ଆଇଟି କମ୍ପାନୀ କର୍ମଚାରୀ ଜୁଲାଇ ୩୧ ପର୍ଯ୍ୟନ୍ତ ଘରୁ କାମ କରିପାରିବେ: ଆଇନ ମନ୍ତ୍ରୀ
ନୂଆଦିଲ୍ଲୀ: କୋରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ସକାଶେ କେନ୍ଦ୍ର ସରକାର ଲକଡାଉନ୍ ଘୋଷଣା କରିବାରୁ ବିଭିନ୍ନ ପ୍ରତିଷ୍ଠାନ ବନ୍ଦ ହୋଇଯାଇଛି। ଏପରି କ୍ଷେତ୍ରରେ ବିଭିନ୍ନ ଘରୋଇ ଓ ସରକାରୀ ସଂସ୍ଥାର କର୍ମଚାରୀମାନେ ଘରୁ କାମ କରୁଛନ୍ତି। ଏଥିରେ ଦେଶର ପ୍ରମୁଖ ଆଇଟି କମ୍ପାନୀଗୁଡ଼ିକର କର୍ମଚାରୀ ମଧ୍ୟ ସାମିଲ୍ ରହିଛନ୍ତି। ତେବେ ଏହି ଆଇଟି କ୍ଷେତ୍ର ସହ ଜଡ଼ିତ କର୍ମଚାରୀମାନେ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଘରେ ରହି କାମ କରିପାରିବେ ବୋଲି କେନ୍ଦ୍ର ଆଇନ ଓ ଆଇଟି ବିଭାଗ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି। ବର୍ତ୍ତମାନ ଆଇଟି କ୍ଷେତ୍ରର ପାଖାପାଖି ୮୫ ପ୍ରତିଶତ କାର୍ଯ୍ୟ ଘରୁ ପରିଚାଳିତ ହେଉଛି। ପୂର୍ବରୁ ଏହି ଆଇଟି କମ୍ପାନୀମାନଙ୍କର କର୍ମଚାରୀ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ଘରେ ରହି କାମ କରିପାରିବେ ବୋଲି କୁହାଯାଇଥିଲା। କିନ୍ତୁ ମଙ୍ଗଳବାର କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟର ଆଇଟି ବିଭାଗ ମନ୍ତ୍ରୀମାନଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି। ଏଥିସହ ଘରୁ କାମ କରୁଥିବା ଆଇଟି କ୍ଷେତ୍ର ସହ ଜଡ଼ିତ କର୍ମଚାରୀମାନଙ୍କୁ ବିଶେଷ ଭାବେ ରିହାତି ପ୍ରଦାନ କରାଯାଇଛି ଏବଂ ଆଗାମୀ ଦିନରେ ଘରୁ କାମ କରିବା ଏକ ସ୍ବତନ୍ତ୍ର ପଦକ୍ଷେପର ରୂପ ନେବ ବୋଲି ମନ୍ତ୍ରୀ ରବି ଶଙ୍କର କହିଛନ୍ତି। ଏହି ଆଲୋଚନା ସମୟରେ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି କୋରୋନା ମହାମାରୀରକୁ ମାତ୍ ଦେବା ସକାଶେ ପ୍ରସ୍ତୁତ ହେଉଥିବା ସମସ୍ତ ପ୍ରକାର ରଣନୀତି ସମ୍ପର୍କରେ ସବୁ ରାଜ୍ୟ ସରକାର ଅବଗତ ହେବା ସକାଶେ ଏକ ସ୍ବତନ୍ତ୍ର ଆପ୍ ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଥିଲେ। କେନ୍ଦ୍ର ସରକାର ଏହି ନିବେଦନକୁ ଗ୍ରହଣ କରିବା ସହ ତୁରନ୍ତ ଏ ସଂକ୍ରାନ୍ତରେ କାର୍ଯ୍ୟ ଆରମ୍ଭ କରିବା ସକାଶେ ନ୍ୟାସନାଲ୍ ଇ-ଗଭର୍ଣ୍ଣାନ୍ସ ଡିଭିଜନ୍ (ଏନ୍ଇଡିଜି) ଓ ନ୍ୟାସନାଲ୍ ଇନଫର୍ମାଟିକ୍ସ ସେଣ୍ଟର୍ (ଏନ୍ଆଇସି)କୁ ନିର୍ଦେଶ ଦିଆଯାଇଛି ଏବଂ ଉଭୟ ସଂସ୍ଥା ଏନେଇ ସହମତି ବି ପ୍ରକାଶ କରିଥିବା ଆଇନ ମନ୍ତ୍ରୀ କହିଛନ୍ତି। ଏଥିସହ ରେକର୍ଡ ପରିମାଣର ସଫଳତା ପାଇଥିବା ଆରୋଗ୍ୟ ସେତୁ ଆପର ବିକାଶ କରିଥିବାରୁ ମନ୍ତ୍ରୀ ଉଭୟ ଏନ୍ଇଜିଡି ଓ ଏନଆଇସିକୁ ପ୍ରଶଂସା କରିଛନ୍ତି। ଏହି ଆଲୋଚନା ସମୟରେ ଆରୋଗ୍ୟ ସେତୁ ଆପ୍ ସହ ଇ-ପାସକୁ ଯୋଡ଼ିବା ସକାଶେ ପ୍ରସ୍ତାବ ଦିଆଯାଇଥିବା ବେଳେ ଏହାକୁ ମଧ୍ୟ ଗ୍ରହଣ କରାଯାଇଥିବା ଆଇନ ମନ୍ତ୍ରୀ ରବି ଶଙ୍କର କହିଛନ୍ତି। ଏହାଛଡ଼ା ଭାରତୀୟ ଡାକ ବିଭାଗ ବିଭିନ୍ନ ସାମାଜିକ ସେବାମୂଳକ କାର୍ଯ୍ୟ କରିବା ସହ ଗ୍ରାହକମାନଙ୍କୁ ଡିଜିଟାଲ୍ ସେବାର ସୁଯୋଗ ଦେଇଥିବାରୁ ବିଭାଗର ଉଦ୍ୟମକୁ ମଧ୍ୟ ରବି ଶଙ୍କର ପ୍ରଶଂସା କରିଛନ୍ତି।


