ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟ ଅଧିନସ୍ଥ ମେଡିକାଲ କଲେଜରେ ୯ହଜାର ନମୁନା ପରୀକ୍ଷଣ
ନୂଆଦିଲ୍ଲୀ : କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ କୌଶଳ ବିକାଶ କାର୍ୟ୍ୟକ୍ରମ ଜରିଆରେ ୧୫୦୦ ସ୍ଵାସ୍ଥ୍ୟସେବା ସହାୟକଙ୍କୁ ତାଲିମ ପ୍ରଦାନ କରାଯାଇଛି । ସେମାନେ ଏବେ କରୋନା ରୋଗୀଙ୍କ ଚିକିତ୍ସାରେ ଲାଗିଛନ୍ତି ବୋଲି ମନ୍ତ୍ରୀ ନକଭି କହିଛନ୍ତି । ଏହି ସ୍ଵାସ୍ଥ୍ୟସେବା ସହାୟକଙ୍କ ମଧ୍ୟରୁ ଶତକଡା ୫୦ ଭାଗ ହେଉଛନ୍ତି ଝିଅ, ଯେଉଁମାନେ କି ଦେଶର ବିଭିନ୍ନ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସାରେ ସହାୟତା କରୁଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ଆଉ ୨ହଜାର ସ୍ୱାସ୍ଥ୍ୟ ସହାୟକଙ୍କୁ ତାଲିମ ଦିଆଯିବ । ଏହି ସ୍ୱାସ୍ଥ୍ୟସେବା ସହାୟକମାନଙ୍କୁ ଦେଶର ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନ ଓ ସ୍ଵନାମଧନ୍ୟ ହସ୍ପିଟାଲଗୁଡିକରେ ଏକ ବର୍ଷ ପର୍ୟ୍ୟନ୍ତ ତାଲିମ ପ୍ରଦାନ କରାଯାଉଛି । ଦେଶର ବିଭିନ୍ନ ୱାକଫ ବୋର୍ଡଗୁଡିକ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କରୋନା ସହାୟକ ପାଣ୍ଠିକୁ ୫୧ କୋଟି ଟଙ୍କା ସହାୟତା ଦିଆଯାଇଛି । ଏହାଛଡା ଏହି ୱାକଫ ବୋର୍ଡଗୁଡିକ ବିଭିନ୍ନ ଗରିବ ଲୋକମାନଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବାଣ୍ଟୁଛନ୍ତି । ଦେଶର ୧୬ଟି ହଜ ଭବନକୁ କରୋନା ରୋଗୀଙ୍କ ଏକାନ୍ତବାସ ନିମନ୍ତେ ବ୍ୟବହାର କରିବାକୁ ରାଜ୍ୟ ସରକାରଗୁଡିକୁ ହସ୍ତାନ୍ତର କରାଯାଇଛି । ଆବଶ୍ୟକତା ଅନୁସାରେ ସେହି ରାଜ୍ୟ ସରକାରଗୁଡିକ ଏହାର ଉପଯୋଗ କରୁଛନ୍ତି । ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ୧.୪୦ କୋଟି ଟଙ୍କା ପ୍ରଦାନ କରିଛି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟ ୧୦୦ଟି ଶଯ୍ୟାର ବ୍ୟବସ୍ଥା କରିବା ସହ ୯ହଜାର ରୋଗୀଙ୍କ ନମୁନା ପରୀକ୍ଷଣ କରିଛି । କରୋନା ରୋଗୀଙ୍କ ପାଇଁ ସଙ୍ଗରୋଧ ଏବଂ ଏକାନ୍ତବାସ ବ୍ୟବସ୍ଥା ଆଜମିର ସରିଫ ଦର୍ଘା ଖ୍ଵାଜା ଆଦର୍ଶ ବିଦ୍ୟାଳୟ ଏବଂ କୟାଦ ବିଶ୍ରାମସ୍ଥଳୀଠାରେ କରାଯାଇଛି । ଜାତି, ଧର୍ମ ନିର୍ବିଶେଷରେ ଲକଡାଉନ କାଳରେ ୪ହଜାର ୫୦୦ରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ସହିତ ରବିହାର ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି । ଦର୍ଘା କମିଟି, ଦର୍ଘା ଖାଦିମ ଏବଂ ସଜଦା-ନସିନ ପକ୍ଷରୁ ଏସବୁ ସୁବିଧା ଯୋଗାଇ ଦିଆଯାଇଛି । ଦର୍ଘା କମିଟି ଏଥିସହ ସଂଶ୍ଳିଷ୍ଟ ସଙ୍ଗଠନଗୁଡିକ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରି ଅନ୍ୟ ରାଜ୍ୟରେ ଫସି ରହିଥିବା ବିଭିନ୍ନ ଲୋକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରିଛନ୍ତି । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ଶିଖୋ ଔର କମାଓ କୌଶଳ ବିକାଶ କାର୍ୟ୍ୟକ୍ରମ ଅଧୀନରେ ମାସ୍କ ପ୍ରସ୍ତୁତ କରାଯାଇ ଲୋକମାନଙ୍କୁ ବଣ୍ଟା ଯାଇଛି । ମନ୍ତ୍ରଣାଳୟ “ଜାନ ଭି ଜାହାନ ଭି” ସଚେତନତା ଆରମ୍ଭ କରି ସମାଜରେ ସାମାଜିକ ଦୂରତ୍ଵ ଓ ଅନ୍ୟାନ୍ୟ ନିୟମାବଳୀ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନେବ । କରୋନା ବିଶ୍ଵମାରୀର ମୁକାବିଲା ପାଇଁ ଦେଶର ସବୁ ଲୋକ ମିଳିତଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡାକରାରେ କାର୍ୟ୍ୟ କରୁଛନ୍ତି । ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ମଧ୍ୟ ସମାଜର ଅନ୍ୟମାନଙ୍କ ଭଳି ଏଥିରେ ସହଭାଗୀ ଅଛନ୍ତି ବୋଲି ନକଭି କହିଛନ୍ତି ।


