କୋରୋନା ବୁଣୁଛି ଅବିଶ୍ବାସର ମଞ୍ଜି

କୋରୋନା ଭୂତାଣୁ ରାଜ୍ୟ ରାଜ୍ୟ ମଧ୍ୟରେ ପାଚେରି ଠିଆ କରାଇ ଦେଇଛି। ସଂକ୍ରମଣ ଯେତିକି ବ୍ୟାପୁଛି, ରାଜ୍ୟ ତଥା ଦେଶ ମଧ୍ୟରେ ସନ୍ଦେହ, ଅବିଶ୍ବାସର ବାତାବରଣ ସେତିକି ବଢ଼ୁଛି। ବିଶ୍ବର ଏହି ସଙ୍କଟଜନକ ସମୟରେ ପରସ୍ପର ପ୍ରତି ଦାୟିତ୍ବ, ସହଯୋଗ ଓ ସଂକଳ୍ପବଦ୍ଧତା ତୁଲାଇବା ପରିବର୍ତ୍ତେ ନିଜ ନିଜର ସ୍ବାର୍ଥ ଦେଖିବା, ଭବିଷ୍ୟତ ପାଇଁ ଏକ ବଡ଼ ଚାଲେଞ୍ଜ ସ୍‌ଷ୍ଟି କରିବ। କିନ୍ତୁ ଏକଥା ସତ ଯେ ଏଭଳି ସ୍ଥିତି ଏବେ ଦେଖିବାକୁ ମିଳୁଛି। ଅନ୍ୟ ରାଜ୍ୟର ଲୋକଙ୍କୁ ସୀମାନ୍ତରେ ଆଶ୍ରୟସ୍ଥଳୀ, ଖାଦ୍ୟପେୟ, ସ୍ବାସ୍ଥ୍ୟରକ୍ଷା, ରୋଗ ପରୀକ୍ଷା ଓ ପରାମର୍ଶର ବ୍ୟବସ୍ଥା ପରିବର୍ତ୍ତେ ସୀମାକୁ ସିଲ କରିବାରେ ସରକାରଙ୍କ ସହ ଯୋଡ଼ିହୋଇ ଯାଇଛନ୍ତି ଜନତା। ଅନ୍ୟ ରାଜ୍ୟର ଲୋକଙ୍କ ପ୍ରବେଶ ବନ୍ଦ ପାଇଁ କେତେକ ରାଜ୍ୟରେ ରାତାରାତି କଂକ୍ରିଟ ପାଚେରିମାନ ଠିଆହେଲାଣି। କେଉଁଠି ଜାତୀୟ ରାଜପଥକୁ ଖୋଳି ଦିଆଯାଇଛି।
କୋରୋନା ଭୂତାଣୁ ମହାମାରୀକୁ ପ୍ରତିହତ କରିବା ଦିଗରେ ରାଜ୍ୟରେ ଆଗନ୍ତୁକଙ୍କ ପ୍ରବେଶ ରୋକିବା ପାଇଁ ସୀମାନ୍ତରେ ଅସ୍ଥାୟୀ ବ୍ୟାରିକେଡ କରିବା ସାଧାରଣ କଥା। କିନ୍ତୁ ଏବେ ଦେଶର କେତେକ ରାଜ୍ୟ ଆମେରିକୀୟ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଭଳି ଆଚରଣ ଦେଖାଉଛନ୍ତି। ଟ୍ରମ୍ପଙ୍କ ମୁଣ୍ଡକୁ ଯାହା ଜୁଟୁଛି ତାହା ବଖାଣି ଅନ୍ୟ ଦେଶଗୁଡ଼ିକର ରକ୍ତଚାପ ବଢ଼ାଉଛନ୍ତି, ଠିକ ସେମିତି କେତେକ ଅଞ୍ଚଳର ଲୋକ ଜାତୀୟ ରାଜପଥ ଉପରେ କଂକ୍ରିଟ ପାଚେରି ଠିଆ କରାଇ ସଂକୀର୍ଣ୍ଣ ସ୍ବାର୍ଥପରବାଦୀର ପରିଚିତି ଦେଉଛନ୍ତି। ଟ୍ରମ୍ପ ତ ମେକ୍ସିକୋରେ ଥିବା ଅନ୍ତରାଷ୍ଟ୍ରୀୟ ସୀମାରେ ପାଚେରି ଠିଆ କରାଇଛନ୍ତି କିନ୍ତୁ ଏଠାରେ ରାଜ୍ୟ ତା’ର ପଡ଼ୋଶୀ ପାଇଁ ପାଚେରି ଠିଆ କରାଉଛି। କାରଣ ହେଉଛି କୋରୋନା।
ତାମିଲନାଡ଼ୁର ସୀମାନ୍ତ ଜିଲ୍ଲା ଭେଲୋରରେ ଆନ୍ଧ୍ର ପ୍ରଦେଶ ସୀମାକୁ ସିଲ କରି ଦିଆଯାଇଛି। ଏହା କରିଛନ୍ତି କେତେକ ସରକାରୀ ଅଧିକାରୀ। ଦୁଇଟି ସିମେଣ୍ଟର ପାଚେରି ରାସ୍ତା ଉପରେ ନିର୍ମାଣ କରାଯାଇଛି। ୩ ଫୁଟ ଓସାର ଓ ୫ ଫୁଟ ଉଚ୍ଚର ଏହି ପାଚେରି ସହିତ ବେଲୋର ଜିଲାରେ ଆନ୍ଧ୍ର ପ୍ରଦେଶର ସୀମାରେ ତିନୋଟି ଚେକପୋଷ୍ଟ ମଧ୍ୟ ରହିଛି। ରାଣୀପେଟ, ପୋନ୍ନଇ ଏବଂ ପାଲାମନେର ଆଦି ତିନୋଟି ସ୍ଥାନରେ ଅସ୍ଥାୟୀ ପାଚେରି ମଧ୍ୟ ଉଠାଯାଇଛି। ସୁପର ସ୍ପେସାଲିଟି ମେଡିକାଲ ପାଇଁ ପ୍ରସିଦ୍ଧ ଭେଲୋରକୁ ଆନ୍ଧ୍ର ପ୍ରଦେଶରୁ ଆସୁଥିବା ରୋଗୀମାନେ ଏହି ପାଚେରି କାରଣରୁ ଆସିପାରୁ ନାହାନ୍ତି। ଏଠାରୁ ଆନ୍ଧ୍ର ପ୍ରଦେଶକୁ ଯାଉଥିବା ଦୈନିକ ୧୦ ହଜାର ଲିଟର କ୍ଷୀର ମଧ୍ୟ ଯାଇପାରୁ ନ ଥିବା ଜଣାଯାଇଛି। ପାଚେରି ନିର୍ମାଣ ହେବା ଫଳରେ ବେଲୋର ଦୁଗ୍ଧଚାଷୀମାନେ ଦୀର୍ଘ ରାସ୍ତା ଅତିକ୍ରମ କରି ଆନ୍ଧ୍ର ପ୍ରଦେଶ ଯାଉଥିବା ଜଣାଯାଇଛି।
ଓଡ଼ିଶା ମଧ୍ୟ ନିଜ ସୀମାରେ ଏଭଳି କରିଛି। ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ଆସିବା ପରେ ଓଡ଼ିଶା ନିଜ ସୀମାର ସଡ଼କ ଉପରେ ଗାତ ଖୋଳି ଦେଇଛି। ଦେଶ ବ୍ୟାପୀ ଲକଡାଉନ କାରଣରୁ ଯିବା ଆସିବା ହେଉ ନ ଥିବାରୁ ଏ ପ୍ରସଙ୍ଗ ଅନାଲୋଚିତ ହୋଇ ରହିଛି। ସୋମବାର ଜଣେ ଗର୍ଭବତୀ ମହିଳା ହସ୍‌ପିଟାଲ ଯାଉଥିବା ବେଳେ ସୃଷ୍ଟି ହୋଇଥିବା ଗାତ କାରଣରୁ ବାଉଁଶ ଭାଲାରେ ବୁହା ହୋଇ ସେପଟକୁ ଯିବା ଘଟଣା ପ୍ରଚାରିତ ହେବା ପରେ ଏହି ଗାତ ସର୍ବସାଧାରଣଙ୍କ ନଜରକୁ ଆସିଛି।
ଦିଲ୍ଲୀ-ଏନସିଆରରେ ମଧ୍ୟ କୋରୋନା ଭାଇରସ ମହାମାରୀ ସଂକ୍ରମଣ କାରଣରୁ ମେଡିକାଲ ଷ୍ଟାଫମାନଙ୍କ ଆଗମନ-ପ୍ରସ୍ଥାନ ଉପରେ ରୋକ ଲଗାଯାଇଛି। ଗତ ସପ୍ତାହରେ ୟୁପିର ନୋଏଡା ଏବଂ ଗାଜିଆବାଦରେ ଦିଲ୍ଲୀ ସୀମାକୁ ଲାଗିଥିବା ନିଜ ସୀମାକୁ ସିଲ କରି ଦେବାର ନିଷ୍ପତ୍ତି ନିଆଯାଇଥିଲା। ରବିବାର ନୋଏଡା ଆଗକୁ ଆଉ ପାଦେ ଯାଇ ସ୍ପଷ୍ଟ କରିଦେଇଛି ଯେ ନନ-କୋଭିଡ ଡ୍ୟୁଟିରେ ଯାଉଥିବା ମେଡିକାଲ କର୍ମୀଙ୍କୁ ବି ପାସ ଦିଆଯିବ ନାହିଁ। ଟ୍ରାଭେଲ ପାସ ଇସ୍ୟୁ ହେଉ ନ ଥିବାରୁ ମେଡିକାଲରେ କାମ କରୁଥିବା ଅଣଚିକିତ୍ସା କର୍ମଚାରୀମାନେ ମଧ୍ୟ ଆଉ ଡ୍ୟୁଟିକୁ ଯାଇ ପାରୁ ନ ଥିବା ଜଣାଯାଇଛି।
ଏହିଭଳି ଭାବରେ ହରିୟାଣାର ଫରିଦାବାଦ ତା’ର ଦିଲ୍ଲୀ ସୀମାକୁ ସିଲ କରିଦେଇଛି। ଦିଲ୍ଲୀରେ ଚାକିରି କରୁଥିବା ସରକାରୀ କର୍ମଚାରୀମାନେ ଫରିଦାବାଦରେ ରହି ଯାତାୟାତ କରୁଥିଲେ। ସେମାନଙ୍କୁ ଆଉ ଫରିଦାବାଦ ନ ଆସିବା ପାଇଁ କହିଦିଆଯାଇଛି। ଆଉ ଦିଲ୍ଲୀରେ ସେମାନେ ରହିବା ପାଇଁ ଘରଟିଏ ଖୋଜି ପାଉ ନ ଥିବାରୁ ଜରୁରୀ ଦାୟିତ୍ବରେ ଥିବା କର୍ମଚାରୀମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।
ଗୋଆ ତା’ର ସୀମାକୁ ଲକଡାଉନ ଅବଧି ପୂରିବା ପରେ ମେ ୩ ପରଠାରୁ ବନ୍ଦ କରି ରଖିବ ବୋଲି ଘୋଷଣା କରିଛି। ଆନ୍ଧ୍ର ପ୍ରଦେଶ ମଧ୍ୟ ତା’ର ସୀମାରେ ଗାତ ଖୋଳି ଯାତାୟାତ ରୋକିଛି। ସଡ଼କ ଉପରେ ବାଡ଼ ବୁଜି ସୀମାନ୍ତକୁ ଜଗିଛନ୍ତି ବାଲେଶ୍ବର ବାସୀ। ପଶ୍ଚିମବଙ୍ଗରୁ ଜଳପଥରେ ଆସୁଥିବା ଆଗନ୍ତୁକଙ୍କ ଉପରେ ସରପଞ୍ଚମାନେ ନଜର ରଖିଛନ୍ତି। ତେଣେ ଓଡ଼ିଶା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଯେଉଁମାନେ ଜଳପଥରେ ଓଡ଼ିଶା ଆସୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ତେବେ ମୂଳ କଥାଟି ହେଉଛି ପ୍ରତ୍ୟେକ ରାଜ୍ୟ ନିଜ ଶ୍ରମିକଙ୍କ ସ୍ବାର୍ଥ ଓ ଆବଶ୍ୟକତାକୁ ସମ୍ମାନ ଦେବା ଦିଗରେ ଯୋଜନା କରନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ