ରାତିରେ ଜେସିବି ଲଗାଇ ବଡ଼ ନଦୀରୁ ବାଲି ଚୋରି; ଦୈନିକ ୧୦୦୦ଟନ୍ ଚୋରା ଚାଲାଣ

ବେଲଗୁଣ୍ଠI,(ଶିବରାମ ଚୌଧୁରୀ):ପ୍ରାୟ ଏକ ମାସ ହେବ ପ୍ରାୟ ୨୦ ଟି ୧୦ ଚକିଆ ହାଇୱା ଦ୍ଵାରା ବାଲି ଚୋରି କରାଯାଉଛି l ରାତ୍ର ୧୦ ଘଣ୍ଟ ଠାରୁ ଭୋର୍ ୪ ଟା ପର୍ଯ୍ୟନ୍ତ ୨ ଟି ଜେସିବି ମେସିନ ଦ୍ଵାରା ନଦୀରୁ ବାଲି ଆଣି ଏକ ନିର୍ଦ୍ଧିଷ୍ଟ ଜାଗାରେ ବାଲିକୁ ଗଚ୍ଛିତ ରଖାଯାଉଛି l ସେଠାରୁ ଏହି ବାଲିକୁ ଆନ୍ଧ୍ରପ୍ରଦେଶ ଚୋରା ଚାଲାଣ କରାଯାଉଛି ବୋଲି ସନ୍ଦେହ କରାଯାଉଛି ।ଦୈନିକ ପ୍ରାୟ ୯୦୦ ରୁ ୧୦୦୦ ଟନ୍ ବାଲି ପ୍ରତିଦିନ ଚୋରା ଚାଲାଣ ହେଉଥିଲାବେଳେ ପ୍ରଶାସନର ଜାଣତରେ ହେଉଥିବା ଚର୍ଚ୍ଚା ଜୋର ଧରିଛି ।ମିଳିଥିବା ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ବଙ୍କା ନିକଟସ୍ଥ ବଡ଼ ନଦୀ ଓ ନିକଟସ୍ଥ ସୁରମଣିରେ ରହିଛି ଦୁଇଟି ମୂଲ୍ୟବାନ ବାଲି ଖାଦାନ l ଏହି ଦୁଇଟି ବାଲି ଖାଦାନ ବର୍ତ୍ତମାନ ସୈରାତ ନିଲାମ ହୋଇନଥିବା ଜଣା ପଡ଼ିଛି l କିନ୍ତୁ ମେସିନ ସାହାର୍ଯ୍ୟ ରେ ବାଲି ବାହାର କରାଯାଇ ମଙ୍ଗଳପୁର ନିକଟସ୍ଥ ସୋରଡ ଛକରେ ପଡ଼ିଆରେ ନଦୀରୁ ବାଲି ଆଣି ଗଚ୍ଛିତ ରଖାଯାଉଛି l ପରଦିନ ୨୦ ରୁ ୨୨ ଟି ୧୦ ଚକିଆ ହାଇୱାରେ ଏହି ବାଲିକୁ ବାଲିପଦର,ଆସ୍କା,ବ୍ରହ୍ମପୁର ଦେଇ ଆନ୍ଧ୍ରପ୍ରଦେଶରେ ଚାଲିଥିବା ଏକ ପ୍ରୋଜେକ୍ଟ କାମରେ ଏହି ବାଲି ନିୟୋଜିତ ହେଉଥିବା ଜଣା ପଡ଼ିଛି । ପ୍ରଥମେ ପ୍ରଥମେ ବାଲି ଚୋରି କରି ନେଉଥିବା ବେଳେ ବଙ୍କା,ସୁରମଣି,ଯାତ୍ରାଶୁଣି ଓ ମଙ୍ଗଳପୁର ଗ୍ରାମବାସୀ ବିରୋଧ କରିବା ସହ ଗାଡ଼ିକୁ ଅଟକାଇ ଏହି ରାସ୍ତା ଦେଇ ବାଲି ନେବା ସଂପୂର୍ଣ୍ଣ ବନ୍ଦ କରିଦେଇଥିଲେ l ପରବର୍ତ୍ତୀ ସମୟରେ ବାଲି ମାଫିଆମାନଙ୍କ ଧମକ ଚମକରେ ଭୟଭୀତ ହୋଇ ଚୁପ୍ ରହୁଥିବା ଜଣା ପଡିଛି l ପ୍ରତିଦିନ ଗୋଟିଏ ଗୋଟିଏ ହାଇୱାରେ ୪୫ ରୁ ୫୦ ଟନ୍ ହିସାବରେ ପ୍ରାୟ ୯୦୦ ରୁ ୧୦୦୦ ଟନ୍ ବାଲି ଚୋରି ହେଉଛି I ଦୈନିକ ଚୋରି ହେଉଥିବା ବାଲିର ଆନୁମାନିକ ମୂଲ୍ୟ ୫ ରୁ ୬ ଲକ୍ଷ ଟଙ୍କା ହେବ l ପ୍ରକାଶ ଥାଉକି ମଙ୍ଗଳପୂରରୁ ବଙ୍କା ଯାଇଥିବା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତାଟି ୧୨ ରୁ ୧୫ ଟନ୍ କ୍ଷମତା ବିଶିଷ୍ଟ ନିର୍ମାଣ ହୋଇଥିବା ବେଳେ ୪୫ ରୁ ୫୦ ଟନ୍ ବାଲି ବୋଝେଇ ହାଇୱା ଯିବା ଦ୍ଵାରା କୋଟି କୋଟି ଟଙ୍କାର ରାସ୍ତାଟି ସଂପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ