ବଡ଼ ଦାୟିତ୍ୱ ନେବାକୁ ଚାହୁଁନି କନ୍ଧମାଳ ଜିଲ୍ଲା ପ୍ରଶାସନ: ଦୋକାନ ବଜାର ଖୋଲିବାକୁ ଅନୁମତି,୧୧ଟାରେ ବନ୍ଦ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ଦେଶ ଓ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଏହାକୁ ଦୃଷ୍ଟିରେ ରଖି ସରକାର ଲକ୍ ଡାଉନ ବୃଦ୍ଧି କରିଛନ୍ତି। ପୂର୍ବଭଳି କଟକଣା ବତଳବତ୍ତର ରହିଥିବା ବେଳେ ଗ୍ରୀନ ଜୋନ ଜିଲ୍ଲାଗୁଡିକରେ ଦୋକାନ ବଜାର ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ହେଲେ ଜିଲ୍ଲା ପ୍ରଶାସନ ହିଁ ନିଷ୍ପତ୍ତି ନେବେ କେଉଁ ଦୋକାନ ଖୋଲା ରହିବ। ଆଉ କେଉଁ ଦୋକାନ ଖୋଲା ଯିବନି। ତାହା ପୁଣି ସମୟ ନିର୍ଘଣ୍ଟ କରିବ ଜିଲ୍ଲା ପ୍ରଶାସନ।କନ୍ଧମାଳ ଜିଲ୍ଲାରେ କେହି କରୋନା ସଂକ୍ରମିତ ‌ରୋଗୀ ଚିହ୍ନଟ ହୋଇ ନଥିବା ଏହା ଗ୍ରୀନ ଜୋନରେ ରହିଛି। ୨ ଦିନ ପୂର୍ବେ ସରକାର ଏ ନେଇ ଘୋଷଣା କରିବା ପରେ କାଁଭାଁ କେଉଁଠି ଦୋକାନ ବଜାର ଖୋଲିଥିଲା। ହେଲେ ବହୁ ଦୋକାନୀ କାର୍ଯ୍ୟାନୁଷ୍ଠାନ ଭୟରେ ଦୋକାନ ଖୋଲିବାକୁ ଚାହିଁ ନଥିଲେ। ସେମାନେ ଆସି ଜିଲ୍ଲା ପ୍ରଶାସନକୁ ଜଣାଇ ଦୋକାନ ଖୋଲିବାକୁ ଅନୁମତି ମାଗିଥିଲେ। ହେଲେ ଆଜି ଦୋକାନ ବଜାର ଖୋଲିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି। ତାହା ପୁଣି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ।ଘୋଷଣା ମୁତାବକ ଜିଲ୍ଲା ସଦର ମହକୁମା ଫୁଲବାଣୀ ସମେତ ବାଲିଗୁଡା, ଜି.ଉଦୟଗିରି, ଦାରିଙ୍ଗବାଡି, ରାଇକିଆ, ଟିକାବାଲି ଆଜି ବିଭିନ୍ନ ସ୍ଥାନରେ ଦୋକାନ ବଜାର ଖୋଲାଯାଇଛି। ଗାଁ ଗହଳିରେ ଥିବା ଦୋକାନ ସବୁ ମଧ୍ୟ ଖୋଲିଛି। ହେଲେ ମଦ ଦୋକାନ, ହୋଟେଲ, ଢାବା, ଉଠା ଦୋକାନୀ, ସେଲୁନ ଦୋକାନ ଖୋଲିବାକୁ ଅନୁମତି ମିଳି ନାହିଁ। ଆଶା ଆଶଙ୍କାରେ ଆଜିଠାରୁ ଖୋଲା ଯାଇଥିବା ବହୁ ଦୋକାନରେ ସେମିତି କିଛି ବିକ୍ରିବଟା ହୋଇ ପାରି ନାହିଁ। କହିବାକୁ ଗଲେ ପ୍ରାୟତଃ ସବୁ ଶାଢୀ ଓ ଡ୍ରେସ ଦୋକାନୀଙ୍କର ବଇନି ହୋଇ ନଥିବା ଜଣା ପଡିଛି। ଶାଢୀ ଓ ଡ୍ରେସ କିଣିବାକୁ ଗାଁ ଗହିଳରୁ ଲୋକ ଆସିଲେ ୧୧ଟା ପରେ। ‌ସେତେ ବେଳକୁ ଦୋକାନ ବନ୍ଦ କରିବାକୁ ପଡିଲା ବୋଲି କହନ୍ତି କିଛି ବ୍ୟବସାୟୀ। ସବୁତ ସହର ଲୋକ କିଣିବେ ନାହିଁ। ଅଧିକାଂଶ ଲୋକ ଦୁର ଜାଗା ଓ ଗାଁ ଗହଳିରୁ ଆସିଥାନ୍ତି। ତେଣୁ ଦୋକାନ ବଜାର ଖୋଲିବାକୁ ଅଧିକ ସମୟ ଦେବାର ଆବଶ୍ୟକତା ରହିଛି ବୋଲି ବଣିକ ସଂଘର କାର୍ଯ୍ୟକର୍ତ୍ତା କହିଛି।ଦୋକାନୀ ଓ ବ୍ୟବସାୟୀଙ୍କ ସ୍ବାର୍ଥ ଏବଂ ଗ୍ରାହକଙ୍କ ସୁବିଧାକୁ ଦେଖି ଅନ୍ୟ ଗ୍ରୀନ ଜିଲ୍ଲା ଭଳି କନ୍ଧମାଳରେ ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଉ ଦାବି ହୋଇଛି। ହେଲେ ଏଭଳି ଦାବିକୁ ଗ୍ରହଣ କରି କୌଣସି ରିକ୍ସ ନେବାକୁ ପ୍ରଶାସନ ଚାହୁଁନି। ଓଡିଶାରେ କରୋନା ସଂଖ୍ୟା ବଢିଛି। ଜିଲ୍ଲାରେ ୫୦୦ ପାଖାପାଖି ପ୍ରବାସୀ ପହଞ୍ଚିଲେଣି। ଆହୁରି ୧୬ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଜିଲ୍ଲାକୁ ଆସିବା ନିମନ୍ତେ ପଞ୍ଜକରଣ ସରିଲାଣି। ସବୁଠାରୁ ବଡ କଥା ହେଲା ବାହାର ଫେରନ୍ତା ପରେ ପଡୋଶୀ ଜିଲ୍ଲା ଗଞ୍ଜାମରେ କରୋନା ରୋଗୀ ଚିହ୍ନଟ ହେବା ପରେ କଟକଣାକୁ କୋହଳ କରି ରିକ୍ସ ନେବାକୁ ଜିଲ୍ଲା ପ୍ରଶାସନ ଚାହୁଁନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ