୮ ବର୍ଷ ପରେ ମହାବିଦ୍ୟାଳୟ ପାଇବ ନୂଆଁ ଛାତ୍ରନେତା

ଆସିକା (ୱାଇଏନ୍‍ଏସ୍‍) : ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଆଶାୟୀ ଛାତ୍ରନେତାମାନେ ବେଶ୍‍ ଉତ୍ସାହିତ ହୋଇପଡିଥିବା ଦେଖିବାକୁ ମିଳୁଛି । ଦୀର୍ଘ ୮ ବର୍ଷ ପରେ ମହାବିଦ୍ୟାଳୟ ପାଇବ ନୁଆଁ ଛାତ୍ରନେତା । ଏ ନେଇ କ୍ୟାମ୍ପସ୍‍ ରାଜନୀତିରେ ଉଷ୍ମତା ବୃଦ୍ଧି ପାଇଛି । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ଏବଂ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଓ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ହେବାକୁ ଥିବା ବେଳେ ଆଶାୟୀ ଛାତ୍ରନେତାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ଗତ ୨୦୧୭ ମସିହାରେ ତତ୍କାଳୀନ ସରକାର ଛାତ୍ରସଂସଦ ନିର୍ବାଚନକୁ କେତେକ କାରଣରୁ ବନ୍ଦ କରିଦେଇଥିଲେ । ନିର୍ବାଚିତ ଛାତ୍ରନେତାଙ୍କ ବିନା ଦୀର୍ଘ ପ୍ରାୟ ୮ ବର୍ଷ ଧରି କ୍ୟାମ୍ପସ୍‍ ରାଜନୀତି ଶୀଥିଳ ପଡିଯାଇଥିଲା । ଆସନ୍ତା ୧୫ ତାରିଖରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟ, ଡିଗ୍ରୀ କଲେଜ, ସ୍ୱଂୟଶାସିତ ମହାବିଦ୍ୟାଳୟ ଅନୁଦାନପ୍ରାପ୍ତ କଲେଜ ଗୁଡିକରେ ଛାତ୍ରସଂସଦ ନିର୍ବାଚନ ହେବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଆସନ୍ତାକାଲି ଅର୍ଥାତ୍‍ ୭ ତାରିଖରେ ମହାବିଦ୍ୟାଳୟ ପକ୍ଷରୁ ଛାତ୍ରସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯିବ । ୯ ତାରିଖ ଦିନ ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଆଗ୍ରହୀ ଆଶାୟୀମାନେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିପାରିବେ ଏବଂ ଉକ୍ତ ଦିନ ଅପରାହ୍ନ ୨ଟା ରୁ ୪ ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଗୁଡିକ ଯାଞ୍ଚ କରାଯିବା ପରେ ଅପରାହ୍ନ ୫ଟାରେ ବୈଧ ନାମାଙ୍କନ ପତ୍ର ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ୧୦ ତାରିଖ ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ସୁଯୋଗ ମିଳିବ । ସେହି ଦିନ ଅପରାହ୍ନ ୩ଟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୧୪ ତାରିଖ ଦିନ ମୁଁ କାହିଁକି ପ୍ରାର୍ଥୀ ହୋଇଛି (ହ୍ୱାଏ ଆଇ ଷ୍ଟାଣ୍ଡ ଫର୍‍) ରେ ନିର୍ବାଚନ ରଣାଙ୍ଗନରେ ହୋଇଥିବା ପ୍ରାର୍ଥୀମାନେ ନିଜର ଆଭିମୁଖ୍ୟ ସଂପର୍କରେ ଅଭିଭାଷଣ ରଖିବେ । ଆସନ୍ତା ୧୫ ତାରିଖ ଦିନ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇ ଫଳାଫଳ ଘୋଷଣା କରାଯିବ ଏବଂ ୧୬ ତାରିଖ ଦିନ ଛାତ୍ରସଂସଦର ନବନିର୍ବାଚିତ କାର୍ଯ୍ୟକର୍ତ୍ତାମାନେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି । ଛାତ୍ରସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ସକାଶେ ହାତରେ ମାତ୍ର ଆଉ ୨ ଦିନ ବାକି ଥିଲା ବେଳେ ଛାତ୍ର ବିଜେଡି ଏବଂ ଏବିଭିପି ସମେତ ଅନ୍ୟ କେତେକ ସଂଗଠନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଶେଷକରି ଆସିକାର ୩ କଲେଜର ଛାତ୍ର ସଂସଦର ନିର୍ବାଚନର ଫଳାଫଳ ଛାତ୍ର ବିଜେଡି ଏବଂ ଏବିଭିପି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିଲା ବେଳେ ନିର୍ବାଚନୀ ବୈତରଣୀ ପାର୍‍ ହେବାକୁ ଆରମ୍ଭ ହୋଇଯାଇଛି ଅଙ୍କକଷା । ଆଗାମୀ ଛାତ୍ରସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ୍‍ରେ ରାଜନୈତିକ ବାତାବରଣ ଦିନକୁ ଦିନ ସରଗରମ ହେବାରେ ଲାଗିଥିବା ବେଳେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ପାଇଁ ଆଶା ବାନ୍ଧି ବସିଥିବା ଛାତ୍ରନେତାମାନେ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜଣାପଡିଛି । ଛାତ୍ରସଂସଦ ନିର୍ବାଚନକୁ ନେଇ ଆସିକାରେ ଛାତ୍ର ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ଆଗାମୀ ଛାତ୍ରସଂସଦ ନିର୍ବାଚନ ବେଶ୍‍ ରୋଚକ ଓ ରୋମାଞ୍ଚକର ହେବା ସହ କ୍ୟମ୍ପସ୍‍ ରାଜନୀତିରେ ନୁଆଁ ସମୀକରଣ ଗଠନ ହେବ ବୋଲି କେତେକ ମହଲରେ ଚର୍ଚ୍ଚା ବି ହେଉଛି । ଆଗାମୀ ଛାତ୍ରସଂସଦ ନିର୍ବାଚନରେ କେଉଁ ସଂଗଠନ କାହାକୁ ପ୍ରାର୍ଥୀ କରିବ ଏବଂ କେଉଁ ଛାତ୍ରନେତାଙ୍କୁ ନିର୍ବାଚନୀ ମଇଦାନକୁ ଛାଡିବ ତାହା ଉପରେ ଏବେ ଅଧିକାଂଶଙ୍କ ନଜର ରହିଥିବା ଦେଖିବାକୁ ମିଳୁଛି । ଆଗାମୀ ଛାତ୍ରସଂସଦ ନିର୍ବାଚନ ନିର୍ଣ୍ଣାୟକ ହେବ ବୋଲି ମଧ୍ୟ ଆଲୋଚିତ ହେଉଛି । ଛାତ୍ରସଂସଦ ନିର୍ବାଚନରେ କିଏ କେଉଁ ପଦବୀ ଲାଗି ପ୍ରତିଦ୍ୱନ୍ଦିତା କରିବା ଏବଂ କେଉଁ ଛାତ୍ରନେତାଙ୍କର ଲୋକପ୍ରିୟତା ଅଧିକ ଅଛି ଓ କାହାକୁ ପ୍ରାର୍ଥୀ କରାଗଲେ ବିଜୟ ସମ୍ଭାବନା ଅଧିକ ରହିବ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି । ଲିଙ୍ଗଡୋ କମିଶନଙ୍କ ନିର୍ଦ୍ଦେଶାବଳୀ ଆଧାରରେ ପ୍ରସ୍ତୁତ ନିୟମାବଳୀକୁ ସର୍ବାଧିକ ଗୁରୁତ୍ୱ ଦେଇ ଆଗାମୀ ଛାତ୍ରସଂସଦ ନିର୍ବାଚନକୁ ଶୃଙ୍ଖଳିତ, ଶାନ୍ତିପୂର୍ଣ୍ଣ ଅନୁଯାୟୀ ସଂପନ୍ନ କରିବା ସକାଶେ ଶିକ୍ଷାବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ କ୍ୟାମ୍ପସ୍‍ରେ ନିର୍ବାଚନୀ ଉଷ୍ମତା ସ୍ପଷ୍ଟ ବାରି ହୋଇପଡୁଛି । ଖୁବ୍‍ କମ୍‍ ସ୍ୱଳ୍ପ ଅବଧିରେ ନିର୍ବାଚନ ଶେଷ ହେବାର କାର୍ଯ୍ୟକ୍ରମ ରହିଥିବାରୁ କେତେକ ଛାତ୍ର ସଂଗଠନ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ