ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣରେ ଗୁରୁତ୍ୱ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କରୋନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ତ୍ୱରିତ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ରାଜ୍ୟବାହାରୁ ଆସିବାକୁଥିବା ବ୍ୟକ୍ତିମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରେରଣ ଉପରେ ଜିଲ୍ଲାପାଳ ସମର୍ଥ ବର୍ମା ଗୁରୁତ୍ୱାରୋପ କରିଛନ୍ତି । ଆଜି ସୁଦ୍ଧା ଜିଲ୍ଲାର ସମସ୍ତ ୨୪୯ଟି ପଂଚାୟତରେ ୧୦୯୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ୪୪ହଜାର ୨୨୩ ଟି ଶଯ୍ୟା ପ୍ରସ୍ତୁତ କରାଯାଇଥିବା ବେଳେ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରସଂସ୍ଥା ପକ୍ଷରୁ ୩୦ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ୧୭୨୦ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି । ଆଜି ସୁଦ୍ଧା ୧୨୬୭ଜଣ ରାଜ୍ୟ ବାହାରୁ ଆସିଛନ୍ତି । ଆଜି ଆସିଥିବା ୧୪୪ଜଣଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୩୨ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୩୫, ମହାକାଳପଡା ବ୍ଲକର ୨୦, ମାର୍ଶାଘାଇ ବ୍ଲକର ୯, ରାଜନଗର ବ୍ଲକର୨୮, ରାଜକନିକା ବ୍ଲକର ୮, ଆଳି ବ୍ଲକର ୭, ଡେରାବିଶି ବ୍ଲକର ୧ ଓ ଗରଦପୁର ବ୍ଲକର ୪ଜଣ ଅଛନ୍ତି । ତାଲାବନ୍ଦ ଆଇନ ଉଲ୍ଲଙ୍ଘନ କରିଥିବାରୁ ୧୫୯ଜଣ ଅଭିଯୁକ୍ତଙ୍କ ନାମରେ ୮୯ଟି ମାମଲା ରୁଜୁ କରାଯାଇ ୬୯ଟି ବାଇକ, ୧୦ଟି ଚାରି ଚକିଆ ଓ ୨ଟି ଅଟୋରିକ୍ସା ଜବତ କରାଯାଇ ୩ଲକ୍ଷ ୩୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରାଚଂଳର ୬୯୬ଜଣ ପଞ୍ଜିକୃତ ରାସ୍ତାକଡ ଉଠାଦୋକାନୀଙ୍କୁ ୩ହଜାର ଟଙ୍କା ଲେଖାଁଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେହିପରି ଜିଲ୍ଲାର ୭୪ହଜାର ୮୯୭ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ପ୍ରତ୍ୟେକ ଏକହଜାର ୫ଶହ ଟଙ୍କା ଲେଖାଁଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଗୁରୁବାର ଠାରୁ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ସକାଳ ୭ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବା ଏବଂ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଗୁଡିକ ଦିନରାତି ଖୋଲାରହିବ । ମାର୍କେଟ କମ୍ପେ୍ଲକ୍ସ ଓ ସପିଂ ମଲ ବାହାରେ ଥିବା ସେଲୁନ ଓ ପାର୍ଲର ଗୁଡିକ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ସମସ୍ତ ବ୍ୟବସାୟ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ସାମାଜିକ ଦ୍ୱରତା ରକ୍ଷା କରି ବ୍ୟବସାୟ କରିବାକୁ ନିର୍ଦେଶ ଦିଆଯାଇଛି । ମଦ ଦୋକାନ ଗୁଡିକ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରହିବ । ଜିଲ୍ଲାପାଳ ଶ୍ରୀ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖିବାକୁ ଓ ମାସ୍କ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ଫୋନ ନମ୍ବର – ୮୭୬୩୩୪୯୪୩୮ ଉପଲବ୍ଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ