ଇସ୍ରାଏଲ ପରେ ଇଟାଲୀ : କରୋନା ଟିକା ପ୍ରସ୍ତୁତ
ରୋମ: କରୋନା ଟିକାକୁ ନେଇ ଏବେ ବିଶ୍ୱବାସୀଙ୍କ ଆଶା ଉଜ୍ଜୀବିତ ହେବାରେ ଲାଗିଛି । ୨୦୨୦ ରେ ସଞ୍ଜୀବନି ଟିକା ଆସିବ ବୋଲି ସମ୍ଭାବନା ଦେଖାଦେଇଛି । ଇସ୍ରାଏଲ ପରେ ଏବେ ଇଟାଲୀରୁ ଏକ ବଡ଼ ଖବର ଆସିଛି । କରୋନା ଭୂତାଣୁକୁ ନିଷ୍କି୍ରୟ କରିବା ପାଇଁ ଇଟାଲୀ ଏକ ଡିଏନଏଭିତ୍ତିକ ଟିକା ପ୍ରସ୍ତୁତ କରିଥିବା ବୁଧବାର ପ୍ରକାଶ କରିଛି । ପୂର୍ବରୁ ଇସ୍ରାଏଲ ଏକ ଆଣ୍ଟିବଡ଼ି ତିଆରି କରିଥିବା ଏହାର ପ୍ରତିରକ୍ଷା ମନ୍ତ୍ରୀ ନଫତାଲି ବେନେଟ ଘୋଷଣା କରିଥିଲେ ।
ଇଟାଲୀର ବାୟୋଟେକ ସଂସ୍ଥା ଟାକିସ ପକ୍ଷରୁ ବୁଧବାର ଏକ ବିବୃତି ଜାରି କରାଯାଇଛି । ଟିକା ବିକାଶର ବିଭିନ୍ନ ପର୍ଯ୍ୟାୟ ପରୀକ୍ଷା ଉପରେ ବିସ୍ତୃତ ବିବରଣୀ ଏଥିରେ ଦିଆଯାଇଛି । ବିବରଣୀରୁ ଜଣାପଡ଼ିଛି ଯେ, ଟିକାକୁ ଇତି ମଧ୍ୟରେ ପଶୁ ଦେହରେ ପରୀକ୍ଷା କରାଯାଇଛି । ଏହାର ଶତ ପ୍ରତିଶତ ସଫଳ ହୋଇଛି । ଏହା ଦ୍ୱାରା କୌଣସି ନକାରତ୍ମକ ପ୍ରଭାବ ପଡ଼ୁନଥିବା ମଧ୍ୟ ଦେଖିବାକୁ ମିଳୁଛି । ପଶୁ ଦେହରେ ଏହି ଟିକା କେବଳ କୋଭିଡ-୧୯ ଭୂତାଣୁକୁ ନିଷ୍କି୍ରୟ କରିଥିବା ଟାକିସ ଦାବି କରିଛି ।
ଟାକିସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲୁଇଗି ଅରିସିଚିଓ କହିଛନ୍ତି, ଟିକାର ଅନ୍ତିମ ପର୍ଯ୍ୟାୟ ପରୀକ୍ଷା ଏବେ ବାକି ରହିଛି । ଆଉ ମାତ୍ର ଗୋଟିଏ ପାତ ପରେ ଇଟାଲୀ ଇତିହାସ ରଚିବ । ଟିକାର ଆନିମଲ ଟ୍ରାଏଲ ଇତି ମଧ୍ୟରେ ସଫଳ ହୋଇଛି । ଖୁବଶୀଘ୍ର ହ୍ୟୁମାନ ଟ୍ରାଏଲ ଆରମ୍ଭ କରାଯିବ । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଇଟାଲୀ ଏଭଳି ବଡ଼ ସଫଳତା ହାସଲ କରିବ । ଗ୍ରୀଷ୍ମ ଋତୁ ପରେ ହିଁ ଏହି ଟିକା କୋଭିଡ-୧୯ ସଂକ୍ରମିତ ରୋଗୀ ଦେହରେ ପରୀକ୍ଷା କରାଯିବ । ଆଉ ଏହା ମଧ୍ୟ ସଫଳ ହେବ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ।
ଲୁଇଗି ଆହୁରି କହିଛନ୍ତି, କରୋନାକୁ ମାତ ଦେବା ପାଇଁ ଟାକିସର ବୈଜ୍ଞାନିକମାନେ ଏକାଧିକ ଟିକା ବିକାଶ କରିଥିଲେ ।


