିତି ସମୀକ୍ଷା ପରେ ଆରଡିସି ଅନୀଲ ସାମଲ ଏହି ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ଲକଡାଉନ ପରେ ମଧ୍ୟ କିଛି ଲୋକ ବାଲେଶ୍ୱରକୁ ପଶି ଆସିଛନ୍ତି । ସରପଞ୍ଚ ଓ ଜିପିଓମାନଙ୍କ ଦ୍ୱାରା ଡାଟା ପ୍ରସ୍ତୁତ କରାଯାଇଛି । ସେ ସମସ୍ତ ଲୋକଙ୍କୁ କ୍ୱାରେନଣ୍ଟାଇନରେ ରଖାଯିବାର ବ୍ୟବସ୍ଥା ହୋଇଛି । ୧୪ ଦିନ ଭିତରେ ଆସିଥିବା ଲୋକଙ୍କୁ କ୍ୱାରେନଣ୍ଟାଇନରେ ରଖାଯିବ । କ୍ୱାରେନଣ୍ଟାଇନରେ ରଖି ସେମାନଙ୍କ ସାମ୍ପଲ ଟେଷ୍ଟ କରାଯିବ । ଲକଡାଉନ ସତ୍ତ୍ୱେ ପଡେ଼ାଶୀ ରାଜ୍ୟରୁ ବହୁ ଲୋକ ଚାଲିଆସିଥିବା କେନ୍ଦ୍ରାଞ୍ଚଳ ଆରଡିସି ସ୍ୱୀକାର କରିଛନ୍ତି । ତାଙ୍କ ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ସହ ଆମର ପ୍ରାୟ ୧୦୦ କିମି ସୀମା ରହିଛି । ସୀମା ସିଲ ସତ୍ତ୍ୱେ ବହୁ ଲୋକ କୌଶଳ କରି ଚାଲି ଆସିଛନ୍ତି । କିଛି ଲୋକ ରାତିରେ ବିଲରେ ପଶି ଚାଲି ଆସିଥିବା ଜଣାପଡ଼ିଛି । ଆଉ କିଛି ଲୋକ ଆମ୍ବୁଲାନ୍ସରେ ବି ଚାଲି ଆସିଥିବା ସୂଚନା ଅଛି । ସେମାନଙ୍କୁ ଠାବ କରି କ୍ୱାରେନଣ୍ଟାଇନରେ ରଖାଯାଉଛି । ବେଆଇନ ପରିବହନ କରିଥିବା ଆମ୍ବୁଲାନ୍ସ ପ୍ରତି ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଆରଡିସି କହିଛନ୍ତି ।


