ଚକ୍ଷୁ ସମସ୍ୟାଯୁକ୍ତ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ ନିମନ୍ତେ ତାଲିମ୍ ଶିବିର
ଆସିକା (ୱାଇଏନ୍ଏସ୍): ସ୍କୁଲ ଛାତ୍ରଛାତ୍ରୀଙ୍କ ନିମନ୍ତେ ସରକାର ବିଭିନ୍ନ ସମୟରେ ବହୁ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଚାଲିଛନ୍ତି । ସେଥି ମଧ୍ୟରୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ ଓ କଲ୍ୟାଣ ବିଭାଗର ମିଳିତ ସହଯୋଗରେ କାର୍ଯ୍ୟକାରୀ କରାଯାଇଥିବା ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ନୟନଜ୍ୟୋତି ଯୋଜନା ଅନ୍ୟତମ । ଏହି ଯୋଜନାରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ପାଠ ପଢୁଥିବା ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରିବା ସକାଶେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଠାରୁ ଦୁଇଦିବସୀୟ ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଗୋଷ୍ଠୀ ସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦଙ୍କ ସଂଯୋଜନାରେ ଚକ୍ଷୁ ସମସ୍ୟାଯୁକ୍ତ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ ସକାଶେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ତାଲିମ୍ ଶିବିରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ କୁମାରୀ ପାତ୍ର ଏବଂ କେଳୁଆପଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସହାୟକ ଚକ୍ଷୁ ବିଶେଷଜ୍ଞ ବୃନ୍ଦାବନ ଦଳେଇ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶିବରାମ ବେହେରା ପ୍ରମୁଖ ଯୋଗଦେଇ ବିଦ୍ୟାଳୟଗୁଡିକରେ ପ୍ରାଥମିକ ସ୍ତରରେ ଚକ୍ଷୁବାଧିତ ପିଲାଙ୍କୁ କିପରି ଚିହ୍ନଟ କରାଯିବ ସେ ସଂକ୍ରାନ୍ତରେ ମାର୍ଗଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ସମଗ୍ର ଶିକ୍ଷା ଗଞ୍ଜାମ ଜିଲ୍ଲା ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଚକ୍ଷୁ ସମସ୍ୟାଯୁକ୍ତ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ ନିମନ୍ତେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ ଟି କ୍ଳଷ୍ଟରର ୧୫୯ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ତାଲିମ୍ ଶିବିରକୁ ସୁପରିଚାଳନା କରିବା ଦିଗରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ହେମନ୍ତ ନନ୍ଦ, ମନ୍ଦାକିନୀ ରଥ, ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ନୃସିଂହ ଲେଙ୍କା, ଶାନ୍ତିଲତା ପାତ୍ର, ଗୀତାଞ୍ଜଳୀ ଜେନା, ଅନିଲ୍ କୁମାର ବିଷୋୟୀ ପ୍ରମୁଖ ସହଯୋଗ କରୁଥିଲା ବେଳେ ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନର ଶିକ୍ଷକମାନେ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


