ବାତ୍ୟା ବିପନ୍ନଙ୍କ ନିଦ ହଜାଇଲା ବର୍ଷା
ପୁରୀ(ଜୁଗାବ୍ଦ ନ୍ୟୁଜ୍): ବାତ୍ୟା ଫାନିର ଦୁଃଖର କଷ୍ଟ ନଲିଭିଲୁଣୁ ପୁଣି ସେମାନଙ୍କ ଦୁଃଖକୁ ଦୁଇଗୁଣ କରିଛି ରଜର ପହିଲି ବର୍ଷା । ସଜଡ଼ା ଘରକୁ ପୁଣି କରି ଦେଇଛି ଅସଜଡ଼ା । ଘର ଉପରେ ଜରିପାଲ ପକାଇ ଆଶ୍ରୟ ନେଇଥିଲା ବେଳେ ଆଜି ଭୋରରୁ ବର୍ଷା ସେମାନଙ୍କ ନିଦ ହଜାଇ ଦେଇଛି । ଫଳରେ ସେମାନେ ବର୍ଷା ଭିଜିବା ସହିତ ଘରର ସମସ୍ତ ଦ୍ରବ୍ୟ ଓଦା ହୋଇଯାଇଛି । ଯାହାକୁ ନେଇ ଏବେ ଚିନ୍ତାରେ ହଜାର ହଜାର ବିପନ୍ନ ପରିବାର । ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଘୋଷିତ ସହାୟତା ରାଶି ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ ପହଞ୍ଚିନଥିବାରୁ ଫଳରେ ଭଙ୍ଗା ଘରକୁ ସଜାଡ଼ି ପାରୁନାହାନ୍ତି ବିପନ୍ନମାନେ । ଅନ୍ୟପକ୍ଷରେ ବାତ୍ୟାର ୪୨ଦିନ ପରେ ବି ସେମାନଙ୍କ ନିକଟରେ ପହଞ୍ଚିପାରିନି ବିଜୁଳି । ଯାହା ବିପନ୍ନଙ୍କୁ ବେଶି କଷ୍ଟ ଦେଉଛି । ବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସହ ବିଶୁଦ୍ଧ ପାନୀୟ ମଧ୍ୟ ମିଳୁନାହିଁ । ଫଳରେ ଏବେ ଗ୍ରାମାଞ୍ଚଳ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି । ଏନେଇ ଖବର ପ୍ରକାଶ ପାଇଲା ପରେ ସେମାନଙ୍କୁ ପୋଖରୀ ପାଣି ବ୍ୟବହାର ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ବିଶେଷ ଭାବେ ବାତ୍ୟାରେ ଗ୍ରାମାଞ୍ଚଳରେ ସମସ୍ତ ଗଛ ଭାଙ୍ଗିଯାଇଥିବାରୁ ଏବେ ପ୍ରଚଣ୍ଡ ଖରାରେ ଆଉଟୁପାଉଟୁ ହେଉଛନ୍ତି । ମାତ୍ର ସଞ୍ଜ ନଇଁଲେ ଏବେ ଦାଉ ସାଧୁଛି ମଶା । ପୁଣି ଗତକାଲି ବର୍ଷା ତାଙ୍କୁ ଆହରି କଲବଲ କରିଛି । ସେମାନଙ୍କ ଦୁଃଖ ଦୁଇଗୁଣ ବଢ଼ିଯାଇଛି । ଅନ୍ୟପକ୍ଷରେ ଅନେକ ପରିବାରର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ସେମାନେ ଆଜି ପର୍ଯ୍ୟନ୍ତ ରାସ୍ତାକଡ଼ରେ ଜରିପାଲ ତଳେ ରହୁଥିବାବେଳେ ବର୍ଷା ସେମାନଙ୍କ ଉପରେ ଦାଉ ସାଧୁଛି । ଏନେଇ ସମଗରାର ଶୁଶାନ୍ତ ପ୍ରଧାନ କହିଛନ୍ତି ଫାନ କଷ୍ଟ ନଯାଉଣୁ ଏବେ ବର୍ଷା ଦାଉ ସାଧିଲାଣି । ସରକାରଙ୍କ ପକ୍ଷରୁ ଘୋଷିତ ସହାୟତା ରାଶିକୁ ଚାହିଁ ଚାହଁ ଆଖିରୁ ପାଣି ମରିଗଲାଣି । ଅନ୍ୟପଟରେ ବାତ୍ୟା ପରଠାରୁ ଗ୍ରାମାଞ୍ଚଳରେ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଚାଷ କାର୍ଯ୍ୟ ବନ୍ଦ ହେବା ଫଳରେ ମୂଲ ଳାଗି ହେଉନାହିଁ । ଯାହାଦ୍ୱାରା ରୋଜଗାର ହେଉନାହିଁ । ତେଣୁ ପରିବାର ଚଳାଇବା ବଡ କଷ୍ଟକର ହେଲାଣି । ରଜ ଆସିଲାଣି ବର୍ଷା ଆରମ୍ଭ ହେଲାଣି । ଆଗକୁ ମଧ୍ୟ ବର୍ଷାଋତୁ ଆସୁଥିବାରୁ କିପରି ରହିବୁ ଏବେ ଚିନ୍ତାରେ ପଡ଼ିଛୁ । ନିର୍ବାଚନ ବେଳେ ନେତାମାନେ ଦିନକୁ ଦୁଇଥର ଆସି ଭଲ ମନ୍ଦ ବୁଝୁଥିଲେ କିନ୍ତୁ ଏବେ ତାଙ୍କର ଦେଖା ନାହିଁ । ସରକାରୀ ବାବୁମାନେ ସହାୟତା ମିଳିବ ବୋଲି କହୁଥିଲେ ବି ଆଜିଯାଏ ମିଳିନାହିଁ । ତେଣୁ ତୁରନ୍ତ ଜିଲ୍ଲାରେ ବାତ୍ୟା ବିପନ୍ନଙ୍କୁ ବର୍ଷା ପୂର୍ବରୁ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।


