ଗବେଷଣାକୁ ପ୍ରୋତ୍ସାହନ ପାଇଁ ପିଏମଆରଏଫ ଯୋଜନାକୁ ପରିବର୍ତ୍ତନ

ନୂଆଦିଲ୍ଲୀ : ଦେଶରେ ଗବେଷଣାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଗବେଷଣା ଫେଲୋସିପ ଯୋଜନାରେ ବିଭିନ୍ନ ସଂଶୋଧନ କରାଯାଇଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟଲ ‘ନିଶଙ୍କ’ ଗୁରୁବାର ଘୋଷଣା କରିଛନ୍ତି । ଏହି ସଂଶୋଧନ ଫଳରେ ଏବେ ଯେକୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାନ/ ବିଶ୍ୱବିଦ୍ୟାଳୟ (ଆଇଆଇଏସସି, ଆଇଆଇଟି, ଏନଆଇଟି, ଆଇଆଇଏସଇଆର, ଆଇଆଇଇଏସଟି, ସିଏଫ ଟ୍ରିପଲ ଆଇଟିକୁ ଛାଡ଼ି)ର ଛାତ୍ରଛାତ୍ରୀ ସର୍ବନିମ୍ନ ୮ ସିଜିପିଏ କିମ୍ବ ତତୁଲ୍ୟ ସ୍କୋର ସହିତ ୭୫୦ ଗେଟ ସ୍କୋର ପରିବର୍ତ୍ତେ ୬୫୦ ସ୍କୋର ସହିତ ପିଏମଆରଏଫ ଯୋଜନାରେ ଗବେଷଣା ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିବେ । ବର୍ତ୍ତମାନ ପ୍ରତ୍ୟକ୍ଷ ଏବଂ ଲାଟେରାଲ ପ୍ରବେଶିକା ମାଧ୍ୟମରେ ନାମଲେଖା ଯାଇପାରିବ। ଲାଟେରାଲ ପ୍ରବେଶିକା ମାଧ୍ୟମରେ ପିଏମଆରଏଫ ଅନୁଦାନପ୍ରାପ୍ତ ସଂସ୍ଥାନରେ ପିଏଚଡି କରୁଥିବା ଛାତ୍ରଛାତ୍ରୀମାନେ ନୂଆ ଗାଇଡଲାଇନ ଅନୁସାରେ ଗବେଷଣା ନିମନ୍ତେ ଆବେଦନ କରିପାରିବେ । ଏନଆଇଆରଏଫର ସାମଗ୍ରିକ ରାଙ୍କିଙ୍ଗ ଅନୁଯାୟୀ ଶୀର୍ଷେ ୨୫ଟି ସଂସ୍ଥାନରେ ସ୍ଥାନିତ ଏନଆଇଟିଗୁଡ଼ିକ ପିଏମଆରଏଫ ଅନୁଦାନପ୍ରାପ୍ତ ସଂସ୍ଥାନ ହୋଇପାରିବ । ମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ଯେ ଏହି ପରିବର୍ତ୍ତନ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଗବେଷଣା ଫେଲୋସିପ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ବିବେଚିତ କରିବ। ସେ ଆହୁରି ସୂଚନା ଦେଇଥିଲେ ଯେ ଗବେଷଣାକୁ ପ୍ରୋତ୍ସାହନ ଦେବା ଲାଗି ମନ୍ତ୍ରଣାଳୟରେ “ଗବେଷଣା ଓ ନବୋନ୍ମେଷ” ନାମକ ଆଉ ଏକ ସମର୍ପିତ ଡିଭିଜନ ଖୋଲାଯାଇଛି । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବିଭିନ୍ନ ସଂସ୍ଥାନରେ ଗବେଷଣା କାର‌୍ୟ୍ୟ ଅନୁଧ୍ୟାନ କରୁଥିବା ଜଣେ ନିର୍ଦ୍ଦେଶକ ଏହି ଡିଭିଜନର ଅଧ୍ୟକ୍ଷ ରହିବେ । କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ ଦେଶର ବିଭିନ୍ନ ଉଚ୍ଚଶିକ୍ଷା ସଂସ୍ଥାନରେ ଉନ୍ନତମାନର ଗବେଷଣା ନିମନ୍ତେ ପିଏମଆରଏଫ ଯୋଜନାର ଡିଜାଇନ କରାଯାଇଛି । ଏହି ଯୋଜନା ୨୦୧୮-୧୯ ବଜେଟରେ ଘୋଷଣା କରାଯାଇଥିଲା। ସମସ୍ତ ଆଇଆଇଟି, ଆଇଜର, ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ଶୀର୍ଷ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପିଏମଆରଏଫ ଯୋଜନାର ସୁବିଧା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ