ଏକକ ବିଶ୍ଵବିଦ୍ୟାଳୟରେ ଉଦ୍ୟମିତା ତଥା ନବସୃଜନ ସଚେତନତା କାର୍ଯ୍ୟକ୍ରମ
ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ଉଦ୍ୟମିତା ବିକାଶ ତଥା ନବସୃଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅସୀମା ସାହୁ ପୌରୋହିତ୍ୟ କରିବା ସହ ନିଜ ଅଭିଭାଷଣରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଭାର ଅଭାବ ନାହିଁ ସେମାନଙ୍କୁ କେବଳ ଉଚିତ ମାର୍ଗଦର୍ଶନର ଆବଶ୍ୟକତା ରହିଥିବା କଥା ଉଲ୍ଲେଖ କରିବା ସହ ଏଭଳି କାର୍ଯ୍ୟକ୍ରମ ବେଶ ଉପାଦେୟ ହୋଇପାରିବ ବୋଲି ଉଲ୍ଲେଖ କରିଥିଲେ lଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ଡ. ଉଷାରାଣୀ ରଥ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ପୂର୍ବରୁ ଆମ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଉଦ୍ୟମିତା ବିକାଶ ନିମନ୍ତେ ପାଇଥିବା ପ୍ରୋତ୍ସାହନ ରାଶି ସମ୍ପର୍କରେ ଉଲ୍ଲେଖ କରିଥିଲେ lବିଷୟ ବିଶେଷଜ୍ଞ ଭାବେ ଯୋଗ ଦେଇ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଏବଂ ବିପଣନ ସମିତି ( ORMAS)ର ଉପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରାଜ ଗୋପାଳ ଦାଶ ନିଜ ବକ୍ତବ୍ୟରେ ଷ୍ଟାର୍ଟଅପ୍ ତଥା ଉଦ୍ୟମିତାର ବ୍ୟାଖ୍ୟା କରିବା ସହ ବୃତ୍ତି ଓ ପ୍ରବୃତ୍ତି ମଧ୍ୟରେ ସମନ୍ୱୟ ରଖିବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ l ଏହା ସହ ଗଞ୍ଜାମ ଜିଲ୍ଲାରେ ସୁଲଭ ଉତ୍ପାଦ ଗୁଡ଼ିକୁ ନେଇ ନୂତନ ଉଦ୍ୟୋଗ ଆରମ୍ଭ କରିବା ସହ ଏହାର ବଜାର ସୃଷ୍ଟି କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ। ମଂଚାସୀନ ଅନ୍ୟତମ ବିଷୟ ବିଶେଷଜ୍ଞ ଶିଳ୍ପ ପ୍ରୋତ୍ସାହନ ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଅନେକ ନୂତନ ଧାରଣା ଉନ୍ମୋଚନ କରିବା ସହ ଅନେକ ଗୁରୁତ୍ଵପୂର୍ଣ୍ଣ ଉଦ୍ୟୋଗ ଆରମ୍ଭ କରିବା ନିମନ୍ତେ ମାର୍ଗଦର୍ଶନ କରିଥିଲେ। ଅଧ୍ୟାପକ ଡ. ମନୋରଞ୍ଜନ ବିଷୋୟୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ବାଗତ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଆଇ. କ୍ୟୁ. ଏସ. ସି ର ସଂଯୋଜକ ତଥା ଉପ କୁଳସଚିବ ଡ. ଗୌତମ ସାବତ। କାର୍ଯ୍ୟକ୍ରମ ଅବସରରେ ଦୁଇ ଯୁବ ଉଦ୍ୟୋଗୀ ପ୍ରଜ୍ଞାଞ୍ଜଳି ପଟ୍ଟନାୟକ ଓ ଆରୋ ମୋଟର୍ସର ଏ. ରୋଶନ ନିଜ ନିଜର ଆଦ୍ୟମିତା ଆରମ୍ଭର ଅଭିଜ୍ଞତାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଣ୍ଟି ଥିଲେ l କାର୍ଯ୍ୟକ୍ରମ ଶେଷରେ ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଡ. ସୁଶୀଲ କୁମାର ରାଠୋର ଧନ୍ୟବାଦ ଅର୍ପଣ କରିଥିଲେ। ଶତାଧିକ ଛାତ୍ରଛାତ୍ରୀ ଏହି ସଚେତନତା କାର୍ଯ୍ୟକ୍ରମରେ ପ୍ରବଳ ଉତ୍ସାହରେ ଯୋଗ ଦେଇଥିଲେ।


