୩୩କୋଟି ଗରିବଙ୍କୁ ୩୧,୨୩୫ କୋଟି ଟଙ୍କାର ଆର୍ଥିକ ସହାୟତା
ନୂଆଦିଲ୍ଲୀ : ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ୩୩ କୋଟିରୁ ଅଧିକ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏ ପର୍ଯ୍ୟନ୍ତ (୨୦୨୦ ଏପ୍ରିଲ ୨୨) ୩୧,୨୩୫ କୋଟି ଟଙ୍କା ସିଧାସଳଖ ଆର୍ଥିକ ସହାୟତା ଆକାରରେ ଯୋଗାଇ ଦିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମାର୍ଚ୍ଚ ୨୬ରେ ଏହି ତଥ୍ୟ ପ୍ରକାଶ କରିବା ଅବସରରେ କହିଛନ୍ତି ଯେ ଲକଡାଉନର ପ୍ରଭାବରୁ ଗରିବ ଲୋକଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ସହାୟତା ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଅଂଶ ସ୍ୱରୂପ ସରକାର ମହିଳା, ଗରିବ, ବରିଷ୍ଠ ନାଗରିକ ଓ ଚାଷୀମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଏହି କାର୍ଯ୍ୟକ୍ରମରେ ତ୍ୱରିତ ଓ ଉପଯୁକ୍ତ କାର୍ଯ୍ୟକାରିତା ଉପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନଜର ରଖିଛନ୍ତି ଏବଂ ନିୟମିତ ଭାବେ ଏହାର ସମୀକ୍ଷା କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରଣାଳୟ ଓ ସଂପୃକ୍ତ ଅନ୍ୟାନ୍ୟ ମନ୍ତ୍ରଣାଳୟ ମଧ୍ୟ ଏହାର କାର୍ଯ୍ୟକାରିତାକୁ ତଦାରଖ କରୁଛନ୍ତି । କ୍ୟାବିନେଟ ସେକ୍ରେଟାରିଏଟ ମଧ୍ୟ ଏହା ଉପରେ ନଜର ରଖିଛି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ଲକଡାଉନ କାଳରେ ଗରିବ ଓ ଅଭାବୀ ଲୋକ ଯେପରି ଅସୁବିଧା ନ ଭୋଗନ୍ତି। ହିତାଧିକାରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ ସମୟରେ ତାହା ଯେପରି ବାଟମାରଣା ନହୁଏ ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଆର୍ଥିକ ସହାୟତା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଯାଇଥିବାବେଳେ ଖାଦ୍ୟଶସ୍ୟ, ଗ୍ୟାସ ସିଲିଣ୍ଡର ସେମାନଙ୍କୁ ସରକାରୀ ଅନୁମୋଦିତ ବ୍ୟବସ୍ଥାରେ ଯୋଗାଇ ଦିଆଯାଇଛି । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବ୍ୟବସ୍ଥାରେ ଏପ୍ରିଲ ୨୨ ସୁଦ୍ଧା ଯେଉଁସବୁ ସହାୟତା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ଯୋଗାଇ ଦିଆଯାଇଛି ତାହାର ଏକ ତାଲିକା ନିମ୍ନରେ ପ୍ରଦାନ କରାଯାଇଛି ।