ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଅଧୀନରେ ଭୋଟର ତାଲିକା ଯାଞ୍ଚ

ଛତ୍ରପୁର, (ଓ୍ବାଇଏନଏସ) :  ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)-୨୦୨୬ ଅଧୀନରେ ଚାଲିଥିବା ଭୋଟର ତାଲିକା ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରାଯାଇଛି। ଏକ ନିର୍ଭୁଲ, ସ୍ୱଚ୍ଛ ଓ ଆଦର୍ଶ ଭୋଟର ତାଲିକା ପ୍ରସ୍ତୁତିକୁ ଲକ୍ଷ୍ୟ କରି ଯାଞ୍ଚ ଓ ଶୁଣାଣି କାର୍ଯ୍ୟକୁ ତ୍ୱରାନ୍ୱିତ କରି ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ପ୍ରକ୍ରିୟା ସମାପ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି. କୀର୍ତ୍ତି ଭାସନ ସମ୍ପୃକ୍ତ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ପାଇଁ ମୋଟ ୫,୨୯,୧୩୭ଟି ନୋଟିସ୍ ସୃଷ୍ଟି କରିବାର ଲକ୍ଷ୍ୟ ରହିଥିବାବେଳେ ୫,୨୯,୦୮୬ଟି ନୋଟିସ୍ ସଫଳତାର ସହ ସୃଷ୍ଟି କରାଯାଇଛି। ସେଥିମଧ୍ୟରୁ ୧,୫୪,୦୦୨ଟି ନୋଟିସ୍ ବିତରଣ କରାଯାଇଥିବାବେଳେ ଅବଶିଷ୍ଟ ୩,୭୫,୦୮୪ଟି ନୋଟିସ୍ ବିଏଲ୍‌ଓ ଓ ନିର୍ବାଚନ କର୍ମଚାରୀମାନଙ୍କ ଦ୍ୱାରା ଘରକୁ ଘର ଯାଇ ଶୀଘ୍ର ବିତରଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ନୋଟିସ୍‌ଗୁଡ଼ିକର ଶୁଣାଣି ପ୍ରକ୍ରିୟା ମଧ୍ୟ ସୁଚାରୁରୂପେ ଚାଲିଛି। ଏପର୍ଯ୍ୟନ୍ତ ୪୦,୨୯୫ଟି ନୋଟିସ୍‌ର ଶୁଣାଣି ସମ୍ପନ୍ନ ହୋଇଥିବାବେଳେ ୧,୫୮୫ଟି ମାମଲା ପେଣ୍ଡିଙ୍ଗର ରହିଛି । ସେହିପରି ଯାଞ୍ଚ ପରେ ୨୩୦ଟି ମାମଲାକୁ ଅଯୋଗ୍ୟ ବିବେଚନା କରାଯାଇଛି।ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୨୦,୨୮,୯୦୯ଟି ଆବେଦନ ଅନ୍ତିମ ଭୋଟର ତାଲିକା ପ୍ରକାଶନ ପାଇଁ ସଂରକ୍ଷିତ ରହିଛି। ସେଥିମଧ୍ୟରୁ ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୨,୦୦,୪୮୩ଟି ଆବେଦନ ସଂରକ୍ଷିତ ରହିଛି। ଏହା ପଛକୁ ଦିଗପହଣ୍ଡିରେ ୧,୭୦,୫୧୧ଟି, ସାନଖେମୁଣ୍ଡିରେ ୧,୭୦,୦୮୧ଟି, ଛତ୍ରପୁରରେ ୧,୬୪,୧୦୨ଟି ଏବଂ ହିଞ୍ଜିଳିରେ ୧,୬୩,୦୩୩ଟି ଆବେଦନ ଅନ୍ତିମ ପ୍ରକାଶନ ପାଇଁ ସଂରକ୍ଷିତ ରହିଛି। ସମସ୍ତ ବିଧିବଦ୍ଧ ଯାଞ୍ଚ, ଶୁଣାଣି ଓ ଅନ୍ୟାନ୍ୟ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଏହି ଆବେଦନଗୁଡ଼ିକୁ ଅନ୍ତିମ ଭୋଟର ତାଲିକାରେ ସ୍ଥାନ ଦିଆଯିବ। ଜିଲ୍ଲାର ସମସ୍ତ ବିଏଲ୍‌ଓ, ନିର୍ବାଚନ କର୍ମଚାରୀ ଓ ତଦାରଖକାରୀ ଅଧିକାରୀମାନେ ନୋଟିସ୍ ବିତରଣ, କ୍ଷେତ୍ରସ୍ତରୀୟ ଯାଞ୍ଚ ଓ ଶୁଣାଣି କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରୁଥିବାରୁ ଜିଲ୍ଲାପାଳ ସେମାନଙ୍କୁ ସାଧୁବାଦ ଜଣାଇବା ସହ ଅବଶିଷ୍ଟ କାର୍ଯ୍ୟକୁ ମଧ୍ୟ ସମାନ ତତ୍ପରତା ଓ ଦାୟିତ୍ୱବୋଧ ସହ ସମାପ୍ତ କରିବାକୁ ପରାମର୍ଶ ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ