ବାରାହା ଶିକାର ପାଇଁ ଶିକାରୀଙ୍କ ଅଭିନବ ପ୍ରୟାସ ଗୁଡ଼ ମିଶା ବାରୁଦ ଖାଇ ୨ ଗାଇ ଗୁରୁତର
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ବାରାହା ଶିକାର କରିବା ପାଇଁ ଶିକାରୀ ମାନେ ଅଭିନବ ଉପାୟ ଆପଣେଇଛନ୍ତି । ଖାଦ୍ୟ ଭାବି ଗୁଡ଼ ମିଶା ବାରୁଦ ଖାଇ ୨ ଟି ଗାଇ ଗୁରୁତର ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ଶନିବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ଅଂଚଳରେ ଘଟିଥିବା ଦେଖିବାକୁ ମିଳିଛି । ପ୍ରତିଦିନ ପରି ଗୋପାଳକ ଗାଇ ନେଇ ଚରାଇବାକୁ ହିଞ୍ଜିଳି ଥାନା ସିଙ୍ଗିପୁର ଗ୍ରାମ ନିକଟସ୍ଥ ବଣକୁ ଯାଇଥିଲେ । ଫେରିବା ସମୟରେ ବଣ ନିକଟସ୍ଥ ଏକ ସ୍ଥାନରେ ଶିକାରୀ ମାନେ ବାରାହା ଶିକାର କରିବା ପାଇଁ ବାରୁଦରେ ଗୁଡ଼ ମିଶାଇ ଖାଦ୍ୟ ପ୍ରସ୍ତୁତ କରି ରଖିଥିଲେ । ଖାଦ୍ୟ ଭାବି ହିଞ୍ଜିଳିକାଟୁ ପୌରାଂଚଳ ବି. ନୁଆଁଗଡ଼ ଗ୍ରାମର ନିଲୁ ଗୌଡ଼ଙ୍କ ୨ଟି ଗାଇ ସଂପୃକ୍ତ ଗୁଡ଼ ମିଶା ବାରୁଦକୁ ଖାଇବାରୁ ବିସ୍ପୋରଣ ଘଟି ୨ଟି ଗାଇ ଗୁରୁତର ହୋଇ ସେଠାରେ ପଡ଼ି ଯାଇଥିଲେ । ଗୋପାଳକ ଜଣକ ସଂପୃକ୍ତ ଗାଇ ମାଲିକଙ୍କୁ ଖବର ଜଣାଇବା ପରେ ଗାଇ ମାଲିକ ଘଟଣା ସ୍ଥଳରେ ପଂହଚି ଗାଇ ୨ଟିକୁ ଘରକୁ ଆଣିଥିଲେ । ଆହତ ଗାଇଙ୍କ ଚିକିତ୍ସା ସକାଶେ ପ୍ରାଣଶୀ ଚିକିତ୍ସାଳୟକୁ ଯାଇଥିବା ବେଳେ ଚିକିତ୍ସାଳୟ ବନ୍ଦ ରହିଥିଲା । ଏ ନେଇ ନିଲୁ ଫୋନ ଯୋଗେ ପ୍ରାଣୀ ଚିକିତ୍ସକ ଡ଼ାକ୍ତର ଲମ୍ବୋଦର ମହାପାତ୍ରଙ୍କୁ ଜଣାଇଥିଲେ । ଦୀର୍ଘ ୪ ଘଂଟା ଅତିବାହିତ ହୋଇ ଯାଇଥିଲେ ମଧ୍ୟ ପ୍ରାଣୀ ଚିକିତ୍ସକ ନଆସିବାରୁ ଗ୍ରାମର ଗୋପାଳକଙ୍କ ମଧ୍ୟରେ ଅସନ୍ତୋଷ ଭାବ ପ୍ରକାଶ ପାଇଛି । ପ୍ରକାଶ ଥାଉକି, ବର୍ତମାନ ପରସ୍ଥିତିରେ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିଥିବାରୁ କୌଣସି ଅଧିକାରୀ ହେଡ଼କ୍ୱାଟର ଛାଡ଼ି ନଯିବା ପାଇଁ ସରକାରଙ୍କ ନିର୍ଦ୍ଦେଶନାମା ରହିଥିଲେ ମଧ୍ୟ ସଂପୃକ୍ତ ପ୍ରାଣୀ ଚିକିତ୍ସକ ହେଡ଼କ୍ୱାଟରରେ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳିଛି ।


